ପ୍ରଶାସନକୁ ନିଘା ନାହିଁ ଗାଈକୁ ପଘା ନାହିଁ, ରାଜ ରାସ୍ତାରେ ଗାଈଗୋରୁ
 
        ଵ୍ରହ୍ମପୁର, 13/07, ବ୍ରହ୍ମପୁର ସହରରେ ଗୃହପାଳିତ ପଶୁଙ୍କ ରାସ୍ତାରେ ବିଚରଣ କରିବା ଏକ ପ୍ରଥା ହୋଇଯାଇଛି। ନିରାପଦ ଆଶ୍ରୟ ସ୍ଥଳୀ ପାଲଟିଛି ରାଜରାସ୍ତା ଓ ଗଳିକନ୍ଦି। ବର୍ତ୍ତମାନ ମହାନଗର ରାସ୍ତାରେ ବୁଲୁଥିବା ବୁଲା ଗାଈ ଗୋରୁ ସମସ୍ୟା ସବୁଠାରୁ ଅଧିକ। ସହରରେ ଯୁଆଡ଼େ ଚାହିଁବ ଖାଲି ଗାଈ ହଁ ଗାଈ। ଗାଈ ମାଲିକମାନେ ନିଜ ଗାଈ ଠାରୁ କ୍ଷୀର ଆଦାୟ କଲା ପରେ ଗାଈ ଗୁଡ଼ିକୁ ରାସ୍ତା କଡ଼ରେ ଛାଡ ଦିଅନ୍ତି। ଫଳରେ ସେମାନେ ରାସ୍ତା କଡ଼ରେ ଶୋଇ ଦୁର୍ଘଟଣାର ଶିକାର ହୋଇ ଆହତ ଓ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବହୁ ନଜିରରେ ରହିଛି। ଏହାକୁ ନେଇ ବହୁବାର ମହାନଗର ନିଗମ କତ୍ତୃପକ୍ଷଙ୍କୁ କିଛି ପଶୁ ପ୍ରେମୀ ଜଣାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ନେଇନଥିବା ଦୁଃଖ ଓ ପରିତାପର ବିଷୟ। ଏପରିକି ପଶୁ ଚିକିତ୍ସା ବିଭାଗର ମଧ୍ୟ ଏଥିରେ କୈାଣସି ହସ୍ତକ୍ଷେପ ରହୁନାହିଁ। ସହରର ମୁଖ୍ୟ ରାସ୍ତା ସହିତ ବିଭିନ୍ନ ଗଳି ରାସ୍ତାରେ ବହୁ କାର୍ଯ୍ୟାଳୟ ଓ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। ଦୈନିକ ହଜାର ହଜାର ଗାଡ଼ି ସହରର ପ୍ରମୁଖ ରାସ୍ତା ଦେଇ ଯାତାୟାତ କରିଥାଏ। ସେହି ରାସ୍ତା ଗୁଡ଼ିକ ଏବେ ବୁଲା ଗାଈ ଗୋରୁଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ଫଳରେ ଗୁରୁତର ଟ୍ରାଫିକ ସମସ୍ୟା  ଦେଖାଦେଉଛି। ପ୍ରଶାସନ ଏଥିପ୍ରତି ଗୁରୁତ୍ଵ ଦେଉନଥିବା ବେଳେ ଜରିମାନା ମଧ୍ୟ ଆଦାୟ କରାଯାଉ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।  ବର୍ତ୍ତମାନ ମହାନଗର ଅଂଚଳରେ କଞ୍ଜିଆହୁଦା ମଧ୍ୟ ନଥିବାରୁ ଗାଈ ମାଲିକ ମାନେ ନିୟମକୁ ଖୋଲାଖୋଲି ଭବେ ଉଲ୍ଲଘଂନ କରୁଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ତାହା ସହ ସହର ଓ ସହରର ଆଖପାଖ ଅଞ୍ଚଳରେ କଞ୍ଜିଆହୁଦା କରାଯାଉ ବୋଲି କହିଛନ୍ତି ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ।
 ପୂର୍ବ ସରକାର ଯାଇ ନୂତନ ସରକାର ଆସିଲା। ଦୁର୍ଘଟଣାକୁ ନେଇ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଘୂରି ବୁଲୁଥିଲେ ମଧ୍ୟ ନୂତନ ସରକାରଙ୍କ ବିଧାୟକ, ସାଂସଦଙ୍କ ନଜରକୁ ଆସିନାହିଁ କିମ୍ୱା ସୋସିଆଲ ମିଡିଆ ଖବରକୁ ଅଣଦେଖା କରାଯାଉଛି ଏହାକୁ ନେଇ ବଡ ପ୍ରଶ୍ନ ଉଠୁଛି।

 
                        
 
                                 
                                 
                                 
                                 
                                