ମୁମ୍ବାଇ: ଏନସିପି ଦୁଇ ଫାଳ ହେବା ପରେ ଏହାକୁ ନେଇ ରାଜନୀତି ଥମିବାର ନାଁ ନେଉନି । ପ୍ରାୟ ସବୁଦିନ ରାଜନୈତିକ ହଟଚମଟ କରିବା ଭଳି କିଛି ନା କିଛି ଖବର ଶୁଣିବାକୁ ମିଳୁଛି । ତାଜା ତାଜା ଆଉ ଏକ ଖବର ରାଜ୍ୟ ରାଜନୀତିକୁ ଉଷ୍ଣ କରି ଦେଇଛି । ମହାରାଷ୍ଟ୍ର ସରକାରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କୁ ଲାଗିଛି ଶକ୍ତ ଝଟକା । ତାଙ୍କ ଦଳର ୪ ତୁଙ୍ଗ ନେତା ଇସ୍ତଫା ଦେଇଛନ୍ତି । ସେମାନେ ଖୁବ୍ ଶୀଘ୍ର ଶରଦ ପାୱାରଙ୍କ ଏନସିପିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି । ଇସ୍ତଫା ଦେଇଥିବା ୪ ନେତା ଦଳର ପିମ୍ପରି- ଚିଞ୍ଚୱାଡ ୟୁନିଟର ସଦସ୍ୟ ବୋଲି ଜଣାଯାଇଛି । ସେମାନେ ହେଲେ ଏନସିପିର ପିମ୍ପରି- ଚିଞ୍ଚୱାଡ ୟୁନିଟ ମୁଖ୍ୟ ଅଜିତ ଗହ୍ୱାନେ, ଛାତ୍ର ୱିଙ୍ଗ ପ୍ରମୁଖ ୟଶ ସାନେ, ପୂର୍ବତନ କର୍ପୋରେଟର ରାହୁଲ ଭୋନସଲେ ଏବଂ ପଙ୍କଜ ଭାଲେକର ।
ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଭୋସାରି ବିଧାନସଭା ସିଟ୍ ହାତେଇବା ନିମନ୍ତେ ଅଜିତ ଗହ୍ୱାନେ ରେସ୍ରେ ଥିଲେ ମଧ୍ୟ ଶେଷରେ ତାଙ୍କୁ ନିରାଶ ହେବାକୁ ପଡ଼ିଛି । ଏଥିପାଇଁ ସେ ଦଳରୁ ଇସ୍ତଫା ଦେଇଥିବା କୁହାଯାଉଛି । ସେମାନେ ସମସ୍ତେ ଶରଦ ପାୱାରଙ୍କ ଏନସିପିରେ ସାମିଲ ହେବାକୁ ଉଦ୍ୟମ ଆରମ୍ଭ କରିଥିବା କୁହାଯାଉଛି ।
ଗତବର୍ଷ ଜୁଲାଇ ମାସରେ ଅଜିତ ପାୱାର ଏନସିପିର ଅଧିକାଂଶ ବିଧାୟକଙ୍କୁ ଧରି ବିଜେପି ଓ ସିନ୍ଦେ ସରକାରରେ ସାମିଲ ହୋଇଥିଲେ । ଅଜିତ ପାୱାରଙ୍କୁ ମଧ୍ୟ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା । ମାତ୍ର ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ବିଜେପି ନେତ୍ୱାଧୀନ ଏନଡିଏର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାଜ୍ୟରେ ରାଜନୈତିକ ହଟଚମଟ ଆରମ୍ଭ ହୋଇଯାଇଥିଲା । ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଏହା ପୂର୍ବରୁ ଅଜିତ ପାୱାରଙ୍କ ଦଳର ନେତା ଶରଦ ପାୱାରଙ୍କ ଦଳକୁ ଡେଇଁବାକୁ ଉଦ୍ୟମ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି ।
ଏନଡିଏ ତୁଳନାରେ ମହା ବିକାଶ ଅଘାଡ଼ି ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା । କଂଗ୍ରେସ ଏକାକୀ ୧୩ ଆସନ ଜିତିଥିବା ବେଳେ ଶରଦ ପାୱାରଙ୍କ ଏନସିପି ୮ଟି ଓ ଉଦ୍ଧବ ଠାକରେଙ୍କ ଶିବସେନା ୯ଟି ଆସନ ଜିତିଥିଲେ । ଅନ୍ୟପକ୍ଷେ ବିଜେପି, ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି ମିଳିତ ଭାବେ ୧୭ଟି ଆସନ ଜିତିଥିଲେ । ଅଜିତ ପାୱାରଙ୍କ ଖାତାକୁ କେବଳ ରାୟଗଡ଼ ଲୋକସଭା ଆସନ ଯାଇଥିଲା ।
ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ଅଜିତଙ୍କ ସହ ଥିବା ଏନସିପି ବିଧାୟକଙ୍କ ମଧ୍ୟରୁ ୧୦ରୁ ୧୫ ଜଣ ଫେରିବାକୁ ଯୋଗାଯୋଗ କରୁଥିବା ଶରଦ ପାୱାର କହିଥିଲେ । ଏବେ ବାଜି ବଦଳିବାର ସଙ୍କେତ ମିଳିଥିବା ବେଳେ ଏହା ଉପରେ ସମସ୍ତଙ୍କ ନଜର ରହିଛି ।