ରତ୍ନଭଣ୍ଡାର ଖୋଲିବା ନେଇ ଗୁଜବରେ ବିଶ୍ୱାସ କରନ୍ତୁନି, କେଉଁ ଦିନ ଖୋଲିବ ୨ ଦିନ ଭିତରେ ନିଷ୍ପତ୍ତି: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ୮ ତାରିଖରେ ଖୋଲିପାରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର । ଏ ନେଇ ୫ ତାରିଖରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଜଷ୍ଟିସ ପଶାୟତଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଏ ନେଇ ନିଷ୍ପତ୍ତି ହୋଇପାରେ । ଏହାକୁ ନେଇ ବୁଧବାର ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ସର୍ବୋଚ୍ଚସ୍ତରରେ ଆଲୋଚନା ସରିଛି । ଆଜି କାଲି ଭିତରେ ନିଷ୍ପତ୍ତି ହେବ ।
ସେ ଏହା ମଧ୍ୟ କହିଛନ୍ତି, ରତ୍ନଭଣ୍ଡାର ନିଶ୍ଚିତ ଖୋଲିବ ଏବଂ ଖୁବ ଶୀଘ୍ର ମୋଡାଲିଟି ପ୍ରସ୍ତୁତ ହେବ । ବୈଠକ ପରେ ତାରିଖ ଘୋଷଣା ହେବ ଏବଂ ସବୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଗଣମାଧ୍ୟମରେ ଯେଉଁ ତାରିଖ ଘୋଷଣା ହେଉଛି ତାହା ଗୁଜବ । ଏଭଳି ଗୁଜବରେ ବିଶ୍ୱାସ ନ କରିବାକୁ ଆଇନ ମନ୍ତ୍ରୀ ଅପିଲ୍ କରିଛନ୍ତି ।
କାଲି ବୈଦ୍ୟୁତିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ଆସନ୍ତା ୫ ତାରିଖରେ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ରତ୍ନଭଣ୍ଡାର ଖୋଲାଯିବା ନେଇ ନିଷ୍ପତ୍ତି ହୋଇପାରେ । ୮ ରୁ ୨୭ ତାରିଖ ଯାଏଁ ୨୦ ଦିନ ଧରି ହୋଇପାରେ ଗଣତି କାର୍ଯ୍ୟ ୪ ତାରିଖରେ ଜଷ୍ଟିସ ପଶାୟତଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ୫ରୁ ୨୭ ତାରିଖ ଯାଏଁ ପୁରୀରେ ରହିବେ ଜଷ୍ଟିସ ପଶାୟତ। ସେ ଶ୍ରୀମନ୍ଦିର ଅଳଙ୍କାର ତଦାରଖ କମିଟି ମୁଖ୍ୟ ।
ସୂଚନାଯୋଗ୍ୟ, ରତ୍ନଭଣ୍ଡାର ପ୍ରସଙ୍ଗକୁ ବିଜେପି ଏଥର ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରିଥିଲା । ଆଉ ଏହାର ଉତ୍ତର ବିଜେଡି ଦେଇ ପାରି ନ ଥିଲା । ଏହି ପ୍ରସଙ୍ଗ ବିଜେପିକୁ ନିର୍ବାଚନରେ ବେଶ ସଫଳତା ଦେଇଛି । ଏବେ ନିଜର ପ୍ରତିଶ୍ରୁତି ପାଳନ କରିବାର ବେଳ ଆସିଛି । ପ୍ରଥମ ପ୍ରତିଶ୍ରୁତି ସ୍ୱରୂପ ମୁଖ୍ୟମନ୍ତ୍ରୀ ଶପଥ ନେବାର ୬ ଘଣ୍ଟା ଭିତରେ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲି ସାରିଛନ୍ତି । ଶ୍ରୀମନ୍ଦିରର ଉନ୍ନତିକରଣ ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିଛନ୍ତି ।