ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ର ଠାରେ ଶ୍ରୀ ଜୀଉ ଙ୍କ ରଥଯାତ୍ରା ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ନିମନ୍ତେ ଉପ-ଜିଲ୍ଲାପାଳ ବୀରମହାରାଜପୁର ଶ୍ରୀ ଲଲାଟେନ୍ଦୁ ସି ଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଐତିହାସିକ ତଥା ପୌରାଣିକ ପୃଷ୍ଠଭୂମି ସହ ଜଡିତ ଏହି ପବିତ୍ର ପାବନ ପାତାଳି ଶ୍ରୀକ୍ଷେତ୍ର ସ୍ଥିତ ଶ୍ରୀ ଜୀଉଙ୍କ ରଥଯାତ୍ରା ଆସନ୍ତା ମାସ ୦୭ ତାରିଖରେ ଅନୁଷ୍ଠିତ ହେବ l ଏହି ପରିପ୍ରେକ୍ଷୀରେ ଭୋର ୫ ଘଟିକା ରେ ନେତ୍ରୋତ୍ସବ ଓ ପ୍ରତିଷ୍ଠା କାର୍ଯ୍ୟକ୍ରମ, ସକାଳ ୮ ଘଟିକା ରେ ଠାକୁରଙ୍କୁ ବେଶ ଲାଗି , ସକାଳ ୯ ଘଟିକାରେ ଖେଚୁଡ଼ି ଭୋଗ ଓ ପୁଜା ନୀତି , ପୂର୍ବାହ୍ନ ୧୧ ଘଟିକାରେ ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୧ ଘଟିକାରେ ଛେରା ପହରା ଏବଂ ଅପରାହ୍ନ ୨ ଘଟିକା ସମୟ ରେ ରଥ ଟଣା ହେବ l ଚଳିତ ବର୍ଷ ଜନସମାଗମ କୁ ଦୃଷ୍ଟି ରେ ରଖି ଜୀଉ ଙ୍କ ରଥଯାତ୍ରା କୁ ଶାନ୍ତି ଶୃଙ୍ଖଳା ତଥା ସମସ୍ତଙ୍କ ସହଯୋଗ ରେ ପାଳନ କରିବା ଉପରେ ବିଶେଷ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା l ମଙ୍ଗଳବାର ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ବୀରମହାରାଜପୁର ବୈଠକ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଚଳିତ ରଥଯାତ୍ରା କୁ ଯେପରି ସରସ ସୁନ୍ଦର ତଥା ବ୍ୟବସ୍ଥିତ ଭାବରେ ଅନୁଷ୍ଠିତ କରାଯାଇପାରିବ ସେଥିପାଇଁ ଉପସ୍ଥିତ ସମସ୍ତ ଟ୍ରଷ୍ଟ କମିଟି ସଦସ୍ୟ , ବିଭିନ୍ନ ବିଭାଗୀୟ ଅଧିକାରୀ , ସେବାୟତ , ବୁଦ୍ଧିଜୀବୀ ଙ୍କ ମତାମତ ଆହ୍ୱାନ କରିଥିଲେ l ଏହି ପରିପ୍ରେକ୍ଷୀରେ ଶ୍ରୀଜୀଉ ଙ୍କ ରଥ ର ସ୍ଥିତି ଉପରେ ଆଲୋଚନା ହୋଇଥିବା ବେଳେ ରଥଯାତ୍ରା ଠାରୁ ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ ଠାକୁରଙ୍କ ବିଭିନ୍ନ ନୀତିକାନ୍ତି ସହ ସମୟ ନିର୍ଘଣ୍ଟ ଉପରେ ବୈଠକରେ ଆଲୋଚନା କରାଯାଇଥିଲା l ସମୟ ପୂର୍ବରୁ ସମସ୍ତ ରଥର ପ୍ରସ୍ତୁତି କୁ ସୁନିଶ୍ଚିତ କରାଯିବ ଉପରେ ନିଷ୍ପତି ଗ୍ରହଣ କରାଗଲା l ରଥର ଆବଶ୍ୟକ ମରାମତି ନିମନ୍ତେ ବନବିଭାଗ ଆବଶ୍ୟକ ସହଯୋଗ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି l ରଥଯାତ୍ରା ଦିନ ସହିତ ଅନ୍ୟାନ୍ୟ ଦିନଗୁଡ଼ିକରେ ମଧ୍ୟ ଜନ ସମାଗମ କୁ ଦୃଷ୍ଟିରେ ରଖି ଆବଶ୍ୟକ ଗାଡି ପାର୍କିଙ୍ଗ , ସ୍ଥାନ ନିରୂପଣ , ଜରୁରୀ ସ୍ୱାସ୍ଥ୍ୟ ସେବା ନିମନ୍ତେ ଅସ୍ଥାୟୀ ସ୍ୱାସ୍ଥ୍ୟ ସେବାକେନ୍ଦ୍ର ସହ ଆମୁଲେନ୍ସ ର ବ୍ୟବସ୍ଥା , ଅଗ୍ନିସମ ସେବା ଉପଲବ୍ଧ, ପାନୀୟ ଜଳ ବ୍ୟବସ୍ଥା , ଆଇନ ଶୃଙ୍ଖଳା କୁ ସୁନିଶ୍ଚିତ କରିବାକୁ ଅଧ୍ୟକ୍ଷ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି l ଟ୍ରାଫିକ ସମସ୍ୟା ଦିଗରେ ବିଶେଷ ଯତ୍ନବାନ ହେବାକୁ ପୋଲିସ ବିଭାଗକୁ ବୈଠକରେ ଅନୁରୋଧ କରାଯାଇଛି l ଜନସାଧାରଣ ତଥା ଭକ୍ତ, ଶ୍ରଦ୍ଧାଳୁଙ୍କ ସୁବିଧା ଓ ଅବାଧ ଚଳପ୍ରଚଳ ନିମନ୍ତେ ବିଶେଷ ବ୍ୟବସ୍ଥା ସ୍ୱରୂପ ମୁଖ୍ୟ ପ୍ରବେଶ ଦ୍ୱାରରୁ ସମସ୍ତ ଯାନ ବାହନ ନିୟନ୍ତ୍ରଣ କରାଯିବ l ଯାତ୍ରୀ ଙ୍କ ସୁବିଧା ଦୃଷ୍ଟିରୁ ସମସ୍ତ ଚାରି ଚକିଆ ଯାନ ଡାକ୍ତରଖାନା ପାଖ ଖେଳ ପଡିଆରେ ରହିବ l ସେହିପରି ଦୁଇ ଚକିଆ ଯାନ ଉଲୁଣ୍ଡା ରାସ୍ତା ବାଏ ପାସ୍ ଦେଇ ନିର୍ଦ୍ଧାରିତ ପାର୍କିଙ୍ଗ ସ୍ଥାନରେ ରହିବ l ପୁନଶ୍ଚ ରାସ୍ତା ସହ ଯାତ୍ରା ପଡିଆ , ମନ୍ଦିର ସଂଲଗ୍ନ ଅଞ୍ଚଳ ରେ ପରିମଳ ବ୍ୟବସ୍ଥା କୁ ନିଶ୍ଚିତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି l ରଥଯାତ୍ରା ଦିନ ଠାରୁ ବାହୁଡା଼ ଦିନ ପର୍ଯ୍ୟନ୍ତ ପ୍ରତ୍ୟକ ଶ୍ରୀଜୀଉଙ୍କ ଦଶ ଅବତାର ବେଶ ଲାଗି ଅନୁଷ୍ଠିତ ହେବ l ରଥଯାତ୍ରା ନିମନ୍ତେ ବିଶେଷ ନିୟୋଗୀ ବୃନ୍ଦ ନିଜ ନିଜର ଦାୟିତ୍ୱ ସୁସମ୍ପାଦନ କରିବାକୁ ବୈଠକରେ ଅନୁରୋଧ କରାଯାଇଛି l ରଥଯାତ୍ରା ପୂର୍ବରୁ ମନ୍ଦିର ଗୁଡିକରେ ଆବଶ୍ୟକ ରଙ୍ଗ ଲଗାଇବା ସହ ମରାମତି ପ୍ରଭୁତି କାର୍ଯ୍ୟକୁ ନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା l ରଥଯାତ୍ରା ଓ ବାହୁଡା଼ ଦିନ ସହ ଅନ୍ୟାନ୍ୟ ନୀତିକାନ୍ତି ଦିନଗୁଡ଼ିକରେ ଶାନ୍ତି ଶୃଙ୍ଖଳା , ଆଲୋକୀକରଣ , ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଶ୍ରୀ ଜିଉଁଙ୍କ ନୀତି କାନ୍ତି କୁ ଵିଧି ମୁତାବକ ସମ୍ପାଦନ କରିବା ଉପରେ ବିଭିନ୍ନ ସମ୍ପୃକ୍ତ ଅଧିକାରୀ , ସେବାୟତ ମୁଖ୍ୟ , ପୂଜକ , ତଥା କମିଟି ସଦସ୍ୟ ସଦସ୍ୟା ପ୍ରଭୁତି ନିଜ ନିଜର ଦାୟିତ୍ୱ କୁ ସୁ ସମ୍ପାଦନ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି l ଏହି ବୈଠକରେ ବୀରମହାରାଜପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାସୁଦେବ ଛତ୍ରିଆ , ସ୍ୱାସ୍ଥ୍ୟ ଅଧିକାରୀ ଉଲୁଣ୍ଡା ସିଏଚସି ଡ଼. ମୁକେଶ କୁମାର ମେହେର , ଏ ସି ଏଫ. ଅଭିନାଶ ବରିହା , ରେଞ୍ଜ ଅଫିସ ଫରେଷ୍ଟର ସଂଜୀବ କୁମାର ରାଉତ, ଓ ଆଇ ସି ଉଲୁଣ୍ଡା , ଦମକଳ ବାହିନୀ ର ସୁବାସ ଦେହୁରୀ , ତହସିଲଦାର ଉଲୁଣ୍ଡା ପ୍ରଶାନ୍ତ କୁମାର ମହାରଣା , ବି ଡି ଓ ଉଲୁଣ୍ଡା କରିସ୍ମା ବେସ୍ରା , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ , ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ପାତାଳି ଟ୍ରଷ୍ଟ ସମ୍ପାଦକ ଉତ୍ତର କୁମାର ପାତ୍ର , ଟ୍ରଷ୍ଟି ସଦସ୍ୟ ପୂର୍ଣଚନ୍ଦ୍ର ପାଢ଼ୀ , ଜଗଦୀଶ କର୍ଣ୍ଣ , ଅନ୍ୟାନ୍ୟ ଟ୍ରଷ୍ଟ ସଦସ୍ୟ ଓ ରଥଯାତ୍ରା କମିଟିର ସଦସ୍ୟ ସଦସ୍ୟା , ଛତିଶ ନିୟୋଗ ସେବାୟତ ମୁଖ୍ୟ , ପୂଜକ ସମାଜ, ବୁଦ୍ଧିଜୀବୀ ତଥା ସମ୍ପୃକ୍ତ ବିଭିନ୍ନ ଅଧିକାରୀ , ଅନୁଷ୍ଠାନ ର କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଟ୍ରଷ୍ଟି ସଦସ୍ୟ ଶ୍ରୀ ପାଢ଼ୀ ବୈଠକ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ l