ଦେବୀ ନଦୀରେ ବୁଡ଼ି ତିନି ନାବାଳକଙ୍କ ମୃତ୍ୟୁ


ପୁରୀ: ପୁରୀ ଜିଲ୍ଲା ବାଲିଡ଼ିଆରେ ଦେବୀ ନଦୀରେ ବୁଡ଼ି ୩ ଜଣ ନାବାଳକ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଉଛନ୍ତି ରୋହନ ବେହେରା, ଓମ୍ ବେହେରା ଏବଂ କାହ୍ନା ବେହେରା । ସେମାନେ ସମସ୍ତେ ବାଲିଡ଼ିଆ ଗାଁର ବାସିନ୍ଦା । ରୋହନ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ କାହ୍ନା ନବମ ଏବଂ ଓମ୍ ଦଶମ ଶ୍ରେଣୀରେ ପଢୁଥିଲେ ।
ମିଳିଥିବା ସୂଚନା ଅନୁସାରେ ତିନି ଜଣ ଆଜି ଦେବୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ବିଭିନ୍ନ ସ୍ଥାନରୁ ନିରାଶ ହେବା ପରେ ନଦୀ ପାଖକୁ ଯାଇଥିଲେ । ସେଠାରେ ଏକ ଡଙ୍ଗାରେ ସେମାନଙ୍କ ପ୍ୟାଣ୍ଟ-ଶାର୍ଟ ଦେଖିବାକୁ ମିଳିଥିଲା । ତେଣୁ ସେମାନଙ୍କର ସନ୍ଦେହ ହୋଇଥିଲା । ଗ୍ରାମବାସୀଙ୍କ ସହାୟତାରେ ନଦୀରେ ଖୋଜାଖୋଜି କରିବା ପରେ ତିନି ପିଲାଙ୍କୁ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।
ସେମାନଙ୍କୁ ପ୍ରଥମେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରୁ ସେମାନଙ୍କୁ ଚାରିଛକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ ।