Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ଦିଲ୍ଲୀ ଯିବେ ମୋହନ ମାଝୀ, ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଆଜି ପ୍ରଥମ ଥର ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହ ଦୁଇ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଦିଲ୍ଲୀ ଗସ୍ତ କରିବେ । ଓଡିଶାରେ ନିର୍ବାଚନ ଜିତି କ୍ଷମତାକୁ ଆସିବା ପରେ ରାଜ୍ୟ ସରକାରଙ୍କ ବଡ ଦାୟିତ୍ୱ ନିର୍ବାଚନ ପ୍ରତିଶ୍ରୁତି କେମିତି ପାଳନ କରିବା । ଏହା ସହିତ ୧୦୦ ଦିନର ରୋଡ ମ୍ୟାପ୍ କେମିତି ରହିବ ତାହା ଗୁରୁତ୍ୱପୂର୍ଣ୍ଣ ।

ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଆଜି ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସାକ୍ଷାତ କରିବେ । ଏଥିସହ ବିଜେପିର କିଛି ଶୀର୍ଷ ନେତୃତ୍ୱଙ୍କୁ ମଧ୍ୟ ଭେଟିବାର କାର‌୍ୟ୍ୟକ୍ରମ ରହିଥିବା ଜଣାଯାଇଛି। ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବାକୁ ବିଜେପି ନିଜ ନିର୍ବାଚନୀ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଇଥିଲା। ଦେଶ ସହିତ ରାଜ୍ୟରେ ଏବେ ବିଜେପିର ଡବଲ ଇଞ୍ଜିନ ସରକାର। ତେଣୁ ଓଡ଼ିଶାବାସୀଙ୍କ ଦିଆଯାଇଥିବା ପ୍ରତିଶ୍ରୁତି କିପରି ପାଳନ କରାଯିବ ତାହା ଉପରେ ବିସ୍ତୃତ ଭାବେ ଦଳର ଶୀର୍ଷ ନେତୃବୃନ୍ଦ ଆଲୋଚନା କରିବେ ବୋଲି ଜଣାଯାଇଛି।

ଏଥିହ ରାଜ୍ୟ ପାଇଁ ଆଗାମୀ ଶହେ ଦିନର ରୋଡ ମ୍ୟାପ୍ ମଧ୍ୟ ପ୍ରସ୍ତୁତ କରାଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏନେଇ ମୋହନ ମାଝୀ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇନି।