ଭୁବନେଶ୍ବର: ଆଜିଠାରୁ ଓଡ଼ିଶା ବିଧାନସଭାରେ ବିଧାୟକଙ୍କ ଶପଥପାଠ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଧାୟକ ଶପଥ ନେଇଛନ୍ତି । ଏହି ଶପଥ ପାଠ କାର୍ଯ୍ୟକ୍ରମ ଆସନ୍ତାକାଲି ମଧ୍ୟ ଜାରି ରହିବ । ତେବେ ଆଜି ବିଧାନସଭାରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଆଉ ଏହି ଦୃଶ୍ୟ ଥିଲା ନବୀନ ପଟ୍ଟନାୟକ ଏବଂ ଲକ୍ଷ୍ମଣ ବାଗଙ୍କ ଭେଟ ।
ଲକ୍ଷ୍ମଣ ହେଉଛନ୍ତି ବିଜେପିର ସେହି ପ୍ରାର୍ଥୀ ଯିଏ କଣ୍ଟାବାଞ୍ଜିରେ ନବୀନ ପଟ୍ଟନାୟକଙ୍କୁ ପରାଜିତ କରି ବିଧାୟକ ଭାବେ ବିଧାନସଭାକୁ ଆସିଛନ୍ତି ।
ଶପଥ ନେବାକୁ ବିଧାନସଭାକୁ ଆସିଥିଲେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଗୃହକୁ ପ୍ରବେଶ କରିବା ପରେ ବିଧାୟକ ପ୍ରତାପ କେଶରୀ ଦେବଙ୍କ ସହିତ ନିଜ ଆସନ ଆଡ଼କୁ ଯାଉଥିଲେ । ଏହି ସମୟରେ ଲକ୍ଷ୍ମଣ ବାଗ ନିଜ ଆସନରୁ ଉଠିପଡ଼ି ତାଙ୍କୁ ନମସ୍କାର କରିବା ସହିତ ନିଜ ପରିଚୟ ଦେଇଥିଲେ । ପରିଚୟ ପାଇ ଲକ୍ଷ୍ମଣ ବାଗଙ୍କୁ ନବୀନ ଶୁଭେଚ୍ଛା ଜଣାଇଥିଲେ । ଏହାସହ କହିଥିଲେ ‘ଓଃ ୟୁ ଡିଫିଟେଡ୍ ମି’ (ଆପଣ ମୋତେ ପରାସ୍ତ କରିଥିଲେ) । ଫଳରେ ଗୃହରେ ହାଲକା ହାସ୍ୟରୋଳ ସୃଷ୍ଟି ହୋଇଥିଲା ।
ନବୀନ ପଟ୍ଟନାୟକ ଏଥର ନିର୍ବାଚନରେ ହିଞ୍ଜିଳି ସହିତ କଣ୍ଟାବାଞ୍ଜି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ହିଞ୍ଜିଳିରୁ ନବୀନ ମାତ୍ର ୪ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିବା ବେଳେ କଣ୍ଟାବାଞ୍ଜିରେ ସେ ପରାସ୍ତ ହୋଇଥିଲେ । ଏହା ହେଉଛି ନବୀନଙ୍କ ପ୍ରଥମ ପରାଜୟ । ଏଠାରେ ନବୀନ ୧୬ ହଜାର ୩୪୪ ଖଣ୍ଡ ଭୋଟରେ ହାରିଥିଲେ । ଲକ୍ଷ୍ମଣଙ୍କୁ ୯୦ ହଜାର ୮୭୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ନବୀନଙ୍କୁ ୭୪ ହଜାର ୫୩୨ ଖଣ୍ଡ ଭୋଟ୍ ମିଳିଥିଲା ।
ସରକାର ବଦଳିବା ପରେ ନବୀନ ପଟ୍ଟନାୟକଙ୍କ ଆସନ ବଦଳି ଯାଇଛି । ସେ ଆଜି ହିଞ୍ଜିଳିର ବିଧାୟକ ଭାବେ ଶପଥ ନେଇଥିଲେ । ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତାଙ୍କୁ ଶପଥପାଠ କରାଇଥିଲେ ।
ବିଧାନସଭାରେ ଭେଟାଭେଟି ହେଲେ ନବୀନ-ଲକ୍ଷ୍ମଣ; କଣ୍ଟାବାଞ୍ଜିରେ ହରାଇଛନ୍ତି ନବୀନଙ୍କୁ
