Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଅଧା ବାଟରେ ଅଟକିଲା ତିନି ରଥ, ଆଜି ଶରଧାବାଲିରେ ପହଞ୍ଚିବେ ଚତୁର୍ଦ୍ଧା ମୂରତି

ପୁରୀ: ଆରମ୍ଭ ହୋଇ ଯାଇଛି ମହାପ୍ରଭୁ ଜଗନ୍ନାଥଙ୍କ ନବ ଦିନାତ୍ମକ ଯାତ୍ରା । ଭାଇ-ଭଉଣୀଙ୍କୁ ସାଥିରେ ଧରି ମା ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ବିଶ୍ୱ ନିୟନ୍ତା । ତେବେ ୫ ଦଶନ୍ଧି ପରେ ଏଥର ଏକାଦିନେ ନବଯୌବନ, ନେତ୍ରୋତ୍ସବ ଓ ରଥଯାତ୍ରା ଭଳି ବିରଳ ସଂଯୋଗ ପଡୁଥିବାରୁ ଏଥର ଦୁଇଦିନିଆ ରଥଟଣା। ତେଣୁ ପ୍ରଥମ ଦିନରେ ଆଜି ତିନି ରଥ ଅଧାବାଟରେ ଅଟକିଛି। ଆଜି ଶରଧାବାଲିରେ ପହଞ୍ଚିବା ସହ ମାଉସୀ ମା ମନ୍ଦିରରେ ବିଜେ କରିବେ ଶ୍ରୀଜିଉ ।

ଆଜି ନିର୍ଦ୍ଧାରିତ ସମୟ ପ୍ରାୟ ଦେଢ ଘଣ୍ଟା ଆଗରୁ ନୀତିକାନ୍ତି ପୂରା ହେବା ସହ ଆରମ୍ଭ ହୋଇଯାଇଥିଲା ତିନି ଠାକୁରଙ୍କ ପହଣ୍ଡି। ପ୍ରଥମେ ଜ ସୁଦର୍ଶନଙ୍କ ପରେ ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡ଼ଭାଇ ବଳଭଦ୍ର। ପଛେ ପଛେ ମା’ ସୁଭଦ୍ରା, ଆଉ ଶେଷରେ ଟାହିଆର ଅପୂର୍ବ ଦୋଳନରେ ନନ୍ଦିଘୋଷ ରଥକୁ ବିଜେ କରିଥିଲେ ଜଗତର ଠାକୁର ଜଗନ୍ନାଥ। ବଡ଼ଦାଣ୍ଡରେ ଖେଳି ଯାଇଥିଲା ଭାବର ଜୁଆର ଓ ଭକ୍ତିର ଜୁଆର।
ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯିବା ପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଅନୁଗାମୀଙ୍କ ସହ ପହଞ୍ଚିଥିଲେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ। ତା’ପରେ ଘୋଷଯାତ୍ରାର ଅନନ୍ୟ ପରମ୍ପରା ଛେରପହଁରା ନୀତି ସଂପାଦନ ପାଇଁ ଶ୍ରୀନଅରରୁ ସିଂହଦ୍ୱାର ଅଭିମୁଖେ ତାମଯାନରେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପ୍ରଥମେ ତାଳଧ୍ୱଜ, ତା’ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଛେରପହଁରା ସହ ବନ୍ଦାପନା କରିଥିଲେ ଗଜପତି।

ଏବା ପରେ ପ୍ରାୟ ସାଢ଼େ ୪ଟାରେ ଚାରମାଳ ଫିଟା, ଘୋଡ଼ା ଯୋଚା ଓ ସାରଥୀ ଲାଗିବା ପରେ ଅପରାହ୍ନ ଦରିଆରେ ପୋତଟିଏ ଭଳି ଭକ୍ତିର ବଡ଼ଦାଣ୍ଡରେ ଘର୍ଘର ନାଦରେ ଗଡ଼ିଥିଲା ରଥ। ପ୍ରଥମେ ଟଣା ଯାଇଥିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେବାୟତ ଓ ପୁରକ୍ଷା କର୍ମୀମାନେ ତାଳଧ୍ୱଜ ରଥକୁ ଟାଣି ନେଉଥିବା ବେଳେ ମରିଚିକୋଟ ଛକରେ ଅଟକି ରହିଛି। ସେହିପରି ଶ୍ରୀକୃଷ୍ଣ ସିନେମା ହଲ୍ ପାଖରେ ଅଟକିଛି ସୁଭଦ୍ରାଙ୍କ ଦର୍ପଦଳନ ରଥ। ଆଉ କାଳିଆ ସାଅଁନ୍ତଙ୍କ ରଥ ନନ୍ଦିଘୋଷ ସିଂହଦ୍ୱାରଠାରୁ ମାତ୍ର ଅଳ୍ପ ଦୂର ଯାଇ ଅଟକି ରହିଛି। ଆଜି ସନ୍ଧ୍ୟା ବେଳେ ତିନି ରଥ ଶରଧାବାଲିରେ ପହଞ୍ଚିବ ବୋଲି କୁହାଯାଉଛି।

More Stories