Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସନ୍ଧ୍ୟା ସୁଦ୍ଧା ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ସରିବ, ରତ୍ନଭଣ୍ଡାରର ମରାମତି ନିତାନ୍ତ ଆବଶ୍ୟକ: ଗଜପତି

ପୁରୀ: ନିର୍ଦ୍ଧାରିତ ସମୟ ଆଜି ପୂର୍ବାହ୍ନ ୯ଟା ୫୧ ମିନିଟ୍‌ରେ ଖୋଲିଛି ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର । ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ବାହାର କରାଯାଇ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌କୁ ନିଆଯିବ । ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଟେକନିକାଲ୍ ଟିମଙ୍କ ସହ ମହାରାଜ ଗଜପତି ଦିବ୍ୟସିଂହ ଦେବ ମଧ୍ୟ ଭିତରକୁ ପ୍ରବେଶ କରିଥିଲେ । ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରୁ ବାହାରି ଗଜପତି ମହାରାଜ ନିଜର ପ୍ରତିକ୍ରିୟା ରଖିଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ଭିତର ରତ୍ନଭଣ୍ଡାରରୁ ସବୁ ଅଳଙ୍କାରଗୁଡିକର ସ୍ଥାନାନ୍ତର ପ୍ରକ୍ରିୟା ସରିବ ବୋଲି ଆଶା ରଖିଛୁ ବୋଲି ସେ କହିଛନ୍ତି ।

ଗଜପତି ମହାରାଜ କହିଛନ୍ତି, ଆଜି ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ସରିବ ବୋଲି ଆଶା ରଖିଛୁ । ଖଟଶେଯ ଘରେ ଗହଣା, ମୂଲ୍ୟବାନ ସାମଗ୍ରୀ ରଖାଯିବ । ଏହା ପରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମର କବାଟ ସିଲ୍ କରାଯିବ । କବାଟ ସିଲ୍ ପରେ ମୁଖ୍ୟ ପ୍ରଶାସକ ଟ୍ରେଜେରୀରେ ଚାବି ଦାଖଲ କରିବେ । ସବୁ ଅଳଙ୍କାର ସ୍ଥାନାନ୍ତର ପରେ ଏଏସଆଇକୁ ରତ୍ନଭଣ୍ଡାର ମରାମତି ପାଇଁ ଦାୟିତ୍ୱ ଦିଆଯିବ ।

ଗଜପତି ମହାରାଜ କହିଛନ୍ତି, ରତ୍ନଭଣ୍ଡାରର ମରାମତି କାମ ନିତାନ୍ତ ଆବଶ୍ୟକ । ରତ୍ନଭଣ୍ଡାର ଦେଖିବା ପରେ ସେ ଏହା କହିଛନ୍ତି । ରତ୍ନଭଣ୍ଡାର ସଂପୂର୍ଣ୍ଣ ଖାଲି ହେବା ପରେ ଲେଜର ସ୍କାନିଂ କରାଯିବ । ଭିତରେ ଆଉ କିଛି ନାହିଁ ବୋଲି ସ୍ପଷ୍ଟ ହେବା ପରେ ଏଏସଅ।।ଇକୁ ହସ୍ତାନ୍ତର କରାଯିବ । ବାହାର ଏବଂ ଭିତର ରତ୍ନଭଣ୍ଡାରର ମରାମତି କରାଯିବ, ଯାହା ନିତାନ୍ତ ଆବଶ୍ୟକ । କେଉଁ କାଳରୁ କେବେ ମରାମତି ହୋଇଥିଲା, ତାହା କେହି ଜାଣି ନାହାନ୍ତି । ୧୯୭୧ରୁ ଏଏସଆଇ ଦାୟିତ୍ୱ ନେବା ପରେ ଆଦୌ ମରାମତି ହୋଇନି । ମରାମତି ବେଲେ ନୀତିକାନ୍ତି ଓ ଦର୍ଶନ ଉଭୟ ପ୍ରଭାବିତ ନ ହେବା ଉପରେ ଗୁରୁତ୍ୱ ଦିଆଯିବ । ଏ ସଂପର୍କରେ ଅନୁଧ୍ୟାନ କରି ମୁଖ୍ୟ ପ୍ରଶାସକ ମରାମତି ସମୟ ନିର୍ଦ୍ଧାରଣ କରିବେ । ନିର୍ଦ୍ଧାରିତ ସମୟରେ ହିଁ ଏଏସଆଇ ମରାମତି କରିବ ।

ସେ କହିଛନ୍ତି, ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ଆଗ ମରାମତି କରାଯିବ । ମରାମତି କାର୍ଯ୍ୟ ଶେଷ ହେବା ପରେ ତଦାରଖ କମିଟି ଓ ପରିଚାଳନା କମିଟି ଉପସ୍ଥିତିରେ ଅଳଙ୍କାର ଗଣତି, ମଣତି କରାଯିବ । ମରାମତି ସଂପୂର୍ଣ୍ଣ ନ ସରିବା ଯାଏ ଗଣତି ମଣତି କରାଯିବନି ।

କମିଟି ସଦସ୍ୟମାନେ ଆଜି ସକାଳୁ ସିଂହଦ୍ବାର ସମ୍ମୁଖରେ ରଥାରୂଢ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ଏହାପରେ ସମସ୍ତେ ଏକାଠି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ମା ବିମଳା, ମା ଲକ୍ଷ୍ମୀଙ୍କ ସହ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିବା ପରେ ପାରମ୍ପରିକ ଧୋତି ଗାମୁଛା ପରିଧାନ କରିଥିଲେ ସମସ୍ତ କମିଟି ସଦସ୍ୟ ଏବଂ ଶୁଭ ମୁହୂର୍ତ୍ତ ଦିନ ୯ଟା ୫୧ ମିନିଟ୍ ସମୟରେ ଭଣ୍ଡାରକୁ ପ୍ରବେଶ କରିଥିଲେ। ଟ୍ରେଜେରିରୁ ଆସିଥିବା ଚାବିରେ ଭଣ୍ଡାର ଖୋଲାଯିବା ସହ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ