Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆହୁରି ୩ରୁ ୪ ଦିନ ବଢ଼ିପାରେ ସ୍କୁଲ ଛୁଟି

ଭୁବନେଶ୍ବର: ଆଜି ଖରାଚୁଟି ସରୁଥିବା ବେଳେ ଆସନ୍ତାକାଲିଠାରୁ ସ୍କୁଲ ଖୋଲିବାକୁ ଯାଉଛି । ହେଲେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଖରାଛୁଟି ବଢ଼ାଇବାକୁ ଦାବି ହେଉଛି । ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବା ଓଷ୍ଟା ଖରାଛୁଟି ୩ରୁ ୪ ଦିନ ବଢ଼ାଇବାକୁ ଦାବି କରିଛି ।
ସଂଘ ପକ୍ଷରୁ କୁହାଯାଇଛି, ସାରା ରାଜ୍ୟରେ ଏବେ ମଧ୍ୟ ଅସହ୍ୟ ତାତି ଅନୁଭୂତ ହେଉଛି । ଜୁନ୍ ମାସର ମଧ୍ୟଭାଗରେ ମଧ୍ୟ ଅସହ୍ୟ ତାତି ଅନୁଭୂତ ହେଉଛି । ଦିନର ତାପମାତ୍ରା ୪୪ରୁ ୪୫ ଡିଗ୍ରୀ ରହୁଛି । ସକାଳ ୧୦ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ରାଜ୍ୟର ଅଧିକାଂଶ ସ୍କୁଲ ଘର ଆଜବେଷ୍ଟସ କିମ୍ବା ଏକ ମହଲା ଛାତ ବିଶିଷ୍ଟ । ଅନେକ ସ୍କୁଲ୍‌କୁ ବିଦ୍ୟୁତ୍ ସଂଯୋଗ ନାହିଁ । ଯେଉଁଠାରେ ବିଦ୍ୟୁତ୍ ସଂଯୋଗ ହୋଇଛି ସେଠାରେ ଅଧା ଅଚଳ ଅବସ୍ଥାରେ ପଡ଼ି ରହିଛି । ଯେଉଁ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସ ଆଦି ଦିନ ବେଳେ ଚାଲୁଛି, ସେଠାରେ କୁଲର ଓ ଏସି ଚାଲୁଛି ଓ ଥଣ୍ଡା ପିଇବା ପାଣିର ସୁବିଧା ଉପଳବ୍ଧ ଅଛି । କିନ୍ତୁ ବିଦ୍ୟାଳୟଗୁଡ଼ିକରେ ଏଭଳି ସୁବିଧା ନାହିଁ । କାଳବୈଶାଖୀ ପ୍ରଭାବରେ କାଁ ଭାଁ ଯେଉଁ ବର୍ଷା ହେଉଛି, ତାହା ତାପମାତ୍ରାକୁ ହ୍ରାସ କରିପାରୁ ନାହିଁ । ଅନ୍ୟପଟେ ଆଦ୍ରତା ବଢୁଛି ଓ ଅସହ୍ୟ ଗୁଳୁଗୁଳି ହେଉଛି । ତେଣୁ ୧୮ ତାରିଖରୁ ସ୍କୁଲ୍‌ଗୁଡ଼ିକୁ ନଖୋଲି ଆଉ କିଛି ଦିନ ଘୁଞ୍ଚାଇ ଦେବା ପାଇଁ ଓଷ୍ଟା ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି ।
ଗ୍ରୀଷ୍ମ ଛୁଟି ବଢ଼ାଇବା ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି, ଖରା ଓ ଗୁଳଗୁଳିକୁ ଦେଖି ଜିଲ୍ଲାପାଳ ନିଷ୍ପତ୍ତି ନେବେ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଚାଲିଛି, ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ । ସେହିପରି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି, ପାଣିପାଗ ବିଭାଗ ରିପୋର୍ଟ ଆଧାରରେ ନିଷ୍ପତ୍ତି ନିଆଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ।
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଉପକୂଳ ଓଡ଼ିଶାରେ ତାତି ଆହୁରି ୩ରୁ ୪ ଦିନ କଲବଲ କରିବ । ସମ୍ପୂର୍ଣ୍ଣ ଓଡ଼ିଶାରେ ମୌସୁମୀ ଅଗ୍ରସର ହେବାକୁ ଆହୁରି ସମୟ ଲାଗିବ । ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ବରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଜୁନ୍‌ ୧ରୁ ଆଜି ଯାଏଁ ରାଜ୍ୟରେ ୪୧% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।