ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ଏବେ ଓଡ଼ିଶା ଉପକୂଳରୁ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏହା କ୍ରମଶଃ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ଆସନ୍ତା ୪ ଦିନ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହା ସହିତ ଜୁଲାଇ ୨୩ରେ ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୨୩ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ । ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ରେ ସର୍ବାଧିକ ୨୨୧ମିମି ବର୍ଷା ହୋଇଛି ମାଲକାନଗିରି ଜିଲ୍ଲାରେ ୧୯୦ମିମି, ନବରଙ୍ଗପୁରରେ ୭୦.୧ମିମି, କୋରାପୁଟରେ ୬୭.୪ ମିମି ବର୍ଷା ହୋଇଛି। ଚିତ୍ରଚିକୋଣ୍ଡା, କୋରୁକୁଣ୍ଡା, ଖଇରପୁଟ ଓ କାଲିମେଳା ଭଳି ୪ଟି ବ୍ଲକ୍ରେ ୨୦୦ମିମିରୁ ଅଧିକ ବର୍ଷା ହୋଇଛି ।
ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି)ଙ୍କ ସୂଚନା ଅନୁସାରେ, ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଏକାଧିକ ସ୍ଥାନରେ ରାସ୍ତା ଓ ପୋଲ ବର୍ଷା ପାଣିରେ ବୁଡ଼ିଯାଇଛି । ପୋଟେରୁ ନଦୀ ଜଳସ୍ତର ବଢ଼ିବା ଯୋଗୁ ୩୨୬ନଂ ଜାତୀୟ ରାଜପଥ ଜଳମଗ୍ନ ହୋଇଛି । ବନ୍ୟା ପାଣି ମାଡ଼ି ଆସିବାରୁ କନ୍ୟାଶ୍ରମ ସେତୁ ଓ ଚଲ୍ଲାଗୁଡ଼ା ସେତୁ ବୁଡ଼ି ଯାଇଛି। ପଦିଆ ଓ କାଲିମେଳା ରାସ୍ତା ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି।