ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଓଡ଼ିଶା ଦକ୍ଷତା କନକ୍ଲେଭ୍-୨୦୨୩ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେଉଛି ବିଶ୍ୱସ୍ତରୀୟ ଦକ୍ଷତା ଉତ୍ସବ ଓଡ଼ିଶା ସ୍କିଲ୍ କନକ୍ଲେଭ। ଏହାକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏଥିରେ ଭାଗନେବେ ବିଭିନ୍ନ ପଲିଟେକନିକ୍, ବୈଷୟିକ ଶିକ୍ଷାନୁଷ୍ଠାନ, ଇଞ୍ଜିନିୟରିଂ କଲେଜର ପ୍ରାୟ ୩ ହଜାର ଶିକ୍ଷାର୍ଥୀ ଓ ଶିଳ୍ପପତି । ଏଥିରେ ଏସଏଚଜି ମହିଳା ମଧ୍ୟ ସାମିଲ ହେବେ। ମେକ୍ ଇନ୍ ଓଡ଼ିଶାର ପାର୍ଟ-୨ ହେଉଛି ଏହି ବିଶ୍ବସ୍ତରୀୟ ଦକ୍ଷତା ଉତ୍ସବ । ବିଶ୍ୱସ୍ତରରେ ରେକର୍ଡ କରିଥିବା ଓଡ଼ିଆ ପିଲାଙ୍କ ସାମର୍ଥ୍ୟର ସୋ-କେସିଂ ପାଇଁ ଏଭଳି ସ୍କିଲ୍ କନକ୍ଲେଭର ଆୟୋଜନ କରାଯାଉଛି । ଆଜି ଉଦଘାଟନୀ ଦିବସରେ ୮ରୁ ୧୦ ଜଣ ମହିଳା ଡ୍ରାଇଭର୍ସ ପୁରସ୍କୃତ ହେବେ।
ଦ୍ୱିତୀୟ ଦିନରେ ଭୁବନେଶ୍ୱର ମଧୁସୂଦନ ମାର୍ଗରେ ସକାଳ ୬ଟାରୁ ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ଦକ୍ଷତା ବିକାଶ ଉପରେ ପଥପ୍ରାନ୍ତ ଉତ୍ସବ ଆୟୋଜନ କରାଯିବ । ଏହା ସହିତ କଳିଙ୍ଗ ଷ୍ଟାଡିୟମରେ ଷ୍ଟାର୍ଟଅପ୍ ଓ ବିଭିନ୍ନ ଦକ୍ଷତା ବିକାଶ ଉପରେ ପ୍ରଦର୍ଶନୀ ଷ୍ଟଲ୍ ଏବଂ ଓଡ଼ିଆ ପିଲାଙ୍କ ନୂଆ ଉଦ୍ଭାବନ ନେଇ ପ୍ରଦର୍ଶନୀ କରାଯିବ ।
ଶେଷଦିନ ଡ୍ରୋନ୍ ଫେଡେରସନ୍ ଅଫ୍ ଇଣ୍ଡିଆ ଓ ବିଭିନ୍ନ ଦକ୍ଷତା ବିକାଶ ପରିଷଦର କାର୍ଯ୍ୟକ୍ରମ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହାସହିତ ପ୍ରତିଦିନ ସଂଧ୍ୟାରେ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ।