ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ହାର୍ଦ୍ଦିକ ହେବେନି ଅଧିନାୟକ, ଆଜି ଦଳ ଘୋଷଣା


ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ସେ ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ । ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ ମୁକାବିଲାରୁ ଅବସର ନେଇ ସାରିଥିବାରୁ ଦଳର ଅଧିନାୟକ ଦାୟିତ୍ୱ କିଏ ନେବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । କୁହାଯାଉଥିଲା ରୋହିତ ଅବସର ନେଇ ସାରିଥିବାରୁ ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ଦଳର ଅଧିନାୟକ କରାଯିବ । କିନ୍ତୁ ଏଥିରେ ଟୁଇଷ୍ଟ ଆସିଛି । ସଦ୍ୟତମ ତଥ୍ୟ ଅନୁସାରେ, ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଅଧିନାୟକ ହେବେ ନାହିଁ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାରକା ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ । ୩୦ ବର୍ଷୀୟ ହାର୍ଦ୍ଦିକ ପାଣ୍ଡ୍ୟା ୨୦୨୪ ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ଉପଅଧିନାୟକ ଥିଲେ । ହେଲେ ରୋହିତଙ୍କ ସନ୍ନ୍ୟାସ ପରେ ତାଙ୍କୁ ନେତୃତ୍ୱ ଦାୟିତ୍ୱ ମିଳିବ ନାହିଁ ।

ଇଏସପିଏନକ୍ରିକଇନମ୍ଫୋର ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ସର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ଅଧିନାୟକ ହେବେ । କାର୍ଯ୍ୟଚାପ ଏବଂ ଫିଟନେସକୁ ଦୃଷ୍ଟିରେ ରଖି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯିବ ନାହିଁ । ଶୁଭମନ ଗିଲ କିମ୍ବା ଋଷଭ ପନ୍ତ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଉପଅଧିନାୟକ ହୋଇ ପାରନ୍ତି ।

ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳ ଆଜି ଘୋଷଣା ହେବ । ନୂତନ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଚୟନକର୍ତ୍ତା ଅଜିତ ଅଗରକର ମିଶି ଦଳ ଚୟନ କରିବେ । ବ୍ୟକ୍ତିଗତ କାରଣ ଦର୍ଶାଇ ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ଓହରି ଯାଇଛନ୍ତି । ଜୁଲାଇ ୨୭ରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ ।