ନୂଆଦିଲ୍ଲୀ: ରାଜ୍ୟସଭାର ୪ ସଦସ୍ୟ ଶନିବାର ଅବସର ନେଇଛନ୍ତି । ଏହି ସବୁ ସଦସ୍ୟ ବିଜେପିର ଥିଲେ । ୪ ସାଂସଦଙ୍କ ଅବସର ପରେ ବିଜେପିର ସଂଖ୍ୟା ୮୬କୁ ହ୍ରାସ ହୋଇଛି । ଏନଡିଏକକୁ ମିଶାଇଲେ ସଂସଦର ଉପର ସଦନରେ ଶାସକ ଦଳର ସାଂସଦ ସଂଖ୍ୟା ୧୦୧ ରହିଛି । ତେବେ ବିଜେପି ଆଶା ରଖିଛି ଯେ, ଆଗାମୀ ଦିନରେ ଦଳର ସାଂସଦ ସଂଖ୍ୟାରେ ବୃଦ୍ଧି ଘଟିପାରେ । ବର୍ତ୍ତମାନ ରାଜ୍ୟସଭାରେ ୧୯ ସିଟ୍ ଖାଲି ରହିଛି । ଏଥିରୁ ୪ ଆସନ ଜମ୍ମୁ-କାଶ୍ମୀରର, ଯେଉଁଠି ବିଧାନସଭା ନିର୍ବାଚନ ପରେ ରାଜ୍ୟସଭା ନିର୍ବାଚନ ହେବ । ଏହା ବ୍ୟତୀତ ୪ ସିଟ୍ ମନୋନୀତ ସଦସ୍ୟ ପାଇଁ ଖାଲି ରହିଛି । ୧୧ ରାଜ୍ୟସଭା ସିଟରେ ନିର୍ବାଚନ ହେବାକୁ ଯାଉଛି । ଏଥିରେ ମହାରାଷ୍ଟ୍ର, ରାଜସ୍ଥାନ, ତେଲେଙ୍ଗାନା, ହରିୟାଣା, ମଧ୍ୟପ୍ରଦେଶ, ତ୍ରିପୁରା ଓ ଆସାମ ପରି ରାଜ୍ୟ ସାମିଲ ।
ବର୍ତ୍ତମାନର ସମୀକରଣ ଅନୁସାରେ ଏହି ୧୧ ସିଟରୁ ଏନଡିଏ ୮ଟି ସିଟ ସହଜରେ ଜିତିପାରେ । ଏହି ୧୧ ସିଟରୁ ୧୦ ସିଟ୍ ଗତ ମାସରେ ଖାଲି ହୋଇଛି। କାରଣ ଅନେକ ସଦସ୍ୟ ଲୋକସଭା ନିର୍ବାଚନ ଲଢିଥିଲେ ଏବଂ ଜିତିବା ପରେ ଲୋକସଭାକୁ ମନୋନୀତ ହୋଇଛନ୍ତି । ଏଥିରେ ପୀୟୁଷ ଗୋଏଲ ଓ ଭୂପେନ୍ଦ୍ର ଯାଦବଙ୍କ ପରି ନେତା ସାମିଲ । ଗୋଟିଏ ସିଟ୍ ବିଆରଏସର ରାଜ୍ୟସଭା ସାଂସଦ କେଶବ ରାଓଙ୍କ ଇସ୍ତଫା ପରେ ଖାଲି ହୋଇଛି । ସେ କଂଗ୍ରେସରେ ଯୋଗ ଦେଇ ସାରିଛନ୍ତି । ସାଂପ୍ରତିକ ରାଜନୈତିକ ସ୍ଥିତିକୁ ଦେଖିଲେ ଏନଡିଏ ୮ ସିଟ୍ ଜିତିବାର ସମ୍ଭାବନା ରହିଛି ।
ତିନୋଟି ସିଟ୍ ଇଣ୍ଡିଆ ମେଣ୍ଟକୁ ମିଳିବାର ସମ୍ଭାବନା ରହିଛି । କଂଗ୍ରେସ ଆଶା କରୁଛି, ତେଲେଙ୍ଗାନାରେ ବିଜୟ ପରେ ଦଳର ରାଜ୍ୟସଭା ସଦସ୍ୟ ସଂଖ୍ୟା ୨୭ରେ ପହଞ୍ଚିପାରେ । ଏହି ସଂଖ୍ୟା ରାଜ୍ୟସଭାରେ ବିରୋଧୀ ଦଳ ନେତା ମାନ୍ୟତା ପାଇଁ ଯଥେଷ୍ଟ । କାରଣ ଉପର ସଦନରେ ବିରୋଧୀ ଦଳ ନେତା ମାନ୍ୟତା ପାଇବା ପାଇଁ ୨୫ସିଟ୍ ଦରକାର ।
ସୂଚନାଯୋଗ୍ୟ, ଏନଡିଏ ପାଖରେ ନିଜ ଦମରେ ସଂଖ୍ୟା ବଳ ନ ଥିଲେ ବି ରାଜ୍ୟସଭାରେ ୱାଇଏସଆର କଂଗ୍ରେସ, ବିଜେଡି, ଏଆଇଏଡିଏମକେ ପରି ଦଳଗୁଡିକ ସମର୍ଥନରେ ଜରୁରୀ ବିଧେୟକ ଗୃହୀତ କରାଇ ଆସିଛି । ଗତ ଶନିବାର ମନୋନୀତ ସାଂସଦ ରାକେଶ ସିହ୍ନା, ରାମ ଶକଲ, ସୋନଲ ମାନସିଂ ଓ ମହେଶ ଜେଠମଲାନୀଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଛି । ଏହି ସବୁ ବ୍ୟକ୍ତି ରାଜ୍ୟସଭାକୁ ମନୋନୀତ ହେବା ପରେ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ ।
ରାଷ୍ଟ୍ରପତିଙ୍କ ଦ୍ୱାରା ମୋଟ୍ ୧୨ ସାଂସଦ ସଂସଦର ଉଚ୍ଚ ସଦନକୁ ମନୋନୀତ ହୋଇଥାନ୍ତି । ଏଥିରୁ ୫ ସଦସ୍ୟ ବିଜେପିର ସଦସ୍ୟ ହୋଇଥିବା ବେଳେ ୭ ସାଂସଦ କୌଣସି ଦଳର ସଦସ୍ୟ ନୁହନ୍ତି । କିନ୍ତୁ ରାଜ୍ୟସଭାରେ କୌଣସି ବି ବିଧେୟକ ଗୃହୀତ ହେବା ସମୟରେ ଏହି ସବୁ ସାଂସଦ ଏନଡିଏକୁ ସମର୍ଥନ ଦେଇଥାନ୍ତି ।