ରାୟଗଡ଼ାରୁ କୋରାପୁଟକୁ ଡେଇଁଲା ଡିପଥେରିଆ, ଆଖି ବୁଜିଲେ ଆଉ ଜଣେ ନାବାଳକ


କୋରାପୁଟ: ରାୟଗଡ଼ା ପରେ କୋରାପୁଟରେ ଜୀବନ ନେଲା ଡିପଥେରିଆ । କୋରାପୁଟ ବନ୍ଧୁଗାଁରେ ଜଣେ ୧୦ ବର୍ଷର ବାଳକ ଏହି ରୋଗରେ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ଡିପଥେରିଆରେ ମୃତ୍ୟୁ ସଂଖ୍ୟା ୬ ରେ ପହଞ୍ଚିଛି । ପୂର୍ବରୁ ରାଜ୍ୟରେ ୫ ଜଣ ଶିଶୁ ଏହି ରୋଗରେ ମୃତ୍ୟମୁଖରେ ପଡ଼ିଥିଲେ ।  

ଜନନସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଏମକେସିଜି ମେଡିକାଲରେ ଡିପଥେରିଆରେ ଆକ୍ରାନ୍ତ ହୋଇ ୪ ଜଣ ଚିକିତ୍ସିତ ହେଉଥିଲେ । ସେମାନଙ୍କ ମଧ୍ୟରୁ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ମେଡିକାଲ ଅଧୀକ୍ଷକ ଡାକ୍ତର ସୁଚିତ୍ର ଦାସ ସୂଚନା ଦେଇଛନ୍ତି । 

ଚିନ୍ତାର ବିଷୟ ହେଲା ଓଡ଼ିଶାରେ ଡିପଥେରିଆ ସଂକ୍ରମଣର ରୂପ ନେଉଛି । ରାୟଗଡ଼ା କାଶୀପୁର ବ୍ଲକ୍ ମୁନୁଷପଦରରୁ ଆରମ୍ଭ ହୋଇଥିବା ଏ ସଂକ୍ରମଣ ଏବେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି।

ଡିପଥେରିଆ ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଗତକାଲିଠୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଆରମ୍ଭ ହେବ ବୁଷ୍ଟର ଡୋଜ୍ ଟିକାକରଣ । ୧ ବର୍ଷରୁ କମ୍ ବୟସର ଶିଶୁଙ୍କୁ ପେଣ୍ଟା ଡୋଜ୍ ଓ ୫ ବର୍ଷରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଟିକା ଦିଆଯିବ । ଡିପଥେରିଆ ରାୟଗଡ଼ା ଡେଇଁ କୋରାପୁଟ ଓ କଳାହାଣ୍ଡିକୁ ବ୍ୟାପିବା ପରେ ଚିନ୍ତା ବଢ଼ିଛି । ସଂକ୍ରମିତ ଅଞ୍ଚଳବାସୀଙ୍କୁ ମାସ୍କ ପିନ୍ଧିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି । ଏହି ରୋଗରେ ଏଯାବତ ୨୧ ସନ୍ଦିଗ୍ଧ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ବେଳେ ସେମାନେ ଚିକିତ୍ସିତ ହେଉଛନ୍ତି । ଏବେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ ଲୋକଙ୍କ ମନରେ ଶଙ୍କା ସୃଷ୍ଟି ହୋଇଛି ।