କେବେ ଖୋଲିବ ରତ୍ନଭଣ୍ଡାର, ସରକାରଙ୍କ ଉପରେ ନିଷ୍ପତ୍ତି ଛାଡିଲେ ଜଷ୍ଟିସ ପଶାୟତ

ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲିବା ନେଇ ଭିନ୍ନ ଭିନ୍ନ ସମୟରେ ଭିନ୍ନ ମତ ପ୍ରକାଶ ପାଉଛି । କେତେ ବେଳେ ଖବର ଆସୁଛି ୮ ତାରିଖରେ ଖୋଲିପାରେ । ଆଉ କେତେ ବେଳେ କୁହାଯାଉଛି ଖୋଲି ନ ପାରେ । ସେପଟେ ସରକାର କହୁଛନ୍ତି ଶୀଘ୍ର ଖୋଲିବ ରତ୍ନଭଣ୍ଡାର । ଆଜି ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଅବସରପାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତ । ରତ୍ନଭଣ୍ଡାର କେବେ ଖୋଲିବ ତାର ନିଷ୍ପତ୍ତି ସେ ସରକାରଙ୍କ ଉପରେ ଛାଡିଛନ୍ତି ।
ସେ କହିଛନ୍ତି ‘ ଆସନ୍ତା ୮ ତାରିଖରେ ଖୋଲିନପାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଉକ୍ତ ଦିନ ରଥ ଯାତ୍ରା ଥିବାରୁ ରତ୍ନ ଭଣ୍ଡାର ଖୋଲାଯିବା ସମ୍ଭାବନା କମ୍ । ଯେବେ ସରକାର ନିଷ୍ପତ୍ତି ନେବେ, ସେବେ ଖୋଲାଯିବ ।ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଅବସରପାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତ । ବିମାନବନ୍ଦରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଅବସରପାପ୍ତ ଜଷ୍ଟିସ୍ ଅରିଜିତ୍ ପଶାୟତ କହିଛନ୍ତି, ଆସନ୍ତା ୮ ତାରିଖରେ ରଥ ଯାତ୍ରା ଥିବାରୁ ସେଦିନ ରତ୍ନ ଭଣ୍ଡାର ଖୋଲାଯିବା ଆଶା କ୍ଷୀଣ। ଏ ସମ୍ପର୍କରେ ନିଷ୍ପତ୍ତି ସରକାର ନେବେ। ଯେବେ ସରକାର ନିଷ୍ପତ୍ତି ନେବେ, ସେବେ ରତ୍ନ ଭଣ୍ଡାର ଖୋଲାଯିବ ।
ସେ ଆସନ୍ତାକାଲିଠାରୁ ୨୭ ତାରିଖ ପର୍ୟ୍ୟନ୍ତ ପୁରୀରେ ରହିବେ । ଶୁକ୍ରବାର ପୁରୀ ପହଞ୍ଚିବା ପରେ ରତ୍ନଭଣ୍ଡାର ଇନଭେଣ୍ଟୋରି କମିଟିର ବୈଠକରେ ଯୋଗଦେବେ। ରତ୍ନଭଣ୍ଡାର ମରାମତି ଓ ଅଳଙ୍କାର ଗଣତି ଉପରେ କଣ ନିଷ୍ପତ୍ତି ହେଉଛି ତା ଉପରେ ଏବେ ସଭିଙ୍କ ନଜର ରହିଛି । ଏଥର ରତ୍ନଭଣ୍ଡାର କେବେ ଖୋଲାଯିବ ? ଗଣତି କେବେ ଆରମ୍ଭ ହେବ ? ରତ୍ନଭଣ୍ଡାର ମରାମତି କେବେ ହେବ ? ଏ ସମସ୍ତ ପ୍ରକ୍ରିୟା କେବେ ସରିବ ସେନେଇ ବୈଠକରେ ନିଷ୍ପତ୍ତି ହୋଇପାରେ ।
ସୂଚନାଯୋଗ୍ୟ, ୧୯୭୮ ମସିହାରେ ଅର୍ଥାତ୍ ୪୫ ବର୍ଷ ତଳେ ରତ୍ନ ଭଣ୍ଡାର ଖୋଲା ଯାଇ ଅଳଙ୍କାର ଗଣତି ହୋଇଥିଲା। ସେତେବେଳେ ମେ ୧୩ରୁ ଜୁଲାଇ ୨୩ ଯାଏଁ ଅଳଙ୍କାର ଗଣତିରେ ପ୍ରାୟ ୭୦ ଦିନ ଲାଗିଥିଲା । ଏବେ ନୂଆ ଟେକ୍ନୋଲୋଜି ଉପଯୋଗ କରାଯାଇ କେତେ ଦିନରେ ମରାମତି ସାଙ୍ଗକୁ ଗଣତି-ମଣତି ହେଉଛି, ତା ଉପରେ ସମସ୍ତଙ୍କ ନଜର ।
ଉଲ୍ଲେଖନୀୟ ରତ୍ନଭଣ୍ଡାର ପ୍ରସଙ୍ଗକୁ ବିଜେପି ଏଥର ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରିଥିଲା । ଆଉ ଏହାର ଉତ୍ତର ବିଜେଡି ଦେଇ ପାରି ନ ଥିଲା । ଏହି ପ୍ରସଙ୍ଗ ବିଜେପିକୁ ନିର୍ବାଚନରେ ବେଶ ସଫଳତା ଦେଇଛି । ଏବେ ନିଜର ପ୍ରତିଶ୍ରୁତି ପାଳନ କରିବାର ବେଳ ଆସିଛି । ପ୍ରଥମ ପ୍ରତିଶ୍ରୁତି ସ୍ୱରୂପ ମୁଖ୍ୟମନ୍ତ୍ରୀ ଶପଥ ନେବାର ୬ ଘଣ୍ଟା ଭିତରେ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲି ସାରିଛନ୍ତି । ଶ୍ରୀମନ୍ଦିରର ଉନ୍ନତିକରଣ ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିଛନ୍ତି ।