ରାସ୍ତା ପାର ହେବା ବେଳେ ଯୁବତୀଙ୍କ ଉପରେ ମାଡ଼ିଗଲା କ୍ରେନ୍


କଟକ: କଟକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାଇ ଆଗରେ ଚାଲିଗଲା ଭଉଣୀର ଜୀବନ । ଭାଇଭଉଣୀ ରାସ୍ତା ପାର ହେବା ବେଳେ ଭଉଣୀ ଉପରେ ମାଡ଼ିଗଲା କ୍ରେନ୍ । ଫଳରେ ଘଟଣା ସ୍ଥଳରେ ଚାଲିଗଲା ଭଉଣୀର ଜୀବନ । ଘଟଣାଟି କଟକ ରାଣୀହାଟ ମେଡ଼ିକାଲ ରୋଡରେ ଘଟିଛି । ମୃତ ଯୁବତୀ ହେଲେ ସୁଷମା ସିଂ। ତାଙ୍କ ଘର କାନ୍ଦୁଝରରେ ବୋଲି ଜଣାପଡିଛି ।

ସୂଚନା ମୁତାବକ, ସୁଷମା ତାଙ୍କ ବଡ଼ ଭାଇଙ୍କ ସହ ଏସସିବି ମେଡ଼ିକାଲ ଯାଇଥିଲେ । ମେଡିକାଲରୁ କାମ ସାରି ଘରକୁ ଯିବା ପାଇଁ ବାହାରିଥିଲେ । ଉଭୟ ମେଡ଼ିକାଲ ପଟୁ ମୋ ବସ୍ ଧରିବା ପାଇଁ ରାସ୍ତା ପାର ହେଉଥିଲେ । ଏହି ସମୟରେ ପଛପଟୁ ଏକ କ୍ରେନ ଆସି ସୁଷମାଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ମୃତ୍ୟୁ ପରେ ଘଟଣା ସ୍ଥଳରେ ଲୋକଙ୍କ ନାହିଁ ନଥିବା ଭିଡ଼ ହୋଇ ଥିଲା । ରାସ୍ତାରେ ଗାଡ଼ି ମୋଟର ଯିବା କଷ୍ଟକର ହୋଇପଡ଼ି ଥିଲ । କିଛି ସମୟ ପାଇଁ ରାସ୍ତାରେ ଗାଡି ଚଳାଚଳ ବନ୍ଦ ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା । ପୋଲିସ ଦୁର୍ଘଟଣା ଘଟାଇଥିବା କ୍ରେନ୍‌ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ।