SCB କର୍ମଚାରୀଙ୍କୁ ହତ୍ୟା ଷଡଯନ୍ତ୍ର, ୪ ସୁପାରୀ କିଲର ସମେତ ୬ ଗିରଫ


କଟକ: ଏସସିବି ସେଣ୍ଟ୍ରାଲ ଷ୍ଟୋରରେ କାର୍ଯ୍ୟରତ କର୍ମଚାରୀକୁ ଜୀବନରୁ ମାରିଦେବାକୁ ସୁପାରୀ । ମାରନାନ୍ତକ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ କର୍ମଚାରୀ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ସହଯୋଗୀ ସମେତ ୪ ସୁପାରୀ କିଲର ଗିରଫ । ହତ୍ଯା ପାଇଁ ସୁପରୀ କିଲରଙ୍କୁ ମୁଖ୍ୟ ଅଭିଯୁକ୍ତ ଦେଇଥିଲେ ୪୦ ହଜାର ଟଙ୍କା । ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ଭୟରେ ପରିବାରକୁ ନେଇ ବ୍ରହ୍ମପୁର ଚାଲିଯାଇଛନ୍ତି ସମ୍ପୃକ୍ତ କର୍ମଚାରୀ ।
ତେବେ ସ୍ବାସ୍ଥ୍ଯ ସାମଗ୍ରୀକୁ ନେଇ ଏହି ହତ୍ୟା ଷଡଯନ୍ତ୍ର କରାଯାଇଥିବା କୁହାଯାଉଛି । ସ୍ବାସ୍ଥ୍ୟ ସାମଗ୍ରୀ ଆମଦାନୀ କମିବାରୁ ଏସସିବି ମେଡିକାଲ ସେଣ୍ଟ୍ରାଲ ଷ୍ଟୋରରେ କାର୍ଯ୍ୟରତ କର୍ମଚାରୀ ବିଶ୍ଵମ୍ବର ଭୋଳଙ୍କୁ ହତ୍ୟା ପାଇଁ ସୁପାରୀ ଦିଆଯାଇଥିଲା । ଏଥିପାଇଁ ମୁଖ୍ୟ ଅଭିଯୁକ୍ତ ଦିବ୍ଯ ରଞ୍ଜନ ମହାନ୍ତି ଓ ତାଙ୍କ ଶଳା ଦିନେଶ ମହାନ୍ତି ୪ ଜଣ ସୁପାରୀ କିଲରଙ୍କୁ ଦେଇଥିଲେ ୪୦ ହଜାର ଆଡଭାନ୍ସ । ଡିଲ ମୁତାବକ ଗତ ୧୨ ତାରିଖରେ ଏସସିବି ନିକଟରେ ପହଞ୍ଚି ବିଶ୍ୱମ୍ବରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ସୁପାରୀ କିଲର । ଆକ୍ରମଣରେ ତାଙ୍କର ଗୋଡ଼ ୩ ଖଣ୍ଡ ହୋଇଯାଇଥିବା ବେଳେ ଦୁଇ ହାତରେ ଲାଗିଥିଲା ଶକ୍ତ ଆଘାତ । ଏତଲାକୁ ଭିତ୍ତିକରି ମୁଖ୍ୟ ଅଭିଯୁକ୍ତ ତାର ସହଯୋଗୀ ସମେତ ୪ଜଣ ସୁପାରୀ କିଲରକୁ ଗିରଫ କରିଛି ପୋଲିସ୍ ।
ଏସସିବି ବଡ଼ ମେଡିକାଲ ସେଣ୍ଟ୍ରାଲ ଷ୍ଟୋରକୁ ହୃଦରୋଗ ପାଇଁ ବ୍ୟବହୃତ ଷ୍ଟେଣ୍ଟ ଓ ବେଲୁନ ଯୋଗାଣକୁ ନେଇ ଶତ୍ରୁତାର ସୂତ୍ରପାତ ହୋଇଥିଲା । ମେଡିକାଲ କାଠଗୋଲା ରୋଡ଼ରେ ଥିବା ଦିବ୍ୟତେଜ ଫାର୍ମା ଏସସିବିକୁ ମେଟ୍ରୋନିକ୍ସ କମ୍ପାନୀ ସମେତ ୩ଟି କମ୍ପାନୀର ଷ୍ଟେଣ୍ଟ ବେଲୁନ ଆଦି ଯୋଗାଣ ପାଇଁ ଟେଣ୍ଡର ପାଇଥିଲା । ତେବେ ଗତ କିଛିମାସ ହେବ ମେଟ୍ରୋନିକ୍ସର ସରଞ୍ଜାମ ଯୋଗାଣ ଅର୍ଡର ଅପେକ୍ଷାକୃତ କମ ଆସୁଥିଲା । ଏଥିପାଇଁ ଷ୍ଟୋର ଫାର୍ମାସିଷ୍ଟ ବିଶ୍ୱମ୍ବର ଭୋଳଙ୍କୁ ଟାର୍ଗେଟ କରିଥିଲେ ଦିବ୍ଯରଞ୍ଜନ । ତାଙ୍କୁ ରାସ୍ତାରୁ ସବୁଦିନ ପାଇଁ ହଟାଇ ଦେବାକୁ କରିଥିଲେ ମାଷ୍ଟର ପ୍ଲାନ । ଶଳାକୁ ନେଇ ସୁପାରୀ କିଲର ରଞ୍ଜନ ବେହେରା, ମୁନା ମାଇକେଲ ଓରଫ ଅବିନାଶ ମହାରଣା, ଚନ୍ଦନ ସେନାପତି, ବି. ସାମାଲୁଙ୍କୁ ଆଡଭାନ୍ସ ୪୦ ହଜାର ଟଙ୍କା ଦେଇଥିଲେ । ସେପଟେ ଘଟଣା ପରେ ବିଶ୍ୱମ୍ବରର ଆହତ ଅବସ୍ଥାରେ ଭୟଭୀତ ହୋଇ ବ୍ରହ୍ମପୁର ଚାଲି ଯାଇଛନ୍ତି ।