କ’ଣ ବିଜେଡି ଏବେ ସମଦୂରତା ନିୟମ ମାନିବ ନା ଇଣ୍ଡି ମେଣ୍ଟ ଆଡକୁ ଢଳିବ ?


ଭୁବନେଶ୍ୱର: ଓଡିଶାରେ କ୍ଷମତାରେ ଥିବା ବେଳେ କେନ୍ଦ୍ର ରାଜନୀତିରେ ସର୍ବଦା ସମ ଦୂରତା କଥା କହି ଆସିଛି ବିଜୁ ଜନତା ଦଳ । ନିର୍ବାଚନ ହାରିବା ପରେ ଏବେ କଣ ରହିବ ଦଳର ଆଭିମୁଖ୍ୟ ସମଦୂରତା ନୀତି ଆପଣେଇବେ ନା ଇଣ୍ଡିଆ ମେଣ୍ଟ ନା ଏନଡିଏର ଶରଣରେ ଯିବେ । ସମଦୂରତା ଭୁଲି କଣ ସମମିତ୍ରତା ଆପଣେଇବ ଦଳ । ଏମିତି ଚର୍ଚ୍ଚା ଜୋର ଧରିଛି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ନିକଟରେ ଦଳୀୟ ନେତା ଓ କର୍ମୀଙ୍କ ବୈଠକ ଡକାଇ ଆଗାମୀ ରଣନୀତି ବିଷୟରେ ଆଲୋଚନା କରିଛନ୍ତି ।

ବୈଠକ ସରିବା ପରେ ନବୀନ କର୍ମୀମାନଙ୍କୁ ବାର୍ତ୍ତା ଦେବା ସହ ରାଜ୍ୟରେ ବିଜେପି ସରକାରର ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି କେନ୍ଦ୍ରରେ ବିଜେପିର ନିଜସ୍ୱ ବହୁମତ ନାହିଁ । ଏନଡିଏର ଝୁଲା ସରକାର ଚାଲିଛି । ବିଜେପି ନିକଟରେ ସଂଖ୍ୟା ଗରିଷ୍ଠତା ନାହିଁ । ତେଣୁ ଏମିତି ସ୍ଥିତିରେ ଆମକୁ ଏକାଠି ହୋଇ କାମ କରିବାକୁ ପଡିବ ବୋଲି କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ।

୨୪ ତାରିଖ ବିଜେପିର ରାଜ୍ୟସଭା ସାଂସଦଙ୍କ ବୈଠକ ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆଉ ନରମ ନୁହେଁ ସଂସଦରେ କଠୋର ଆଭିମୁଖ୍ୟ ଗ୍ରହଣ କରିବ ବିଜେଡି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ରାଜ୍ୟସଭା ସାଂସଦଙ୍କ ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି ।

ବୈଠକ ପରେ ବିଜେଡି ରାଜ୍ୟସଭା ସାଂସଦ ପ୍ରତିକ୍ରିୟା ଦେଇ କହିଛନ୍ତି, ବିରୋଧୀ ଦଳ ଭୂମିକାରେ ବସିବ ବିଜେଡି ଏବଂ କଠୋର ଆଭିମୁଖ୍ୟ ଗ୍ରହଣ କରିବ । ଆବଶ୍ୟକ ପଡିଲେ ଗୃହର ମଧ୍ୟଭାଗକୁ ଓହ୍ଲାଇ ପ୍ରତିବାଦ କରିବ । ରାଜ୍ୟର ସ୍ୱାର୍ଥ ପାଇଁ ଲଢେଇ ଜୋରଦାର କରିବ ବିଜେଡି । ସଂସଦରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୁବକ, ଚାଷୀ, ମହିଳାଙ୍କ ଅଧିକାରକୁ ଉଠାଯିବ । ଲୋକସଭାରେ ଦଳର ଅନୁପସ୍ଥିତିକୁ ରାଜ୍ୟସଭାରେ ପୂରଣ କରାଯିବ । ସଂସଦରେ ଲଢେଇ ଆରପାର ହେବ ବୋଲି ବିଜେଡି ସଙ୍କେତ ଦେଇଛି ।

ଏହା ପଛର କାରଣ ଦଳ ଓଡିଶାରେ କ୍ଷମତାରୁ ବେଦଖଲ ହୋଇଛି । ଲୋକସଭାରେ ଖାତା ମଧ୍ୟ ଖୋଲି ପାରି ନାହିଁ । ତେଣୁ ରାଜ୍ୟସଭାର ସାଂସଦକୁ ନେଇ କେନ୍ଦ୍ର ରାଜନୀତିରେ ସ୍ୱର ଶାଣିତ କରି ବିଜେଡି ଏବେ ମଧ୍ୟ ରାଜ୍ୟବାସୀଙ୍କ ରହିଛି ବୋଲି ଓଡିଶାବାସୀଙ୍କୁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ନବୀନ।ସେପଟେ ରାଜ୍ୟ କଂଗ୍ରେସ କହୁଛି ନବୀନ ପଟ୍ଟନାୟକ ଜଣେ ପୋଖତ ରାଜନେତା । ସେ ସବୁ ପରିସ୍ଥିତି ଏବଂ ଆଗକୁ ଦେଖି ନିଷ୍ପତ୍ତି ନିଅନ୍ତି । କିଛି ସୂଚନା ନ ଥିଲେ କିଛି ବିଚାର ନ ଥିଲେ ଏମିତି ଦମ୍ଭୋକ୍ତି ପ୍ରକାଶ କରି ନ ଥାନ୍ତେ ଯେ, ରାଜ୍ୟରେ ଓ କେନ୍ଦ୍ରରେ ସରକାର ଦୁର୍ବଳ ସ୍ଥିତିରେ ରହିଛି ।

ବିଜେପି କହିଛି ଯେତେବେଳେ ଲୋକସଭାରେ ବିଜେଡିର ୧୨ ସାଂସଦ ଥିଲେ, ସେହି ସମୟରେ କେହି ପାଟି ଖୋଲୁ ନ ଥିଲେ । ଓଡିଶାର ସ୍ୱାର୍ଥ ପାଇଁ ଗୃହରେ କେହି କହିବାର ମଧ୍ୟ ଦେଖିବାକୁ ମିଳିନି । କହିବା ଏବଂ କାମ କରିବାରେ ବହୁତ ଫରକ ରହିଛି । ଆଜି ସେମାନେ ଲୋକସଭାରେ ଶୂନ । କ୍ଷମତାରେ ଥିବା ବେଳେ ସାମଗ୍ରିକ ବିକାଶ ତ କରି ପାରିଲେନି । ଆଉ ଯାହା କହୁଛନ୍ତି ତାହା କେବଳ ଏକ ଆସ୍ଫାଳନ ।

ଏହି ବିଜେଡି ଦଳ କଂଗ୍ରେସ ଯେତେବେଳେ କେନ୍ଦ୍ରରେ କ୍ଷମତାରେ ଥିଲା ସେହି ସମୟରେ ମଧ୍ୟ କଂଗ୍ରେସକୁ ସମର୍ଥନ କରୁଥିଲା । ୨୦୧୪ରେ ବିଜେପି କ୍ଷମତାକୁ ଆସିବା ପରେ ବିଜେପି ପ୍ରତି ଅହେତୁକ ସମର୍ଥନ ଦେଇ ଆସିଥିଲା ବିଜେଡି । କେନ୍ଦ୍ର ସରକାରଙ୍କ ସହ ଘନିଷ୍ଠ ସଂପର୍କ ରଖି ଆସିଥିଲା । ପ୍ରତିଟି ବିଧେୟକରେ ଦଳ ସମର୍ଥନ କରି ଆସିଥିଲା । ସେ ରାଷ୍ଟ୍ରପତି ନିର୍ବାଚନ ହେଉ କି ବାଚସ୍ପତି ଅବା ଉପ ରାଷ୍ଟ୍ରପତି ନିର୍ବାଚନ ପ୍ରତିଟିରେ ଦଳ ବିଜେପିକୁ ସମର୍ଥନ କରି ଆସିଥିଲା ।

ଯେତେବେଳେ ବିଦ୍ରୋହୀ ଦଳଗୁଡିକ ନବୀନଙ୍କ ସହଯୋଗ ଲୋଡିଥିଲେ ସେହିସ ମୟରେ ବିରୋଧୀ ମେଣ୍ଟକୁ ସମର୍ଥନ ଦେବାକୁ ରାଜି ହୋଇ ନ ଥିଲା ବିଜେଡି । ସେହି ସମୟରେ ସମଦୂରତା କଥା କହି ନବୀନ ପ୍ରସ୍ତାବକୁ ଏଡାଇ ଦେଇଥିଲେ । କିନ୍ତୁ ଏବେ ରାଜନୈତିକ ସମୀକରଣ ବଦଳିଛି । ୨୪ ବର୍ଷ ପରେ ହାତରୁ କ୍ଷମତା ଚାଲିଯିବା ପରେ ଏବେ ବାଧ୍ୟବାଧକତାରେ ବିଜେଡି ସଂସଦରେ ବିରୋଧୀ ଦଳ ଭୂମିକା ନିର୍ବାହ କରିବାକୁ ଯାଉଛି । ଏବେ ସମଦୂରତା ନିୟମ ରକ୍ଷା କରିବା ନା ଦିଲ୍ଲୀରେ ସ୍ଥିତି ବଞ୍ଚାଇ ରଖିବା ପାଇଁ ବିରୋଧୀ ମେଣ୍ଟ ଆଡକୁ ଢଳିବ ତାହା ବଡ ପ୍ରଶ୍ନ ।

ସୂଚନାଯୋଗ୍ୟ, ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଲୋକସଭାରେ ମୂଳପୋଛ ହୋଇ ଯାଇଛି । ଓଡିଶାର ୨୧ ସିଟରୁ ଦଳ ଗୋଟିଏ ବି ଜିତି ପାରି ନାହିଁ । ଏବେ ଦଳ କେବଳ ସଂସଦର ଉଚ୍ଚସଦନ ରାଜ୍ୟସଭାରେ ନିଜର ସ୍ଥିତି ଜାହିର କରିବ । ସେହିପରି ବିଧାନସଭାରେ ଦଳ ୫୧ ସିଟ୍ ଜିତି ନିର୍ବାଚନ ହାରିଛି । ବିଜେପି ୭୮ ସିଟ୍ ଜିତି ପ୍ରଥମ ଥର ସରକାର ଗଢିଛି ।