Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଓଡିଆରେ ହେବ ସରକାରୀ କାମ

ଭୁବନେଶ୍ୱର: ଓଡିଆ ଅସ୍ମିତାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନୀ ବୈତରଣୀ ପାରି କରିଥିବା ବିଜେପି ସରକାର ଆଜି ଏହି ଦିଗରେ ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥର ଓଡିଆରେ ହେବ ସରକାରୀ କାମ । ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରଠାରୁ ଲୋକସେବା ଭବନରେ କାମ ଆରମ୍ଭ କରି ନଥିଲେ ମୋହନ ଚରଣ ମାଝୀ । ତେବେ ଆଜି ସେ ଲୋକସେବା ଭବନରେ ପ୍ରବେଶ କରିବା ସହ ବିଧିବଦ୍ଧ କାମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୁଣ୍ଡିଆ ମାରି ଲୋକସେବା ଭବନକୁ ପ୍ରବେଶ କରିଛନ୍ତି । ତୃତୀୟ ମହଲାର ନିଜ ପ୍ରକୋଷ୍ଠରେ ଗୁରୁବାରଠାରୁ କାର୍ଯ୍ୟ ଆରମ୍ଭ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ହେବ। ଓଡ଼ିଆ ଭାଷାର ବ୍ୟବହାରକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଆବଶ୍ୟକ ପଡ଼ିଲେ ଆଇନରେ ସଂଶୋଧନ କରାଯିବ। ଓଡ଼ିଆ ଅସ୍ମିତାର ବିକାଶ ପାଇଁ ଗୁରୁତ୍ବାରୋପ କରାଯିବ। ଏହା ସହିତ ବରୁଣେଇରେ ପାଇକ ଏକାଡେମୀ ଗଠନ ସହିତ ସ୍ବାରକୀ ବିକାଶ କରାଯିବ। ଓଡ଼ିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ କରାଯିବ ।

ମୋହନ କହିଛନ୍ତି ଉଚ୍ଚ ବିଦ୍ୟାଳୟସ୍ତରରେ ଓଡ଼ିଆ ଶିକ୍ଷକ ନିଯୁକ୍ତି କରାଯିବ। ସାହିତ୍ୟ, ସଙ୍ଗୀତ ଏବଂ ନାଟକ ଓ ଲଳିତ କଳା ଆଦି ୩ଟି ଏକାଡେମୀର ପୁନରୁର୍ଦ୍ଧାର ତଥା ପୁନର୍ଗଠନ କରାଯିବ। ଏସବୁ ଏକାଡେମୀର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ । ଭାଷା କମିଶନ ଗଠନ କରାଯିବ। ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ପ୍ରାଥମିକତା ଦିଆଯିବ । ଓଡ଼ିଆ ଅସ୍ମିତାର ପ୍ରତିଷ୍ଠା, ଅଭିବୃଦ୍ଧି, ସରଂକ୍ଷଣ ଓ ପ୍ରସାରକୁ ଗୁରୁତ୍ବ ଦିଆଯିବ । ଓଡ଼ିଆ ଅସ୍ମିତାର ବିକାଶ ପାଇଁ କେଉଁ କେଉଁ ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ଲୋକଙ୍କଠାରୁ ମୁଖ୍ୟମନ୍ତ୍ରୀ ମତାମତ ଆହ୍ବାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ଗୁରୁତ୍ୱ ଦିଆଯିବ । ସାହିତ୍ୟ, ସଙ୍ଗୀତ, ନାଟକ ଓ ଲଳିତ କଳା ଏକାଡେମୀର ପୁନର୍ଗଠନ ହେବ । ପ୍ରତି ଜିଲ୍ଲାର କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦିଆଯିବ । ପଠନ ଅଭ୍ୟାସ ବୃଦ୍ଧି, ଲାଇବ୍ରେରୀ ଆନ୍ଦୋଳନକୁ ବ୍ୟାପକ କରାଯିବ । ଓଡିଆ ଅନୁବାଦ ଏକାଡେମୀ, ଅସ୍ମିତା ଭବନ ନିର୍ମାଣ କରାଯିବ । ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ କମିଶନ ଗଠନ ହେବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ