କଙ୍ଗାରୁ କୋର୍ଟ: ଆଖିରେ ପୁଟୁଳି ବାନ୍ଧି, ପ୍ରେମୀ ଯୁଗଳଙ୍କୁ ନିର୍ଧୁମ ମାଡ଼


ନବରଙ୍ଗପୁର: ବିବାହିତ ଯୁବକ, ନାବାଳିକାଙ୍କୁ କରୁଥିଲେ ପ୍ରେମ । ଜାଣିଲେ ଗାଁ ଲୋକେ । ସବିଲା କଙ୍ଗାରୁ କୋର୍ଟ । ଆଉ ତା’ପରେ ବିଚ୍ ରାସ୍ତାରେ ପ୍ରେମୀ ଯୁଗଳଙ୍କ ଉପରେ ଆରମ୍ଭ ହେଲା ଅମାନୁସିକ ନିର୍ଯାତନା । ଆଖିରେ ପୁଟୁଳି ବାନ୍ଧି ଯିଏ ପାରିଲେ ପିଟି ଚାଲିଛି । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ ।

ମିଳିଥିବା ସୂଚନା ମୁତାବକ, ଝରିଗାଁ ବ୍ଲକର ଜଣେ ବିବାହିତ ଯୁବକ ଡାବୁଗାଁ ଥାନା ଅଞ୍ଚଳର ଜଣେ ନାବାଳିକାକୁ ପ୍ରେମ କରୁଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ନାବାଳିକାର ପରିବାର ଲୋକ ସହ ଗ୍ରାମବାସୀ ପ୍ରେମୀ ଯୁଗୋଳଙ୍କୁ ଏକାଠି ଧରିଥିଲେ । କଙ୍ଗରୁ କୋର୍ଟରେ ବିଚାର ଅନୁସାରେ ଉଭୟଙ୍କ ଆଖିରେ ପଟି ବାନ୍ଧି ଦିଆଯାଇଥିଲା । ଏହାପରେ ସର୍ବ ସମ୍ମୁଖରେ ନିର୍ଧୁମ ମାଡ଼ ମରାଯାଇଥିଲା । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡିଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏମିତି ଘଟଣା ରାଜ୍ୟରେ ପ୍ରଥମ କଥା ନୁହେଁ । ରାଜ୍ୟର ବିଭିନ୍ନ ସ୍ଥାନରୁ ବାରମ୍ବାର ଏମିତି କଙ୍ଗାରୁ କୋର୍ଟରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆସୁଛି । ଲୋକଲଜ୍ୟା ଭୟରେ ବହୁ ସମୟରେ ଏମିତି ନିର୍ଯାତନ ବିରୋଧରେ ଥାନାରେ ଅଭିଯୋଗ ମଧ୍ୟ ହେଉନି । ଯାହା ଚିନ୍ତାର କାରଣ ପାଲଟିଛି । ଯଦି ଆଇନକୁ ବେଖାତିର କରି ଲୋକେ ନିଜେ ନିଷ୍ପତ୍ତି ନେବେ ଓ ରାସ୍ତା ମଝିରେ ଏମିତି ଅସାମାଜିକ କାର୍ଯ୍ୟ କରିବେ ତେବେ ଆଇନ ବ୍ୟବସ୍ଥା ଭୁଶୁଡ଼ି ଯିବ । ତେଣୁ ବେଳ ଥାଉ ପ୍ରଶାସନ ଓ ପୋଲିସ ଏମିତି କଙ୍ଗାରୁ କୋର୍ଟ ବିରୋଧରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ।