ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅଞ୍ଚଳରେ ବିକାଶ ନାଁ ନେଇ ଠିକାଦାର ପୋଷା ନୀତି ଚାଲୁଥିବା ଅଭିଯୋଗ ହୋଇଛି I ଲୋକଙ୍କ ସ୍ଵାର୍ଥ ବଦଳରେ ଠିକାଦାର ଙ୍କ ମନମାନୀରେ ଉନ୍ନୟନ କାମ ହେଉଥିବା ଦେଖାଯାଇଛି ଏହି ବ୍ଲକ ଅନ୍ତର୍ଗତ ଉଲୁଣ୍ଡା ପଞ୍ଚାୟତ ମରାଲୋଏ ଗ୍ରାମରେ I ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲିଥିବା କଙ୍କ୍ରିଟ୍ ଢଳେଇ କାମ ଏହାର ନମୁନା I ଗତକାଲି ଏହି କଙ୍କ୍ରିଟ୍ କାମ ଚାଲୁଥିବା ସମୟରେ ଗ୍ରାମବାସୀ ବିରୋଧ କରିଥିଲେ l ଫଳରେ ଠିକାଦାର କାମ ବନ୍ଦ କରି ସେଠାରୁ ଫେରାର ମାରିଥିବା ଘଟଣା ଦେଖାଯାଇଛି l ସୂଚନା ଯୋଗ୍ୟ ଯେ 1957 ମସିହାରୁ ଏହି ବିଦ୍ୟାଳୟ ଟି ସ୍ଥାପିତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ସ୍କୁଲ ଚାରି ପାଖରେ ସୁରକ୍ଷା ପାଚେରୀ ନିର୍ମାଣ କରାଯାଇ ନାହିଁ I ଅସୁରକ୍ଷିତ ଅବସ୍ଥାରେ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ସର୍ବଦା ବୁଲା କୁକୁର ତଥା ଗାଇଗୋରୁଙ୍କ ଗହଳି ଲାଗି ରହି ଅପରିଷ୍କାର ହେଉଥିବା ଗ୍ରାମବାସୀ କୁହନ୍ତି I ଚାରିପାଖରେ ଡ୍ରେନ୍ ନଥିବାରୁ ବର୍ଷା ସମୟରେ ବିଦ୍ୟାଳୟ ପରିସରରେ ଆଣ୍ଠୁଏ ପାଣି ଜମି ରହୁଛି I ପାଚେରୀ ଏବଂ ଡ୍ରେନ ନିର୍ମାଣ କରିବାକୁ ବହୁଥର ବିଭାଗୀୟ ଅଧିକାରୀ ଙ୍କ ପାଖରେ ଅଭିଯୋଗ କରିଛନ୍ତି I ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଶିକ୍ଷା ଅଧିକାରୀ ଏବଂ ଉଲୁଣ୍ଡା ସରପଞ୍ଚ ଙ୍କ ଦୃଷ୍ଟିକୁ ଆଣି ପ୍ରାଥମିକତା ଭିତ୍ତିରେ ସମସ୍ୟାର ସମାଧାନ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ I ହେଲେ ଗ୍ରାମବାସୀଙ୍କ ଦାବିକୁ ଭୃକ୍ଷେପ କରି ବିଦ୍ୟାଳୟ ପରିସରରେ କଙ୍କ୍ରିଟ୍ ଢଳେଇ କାମ କରାଯାଉଛି I ଅପର ପକ୍ଷରେ ଏହି କଂକ୍ରିଟ କାମ 3 ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ କରାଯାଉ ଥିବା ବେଳେ କୌଣସି ସୂଚନା ଫଳକ ଲାଗିନାହିଁ I ଗ୍ରାମବାସୀଙ୍କ ଦାବି ପୂରଣ ପରିବର୍ତ୍ତେ ଠିକାଦାର ପୋଷିବା ପାଇଁ କଂକ୍ରିଟ କାମ କରାଯାଉ ଥିବାରୁ ଲୋକଙ୍କ ଭିତରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା I ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ପ୍ରତିବାଦ କରିବା ସହ ପାଟିତୁଣ୍ଡ କରିବାରୁ ଠିକାଦାର କାମ ନ କରି ଅଧାରୁ ଛାଡି ପଳାଇ ଯାଇଥିଲା I କୌଣସି କାମ ହେବା ପୂର୍ବରୁ ପଲ୍ଲିସଭାରେ ଗ୍ରାମବାସୀ ଙ୍କ ମତାମତ ନିଆଯାଇ କାମ ଆରମ୍ଭ କରିବା କଥା I କିନ୍ତୁ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରି ବିଭାଗୀୟ ଅଧିକାରୀ ଏବଂ ଠିକାଦାର ଙ୍କ ଭିତ୍ତିରି ବୁଝାମଣା ରେ କାମ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି I ଖୁବ ଶୀଘ୍ର ସ୍କୁଲ ର ପାଚେରୀ ଏବଂ ଡ୍ରେନ୍ ନିର୍ମାଣ କରା ନ ଗଲେ ଗ୍ରାମବାସୀ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି l