୨୨ରେ ଦେବସ୍ନାନ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ପ୍ରବେଶ କଲେ ଦଇତା ସେବକ


ପୁରୀ: ପାଖେଇ ଆସୁଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଆଉ ଦିନ ପରେ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା । ଆଜିଠାରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହେବ । ତେଣୁ ଆଜି ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦଇତା ସେବକ ପ୍ରବେଶ କରିଛନ୍ତି । ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ସମ୍ପାଦନ ହୋଇଥାଏ ।

ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ହୋଇଥିବା ବେଳେ ବଡ଼ସିଂହାର ବେଶ ପରେ ଭୋଗ ହୋଇ ପହୁଡ଼ ଆଳତି ହେବ । ଏହାପରେ ଶ୍ରୀମୁଖ ଖଣ୍ଡୁଆ ଓ ବାହୁଟ କଣ୍ଟା ସରିବା ପରେ ହେବ ଚାର ବନ୍ଧା କାର୍ଯ୍ୟ । ଦିନ ଗୋଟାଏ ସୁଦ୍ଧା ସେନାପଟା ଲାଗି ନୀତି କରାଯିବ ବୋଲି କହିଛନ୍ତି ଦଇତାପତି ସେବାୟତ ।

ପରମ୍ପରା ଅନୁଯାୟୀ ଜ୍ୟୋଷ୍ଠ ଶୁଳ୍କ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ ସମୟରେ ହୋଇଥାଏ ଦଇତା ପ୍ରବେଶ ନୀତି । ସମସ୍ତ ଦଇତାପତି ଗୋଷ୍ଠୀଗତ ଭାବେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସେବକ ହେଉଛନ୍ତି ଦଇତାପତି । ନୀଳମାଧବଙ୍କୁ ପୂଜା କରୁଥିବା ବିଶ୍ୱାବସୁଙ୍କ ବଂଶଧର ଭାବେ ଦଇତାପତିଙ୍କୁ ଦିଆଯାଇଛି ଶ୍ରୀମନ୍ଦିରରେ ଗୁପ୍ତସେବା । ବର୍ଷକ ଯାକ ଶ୍ରୀମନ୍ଦିରକୁ ଦଇତାପତିମାନେ ଯାଇଥାନ୍ତି କିନ୍ତୁ ସ୍ନାନପୁଣ୍ଣିମାଠାରୁ ନିଳାଦ୍ରିବିଜେ ପର୍ଯ୍ୟନ୍ତ ଦଇତାପତିଙ୍କର ରହିଥାଏ ବିଶେଷ ସେବା । ଦଇତାପତିଙ୍କର ଶ୍ରୀମନ୍ଦିରରେ ହେଉଛି ଜନ୍ମଗତ ସେବା ।