Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ନୀଳଚକ୍ର ବାନାରେ ନିଆଁ ଲାଗିବା, ଚାପ ଖେଳ ବେଳେ ବିସ୍ଫୋରଣ, ଏବେ ବଡଠାକୁର ହାମୁଡେଇବା; କଣ ସତ ହେବ କି ମାଳିକା ବଚନ ?

ପୁରୀ: କଣ ସତ ହେବ କି ମାଳିକା ବଚନ । କଣ ରାଜ୍ୟ ଉପରେ ବଡ ବିପତ୍ତି ମାଡି ଆସିବ କି ? ଦୁର୍ଭିକ୍ଷ ପଡିବ କି ? ଏମିତି ଅନେକ ପ୍ରଶ୍ନ ଏବେ ରାଜ୍ୟବାସୀଙ୍କ ମନରେ ଉଙ୍କି ମାରୁଛି । ମହାପ୍ରଭୁ ୍‌ଶ୍ରୀଜଗନ୍ନାଥଙ୍କ ଚଳିତ ରଥ ଯାତ୍ରାରେ ଆଡପ ବିଜେ ସମୟରେ ବଡ ଠାକୁର ବଳଭଦ୍ରଙ୍କ ସହ ଯେଉଁଭଳି ଅଘଟଣ ଘଟିଲା ତାହା ଦେଖି ମର୍ମାହତ ଅଗଣିତ ଜଗନ୍ନାଥ ପ୍ରେମୀ ଏବଂ ଓଡିଆ । ଚାରମାଳରେ ବଡ ଠାକୁର ବଳଭଦ୍ର ହାମୁଡେଇ ପଡିବା କଣ ସଙ୍କେତ ଦେଉଛି ତାକୁ ନେଇ ଜଗନ୍ନାଥ ସଂସ୍କୃତି ଗବେଷକଙ୍କଠୁ ଧରି ସାଧାରଣ ଜନତାଙ୍କ ବିଷୟରେ ଚର୍ଚ୍ଚା ଜାରି ରହିଛି ।

ପ୍ରଥମ ବଡ ଅଘଟଣ ଘଟିଥିଲା ୨୦୨୦ ମସିହା ମାର୍ଚ୍ଚ ୨୧ ତାରିଖରେ । ସେହି ସମୟରେ ସମଗ୍ର ବିଶ୍ୱରେ କୋଭିଡ୍ ମହାମାରୀ ଆରମ୍ଭ ହେଉଥିଲା । ଶ୍ରୀମନ୍ଦିରର ନୀଳଚକ୍ରରେ ଲାଗିଥିବା ପବିତ୍ର ବାନାରେ ନିଆଁ ଲାଗି ଯାଇଥିଲା । ୨୧ ତାରିଖ ଶୁକ୍ରବାର ପାପନାଶିନୀ ଏକାଦଶୀ ଦିନ ମହାଦୀପକୁ ମନ୍ଦିର ଚୂଡାରେ ସେବାୟତଙ୍କ ଦ୍ୱାରା ସଂସ୍ଥାପିତ କରାଯାଇଥିଲା । ସେହି ସମୟରେ ହିଁ ଏହି ଅଭାବନୀୟ ଘଟଣା ଘଟିଥିଲା । ତେବେ ମୁଖ୍ୟ ବାନାର କୌଣସି କ୍ଷତି ଘଟି ନ ଥିଲେ ହେଁ ନୀଳଚକ୍ର ତଳେ ରହିଥିବା ବାନା ପୋଡି ଯାଇଥିଲା । ଘଟଣାକୁ ଦେଖଣାହାରୀ ନିଜର ମୋବାଇଲରେ କଏଦ କରି ନେଇଥିଲେ । ଏହି ଦୃଶ୍ୟ ସମସ୍ତ ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଥିଲା । କିଛି ବଡ ଅଘଟଣ ଘଟିପାରେ ବୋଲି ଅନୁମାନ କରାଯାଉଥିଲା । ଆଉ ସତକୁ ସତ ପରବର୍ତ୍ତୀ ସମୟରେ ମହାମାରୀ କରୋନା ସମଗ୍ର ବିଶ୍ୱରେ ଲକ୍ଷାଧିକ ଲୋକଙ୍କ ଜୀବନ ନେଇ ହାହାକାର ପରିସ୍ଥିତି ସୃଷ୍ଟି କରିଥିଲା ।

ସେହିପରି ମେ ୨୯ ତାରିଖରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ବା ଭଉଁରୀ ନୀତି ସମୟରେ ବାଣ ବିସ୍ଫୋରଣ ଘଟିଥିଲା । ମହାପ୍ରଭୁଙ୍କ ଭଉଁରୀ ନୀତି ଚାଲିଥିବା ସମୟରେ ନୀତି ଦେଖିବାପାଇଁ ଲୋକଙ୍କ ପ୍ରବଳ ସମାଗମ ହୋଇଥିଲା। ଏହି ସମୟରେ ଦେବୀଘାଟ ଦସାତୁଠ ନିକଟରେ ବାଣ ବିସ୍ଫୋରଣ ହୋଇଥିଲା। ନିଆଁ ହୁଳା ଉପସ୍ଥିତ ଲୋକଙ୍କ ଉପରେ ପଡ଼ିବାରୁ ସେମାନେ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ଅନେକ ଲୋକ ଜୀବନ ବଞ୍ଚାଇବା ପାଇଁ ପାଣିକୁ ମଧ୍ୟ ଡେଇଁ ପଡିଥିଲେ । ବାଣ ପଡ଼ି ସେଠାରେ ଉପସ୍ଥିତ ପ୍ରାୟ ୩୦ ଜଣ ଆହତ ହୋଇଥିଲେ । ଏହି ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା ।

ଜୁନ ୯ ତାରିଖରେ ଗୋଟି ପହଣ୍ଡି ସମୟରେ ଘଟିଥିଲା ଅଘଟଣ। ଚାରମାଳ ଉପରେ ହାମୁଡେଇ ପଡ଼ିଥିଲେ ବଡ଼ ଠାକୁର ପ୍ରଭୁ ବଳଭଦ୍ର। ଘଣ୍ଟୁଆଙ୍କ ଘଣ୍ଟ ମାଡ଼ର ତାଳେ ତାଳେ ସେବାୟତମାନେ ଗୋଟି ପହଣ୍ଡିରେ ବଡ଼ ଠାକୁରଙ୍କୁ ଆଣିବା ସମୟରେ ଚାରମାଳ ଉପରେ ହାମୁଡେଇ ପଡ଼ି ଯାଇଥିଲେ। ସେବାୟତଙ୍କ ହାତରୁ ପାଟ ରଶି ଖସିବାରୁ ଏମିତି ଅଘଟଣ ଘଟିଥିବା କୁହାଯାଉଛି। ବହୁ କଷ୍ଟରେ ସେବାୟତମାନେ ବଡ଼ ଠାକୁରଙ୍କୁ ଉଠାଇ ଚାରମାଳ ଉପରେ ବସାଇ ଦେଇଥିଲେ। ଏହା ପାଖାପାଖି ୪୦ ମିନିଟ୍ ପହଣ୍ଡି ବିଜେ ବନ୍ଦ ରହିଥିଲା। ପରିସ୍ଥିତି ସ୍ଵାଭାବିକ ହେବା ପରେ ମା ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଥିଲା।

ମାଳିକା ଏବଂ ବିଭିନ୍ନ କିମ୍ବଦନ୍ତୀରେ ଲେଖା ହୋଇଛି ଅସାବଧାନ ହେତୁ ଯଦି ଜଗନ୍ନାଥ, ବଳଭଦ୍ର କିମ୍ବା ସୁଭଦ୍ରା ତଳେ ପଡିଯାଆନ୍ତି ତେବେ ରାଜାଙ୍କର ଏବଂ ରାଜ୍ୟର ମହା ଅନିଷ୍ଟ ହେବ । ରାଜ୍ୟରେ ଦୁର୍ଭିକ୍ଷ ପଡିବ ଏବଂ ମହାମାରୀ ବାରମ୍ବାର ହେବ । କୁହାଯାଏ ଠାକୁର ପଡିଗଲେ ରାଣୀଙ୍କର ମୃତ୍ୟୁ ଘଟିଥାଏ । ପ୍ରଭୁ ବଳଭଦ୍ର ହାମୁଡେଇ ପଡିବା ଘଟଣାର ତଦନ୍ତ ଆରମ୍ଭ ହୋଇ ଯାଇଛି । ବାଳିକା ବଚନ ଅନୁସାରେ ପୃଥିବୀରେ ପ୍ରଳୟ ଆସିବ । ବାଇଶି ପାହାରେ ମୀନ ଖେଳିବ । ଦୁନିଆ ଧ୍ୱଂସ ହୋଇଯିବ । ତେବେ ଏହିପରି ଅଘଟଣ ବଡ ଅଘଟଣକୁ ସୂଚାଉଥିବା ଚର୍ଚ୍ଚା ଜୋର ଧରିଛି ।

More Stories