ସଂପନ୍ନ ହେଲା ବାହୁଡା ପହଣ୍ଡି, ତିନି ରଥରେ ବିରାଜିଲେ ଚତୁର୍ଦ୍ଧା ମୂରତି

ପୁରୀ: ମାଉସୀ ମା ଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ଆଜି ବାହୁଡିବେ ମହାବାହୁ । ଲୋକାରଣ୍ୟ ହୋଇ ଉଠିଛି ବଡ ଦାଣ୍ଡ । ରଥ ପଥ ସବୁ ଜଗନ୍ନାଥ ମୟ । ନୀତିକାନ୍ତି ଅନୁଷ୍ଠିତ ହୋଇ ନିର୍ଦ୍ଧାରିତ ସମୟରେ ପହଣ୍ଡି ପର୍ବ ସରିଛି । ତିନି ରଥରେ ବିରାଜମାନ ହୋଇଛନ୍ତି ଚତୁର୍ଦ୍ଧାମୂରତି । ଘଣ୍ଟ ଘଣ୍ଟା ବାଦ୍ୟରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥକୁ ବିଜେ କରିଥିଲେ ଶ୍ରୀ ସୁଦର୍ଶନ । ଚକ୍ରରାଜଙ୍କ ପରେ ବଡଭାଇ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଝୁଲି ଝୁଲି ଘଣ୍ଟ ବାଦ୍ୟରେ ତାଳଧ୍ୱଜ ରଥରେ ବିରାଜିଥିଲେ ହଳଧର । ଏହା ପରେ ଦେବୀ ସୁଭଦ୍ରା ଦର୍ପଦଳଣ ରଥରେ ବିରାଜମାନ କରିଥିଲେ । ଶେଷରେ ଟାହିଆ ସୁଶୋଭିତରେ ଝୁଲି ଝୁଲି ଆସିଥିଲେ କଳା ଠାକୁର ।
ଏହିପରି ନିର୍ଦ୍ଧାରିତ ସମୟର ପାଖାପାଖି ଦେଢ ଘଣ୍ଟା ଆଗରୁ ତିନି ଦିଅଁଙ୍କ ବାହୁଡା ପହଣ୍ଡି ଶେଷ ହୋଇଛି । ଏହା ପରେ ଦିବ୍ୟ ମାଲିଙ୍କିରେ ଆସି ଛେରାପହଁରା ନୀତି ସଂପନ୍ନ କରିବେ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ । ଅପରାହ୍ଣ ୩ଟାରୁ ୪ଟା ଭିତରେ ଚାରମାଳ ଫିଟା ଓ ଘୋଡାଲାଗି କାର୍ଯ୍ୟ ସଂପନ୍ନ ହେବ । ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହେବ । ତିନି ରଥ ସିଂହ ଦ୍ୱାରରେ ପହଞ୍ଚିବା ପରେ ଜୁଲାଇ ୧୭ରେ ସୁନାବେଶ, ୧୮ରେ ଅଧରପଣା ଓ ୧୯ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ।