Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନୋଜ ଆହୁଜା ହେଲେ ରାଜ୍ୟର ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ମନୋଜ ଆହୁଜା ହୋଇଛନ୍ତି ରାଜ୍ୟର ନୂଆ ସଚିବ। ତାଙ୍କ ନାଁ ଉପରେ  ଆଜି ମୋହର ମାରିଛନ୍ତି ମୋହନ ମାଝୀ ସରକାର। ବର୍ତ୍ତମାନ ମୁଖ୍ୟ ସଚିବ ଥିବା ପ୍ରଦୀପ ଜେନାଙ୍କଠୁ ସେ ଦାୟିତ୍ଵ ଗ୍ରହଣ କରିବେ। ଜେନାଙ୍କ  ଜୁନ ୩୦ରେ କାର୍ଯ୍ୟକାଳ ସରିବାକୁ ଯାଉଛି ।  ଆଇଏଏସ ଅଫିସର ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ଏହି ଗୁରୁ ଦାୟିତ୍ଵ ଦେଇଛନ୍ତି। ଏ ନେଇ ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରିଥିଲେ ସୁଦ୍ଧା ପୂର୍ବର ବିଜେଡି ସରକାର ତାଙ୍କର ଅବଧିକୁ ୬ ମାସ ବଢାଇଥିଲେ, ଯାହା ଜୁନ ୩୦ରେ ସରୁଛି । ଆଉ ତାଙ୍କ ସ୍ଥାନ ନେଇଛନ୍ତି ମନୋଜ ଆହୁଜା । ଆହୁଜା ହେଉଛନ୍ତି ୧୯୯୦ ବ୍ୟାଚର ଓଡିଶା କ୍ୟାଡରର ଆଇଏଏସ ଅଫିସର । ବର୍ତ୍ତମାନ ସେ କେନ୍ଦ୍ରରେ କୃଷି ମନ୍ତ୍ରଣାଳୟରେ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି ।

ଆହୁଜା ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ କାମ ସରି ସାରିଛନ୍ତି । ସେ କେନ୍ଦ୍ର ସରକାରଙ୍କ ସାଧାରଣ ଅଭିଯୋଗ ଓ ପ୍ରଶିକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି । ଏହା ସହିତ ଓଡିଶାର ଇସ୍ପାତ ଓ ଖଣି, କ୍ରୀଡା ଓ ଯୁବ ବ୍ୟାପାର ବିଭାଗର କମିଶନର ଏବଂ ସଚିବ ଭାବେ କାମ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟରେ ସେ ସିବିଏସଇର ଚେୟାରମ୍ୟାନ ଭାବେ ମଧ୍ୟ କାମ କରିଛନ୍ତି ।

ସୂଚନାଯୋଗ୍ୟମ, ତାଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଥିଲେ। ଯାହାକୁ କେନ୍ଦ୍ର ସରକାର ଗ୍ରହଣ କରିଥିଲେ। ଗତ ମଙ୍ଗଳବାର କ୍ୟାବିନେଟ୍ ନିଯୁକ୍ତି ସଂକ୍ରାନ୍ତୀୟ କମିଟି ତାଙ୍କୁ ଓଡିଶା ଫେରିବା ପାଇଁ ଅନୁମତି ଦେଇଥିଲେ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆଉ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହନ କରିବେ ମନୋଜ ଆହୁଜା।

ଆହୁଜା ପଟିଆଲାର ଥାପର ଇନଷ୍ଟିଚ୍ୟୁଟ୍ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରୁ ବି.ଇ(ମେକାନିକଲ)ରେ ଡିଗ୍ରୀ ହାସଲ କରିଛନ୍ତି। ଚଣ୍ଡିଗଡ଼ର ପଞ୍ଜାବ ୟୁନିର୍ଭସିଟିରୁ ଏମବିଏ ଓ ଆମେରିକାର ହାଭାର୍ଡ ୟୁନିଭର୍ସିଟିରୁ ସାଧାରଣ ପ୍ରଶାସନ(ଅନ୍ତର୍ଜାତୀୟ ବିକାଶ)ରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି।