Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୃତ ଯୁବତୀଙ୍କୁ ମଶାଣିକୁ ନେଉଛନ୍ତି ସାମ୍ବାଦିକ, ପୋଲିସ ଅଧିକାରୀ

ଧର୍ମଗଡ଼: ଭିନ୍ନ ଜାତିରେ ପ୍ରେମ କରିବା ଯୁବତୀଙ୍କ ପାଇଁ ଅଭିଶାପ ହେଲା । ଜୀବନ ଗଲା ସିନା ପରିବାର ଲୋକଙ୍କ କାନ୍ଧ ମିଳିଳା ନାହିଁ। ଭିନ୍ନ ଜାତିରେ ପ୍ରେମ କରିଥିବାରୁ ପରିବାର କିମ୍ବା ଜାତିଭାଇ କେହି କାନ୍ଧ ଦେବାକୁ ଆସିଲେନାହିଁ। ଯାହାକୁ ପ୍ରେମ କରି ଜୀବନ ଦେଲା ସେ ବି ଶେଷରେ ମୁହଁ ମୋଡିଦେଲା । ଦୀର୍ଘ ୧୮ ଘଣ୍ଟା କାଳ ଅଭିଯୁକ୍ତ ଯୁବକଙ୍କ ଘର ସଂଲଗ୍ନ ରାସ୍ତା କଡ଼ରେ ଅବହେଳିତ ଅବସ୍ଥାରେ ପଡ଼ି ରହିଥିଲା ଶବ । ଶେଷରେ ସ୍ଥାନୀୟ ସାମ୍ବାଦିକ ଓ ସ୍ଵେଚ୍ଛାସେବୀଙ୍କ ହସ୍ତକ୍ଷେପ ପରେ ଶବ ପୋଲିସ ସହାୟତାରେ ଶବ ସତ୍କାର ହୋଇଥିଲା। ବେହେରା ପଞ୍ଚାୟତ ନୁନପାଣି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ନୁନପାଣି ଗ୍ରାମର ପ୍ରେମ ପ୍ରତାରିତା ଯୁବତୀଙ୍କ ମୃତ୍ୟୁ ଘଟଣା ମଙ୍ଗଳବାର ସକାଳେ ଭିନ୍ନ ମୋଡ଼ ନେଇଥିଲା। ସାମାଜିକ ବାସନ୍ଦ ଭୟରେ ଗ୍ରାମର ଜଣେ ବି ବ୍ୟକ୍ତି ଶବ ସତ୍କାର ପାଇଁ ବାହାରିଲେ ନାହିଁ। ଶବ ସତ୍କାର ନେଇ ଏକ ପ୍ରକାର ଅଚଳାବସ୍ଥା ଦେଖିବାକୁ ମିଳିଥିଲା। ଶେଷରେ ସେଠାରେ ଉପସ୍ଥିତ ଥିବା ସାମ୍ବାଦିକ ଲକ୍ଷ ଜ୍ୟୋତି ଜାଲ, ସାମ୍ବାଦିକ ଶୋଭିତ ଗାନ୍ଧୀ, ସାମ୍ବାଦିକ ସୁଧିର ଗୋପାଳ, ସାମ୍ବାଦିକ ସୁବାସ ବାଗ, ସାମ୍ବାଦିକ ବାଳକୃଷ୍ଣ ନାଏକ,ସାମ୍ବାଦିକ ଦିଲ୍ଲୀପ ଦୁରିଆ ସମେତ ସଭାପତି ଭବେଶ ଗଇନ୍ତା , ସମାଜସେବୀ ଚିତ୍ତ ପୁଝାରୀ, ପିଣ୍ଟୁ ତିଓ୍ଵାରୀ, କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା,ଏସ ଆଇ ପାତ୍ର ବାବୁ, ବେହେରା ନାଏବ ସରପଞ୍ଚ ପ୍ରମୁଖ ଶବ ସତ୍କାର ପାଇଁ ଘର ଘର ବୁଲି କାଠ ସଂଗ୍ରହ କରି ଦୁଇ କିମି ଦୂରରେ ଥିବା ଗାଁ ମଶାଣିକୁ କୋକେଇରେ ବୋହି ନେଇଥିଲେ ଏବଂ ସେଠାରେ ସଂପୂର୍ଣ୍ଣ ମର୍ଯ୍ୟାଦାର ସହ ଶବ ସତ୍କାର କରିଥିଲେ। ସୁଚନା ଯୋଗ୍ୟ ଯେ ଧର୍ମଗଡ଼ ବ୍ଲକ ବେହେରା ପଞ୍ଚାୟତ ନୁନପାଣି ଗ୍ରାମରେ ଜନୈକା ଯୁବତୀଙ୍କ ମୃତ୍ୟୁକୁ ନେଇ ଗତକାଲି ରାତିରୁ ଉତ୍ତେଜନା ଦେଖାଦେଇଥିଲା। ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଜନୈକ ଯୁବକ ତାଙ୍କୁ ବିଷ ପାନ କରି ମରିଯିବାକୁ ପ୍ରରୋଚିତ କରିଥିବା ଅଭିଯୋଗରେ ମୃତ ଯୁବତୀଙ୍କ ପରିବାର ଲୋକେ ଯୁବକଙ୍କ ଗିରଫ ଦାବିରେ ଯୁବକଙ୍କ ଘର ଆଗରେ ଶବ ରଖି ପ୍ରତିବାଦ କରିଥିଲେ । ଗତକାଲି ପୋଲିସ ରାତି ୧ଟାରେ ଅଭିଯୁକ୍ତ ଯୁବକ ସମିରଙ୍କୁ ଗିରଫ କରିବା ନେଇ ସୁଚନା ଦେଇଥିଲା। ତେଣୁ ମଙ୍ଗଳବାର ସ୍ଥିତି ସ୍ଵାଭାବିକ ହେବା ସହ ମୃତକଙ୍କ ପରିବାର ଲୋକେ ଶବ ନେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ମଙ୍ଗଳବାର ତା’ର ଓଲଟା ଦେଖିବାକୁ ମିଳିଥିଲା। ଯୁବତୀଙ୍କ ପରିବାର ଲୋକେ ମଙ୍ଗଳବାର ସକାଳେ ଶବ ଉଠେଇବାକୁ ରାଜି ହୋଇନଥିଲେ।। ଦିନ ୧୧ଟା ବେଳେ ସାମ୍ବାଦିକମାନେ ଘଟଣାରେ ହସ୍ତକ୍ଷେପ କରି ମାନବିକତା ପ୍ରଦର୍ଶନ ପୂର୍ବକ ନିଜ କାନ୍ଧରେ ନେଇ ଶବ ସତ୍କାର କରିଥିଲେ। ଖୋଦ କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା ଓ ଏସ ଆଇ ହେମନ୍ତ କୁମାର ପାତ୍ର ଶବ ବୋହି ଚାଲିଥିଲେ। ଶବ ସତ୍କାର ସମୟରେ ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବରିହା ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ