କେନ୍ଦ୍ରାପଡ଼ା: ୧୧ ଦିନ ହେଲା ପୋଷ୍ଟ ଅଫିସରେ ଝୁଲୁଛି ତାଲା । ପୋଷ୍ଟାଲ ଘୋଟାଲା ପଦାକୁ ଆସିବା ପରଠରୁ ପୋଷ୍ଟମାଷ୍ଟର ଫେରାର । ଏପଟେ ଚିଟଫଣ୍ଡ ଘୋଟାଲା ପରେ ଲୋକେ ସରକାରୀ ସଂସ୍ଥା ପୋଷ୍ଟାଲ ଉପରେ ଭରଷା କରିଥିଲେ । ନିଜ ଝାଳବୁହା ଅର୍ଥ ଏଠି ରଖିଥିଲେ । ହେଲେ ଏଠି ବି ବି ବସିଛନ୍ତି ପରଧନ ଖିଆ । ଡ୍ୟୁଟି ନାଁରେ ସରକାରୀ ଧନ ଚଳୁ ଓ ସୁଯୋଗ ଦେଖି ଗରିବଙ୍କ ଧନ ଚଳୁ । ଜମାକାରୀଙ୍କ ଟଙ୍କା ହଡପ କରି ପୋଷ୍ଟ ମାଷ୍ଟର ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ସୁକନ୍ୟା ଯୋଜନାରେ ଛୋଟ ଶିଶୁଙ୍କଠୁଁ ଆରମ୍ଭ କରି ପକ୍ଷାଘାତ ରୋଗୀଙ୍କ ଯାଏଁ ସମସ୍ତେ ଠକେଇର ଶିକାର ହୋଇଛନ୍ତି । କେନ୍ଦ୍ରାପଡା ରାଜନଗର ଅଞ୍ଚଳରେ ଏଭଳି ଘୋଟାଲା ସାମ୍ନାକୁ ଆସିଛି ।
ରାଜନଗର କୃଷ୍ଣନଗରର ଝଣ୍ଟୁ ମାଇତିଙ୍କ ବୟସର ଅପରାହ୍ଣରେ ପହଞ୍ଚି ସାରିଛନ୍ତି । ମୂଲ ଲାଗି ପକ୍ଷାଘାତ ପୀଡିତ ପତ୍ନୀ ଉଜ୍ଜଳା ମାଇତିଙ୍କ ଚିକିତ୍ସା କରିବା ସହ ବଳକା ଅର୍ଥକୁ ପୋଷ୍ଟ ଅଫିସରେ ରଖୁଥିଲେ । ୨୦୧୩ ମସିହାରୁ ପୋଷ୍ଟ ଅଫିସରେ ଅର୍ଥ ଜମା କରୁଛନ୍ତି । ୨୦୧୬ ଜୁନ ୧୪ ତାରିଖରେ ଉଜ୍ଜଳାଙ୍କ ନାଁରେ ଦେଢ ଲକ୍ଷ ଟଙ୍କା ଜମା କରିଥିଲେ । କେବେ ଟଙ୍କାଟିଏ ବି ଉଠାଇ ନାହାନ୍ତି । କିନ୍ତୁ ତାଙ୍କ ଅଜଣାତରେ ଗୋଟିଏ ଷ୍ଟାମ୍ପରେ ଗୋଟିଏ ଧାଡ଼ିରେ ଡିପୋଜିଟ ଓ ଉଠାଣ ଲେଖି ୫୩ ହଜାର ଟଙ୍କା ଉଠାଇ ନିଆଯାଇଥିବା ଅଭିଯୋଗ ହୋଇଛି ।
ରାଜନଗର ବାଘୁଆ ଅଞ୍ଚଳର ସୁକୁମାର ମଣ୍ଡଳଙ୍କ କଥା ବି ସମାନ । ସୁକୁମାର ଓ ତାଙ୍କ ସ୍ତ୍ରୀ ରେଣୁବାଳା ମଣ୍ଡଳ ପୋଷ୍ଟ ଅଫିସରେ ୯୦ ହଜାର ଟଙ୍କା ଫିକ୍ସ ଡିପୋଜିଟ କରିଥିଲେ । ଆସନ୍ତା ମାସରେ ଝିଅ ବାହାଘର ଥିବାରୁ ଟଙ୍କା ଉଠାଇବାକୁ ଯାଇ ଦେଖନ୍ତି ୧୧ ଦିନ ହେବ ପୋଷ୍ଟ ଅଫିସରେ ତାଲା ଝୁଲୁଛି । ତେବେ ଦୀର୍ଘଦିନ ହେବ ପୋଷ୍ଟ ମାଷ୍ଟର ଦୀପଙ୍କର ଦାସଙ୍କ ଘରେ ଚାଲିଥିଲା କୃଷ୍ଣନଗର ପୋଷ୍ଟ ଅଫିସ । ଏହି ପୋଷ୍ଟ ଅଫିସରେ କୃଷ୍ଣନଗର, କନକନଗର, ବାଘୁଆ ଓ ଶୈଳେନ୍ଦ୍ରନଗର ଗାଁର ୨ ହଜାରରୁ ଅଧିକ ଜମାକାରୀ ଟଙ୍କା ଜମା ରଖିଥିଲେ । ଆରଡି, ସୁକନ୍ୟା ସମୃଦ୍ଧି, ସଞ୍ଚୟ ଜମାଖାତା, ପୋଷ୍ଟାଲ ଲାଇଫ୍ ଇନସୁରାନ୍ସ ଓ ଫିକ୍ସ ଡ଼ିପୋଜିଟ ଆକାରରେ ଲକ୍ଷ ଲକ୍ଷ ଜମା ରଖିଛନ୍ତି । ମାତ୍ର ପୋଷ୍ଟ ମାଷ୍ଟର ଟଙ୍କା ହଡପ କରି କେଉଁ ଆଡେ ଚାଲିଯାଇଥିବାରୁ ଚିନ୍ତାରେ ପଡିଛନ୍ତି ଜମାକାରୀ ।