ଆଗକୁ ଲଘୁଚାପ:ଜୁଲାଇ ୩୧ରୁ ପୁଣି ବର୍ଷା


ଭୁବନେଶ୍ୱର: ଜୁଲାଇ ୨୬ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୭ରେ ଏହା ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି। ୨୮ରେ ଓଡ଼ିଶା ଓ ଛତିଶଗଡ଼ ଉପରେ ଏହାର ପ୍ରଭାବ ରହିବ । ଲଘୁଚାପ ପ୍ରଭାବରୁ ୨୭ରୁ ୨୯ ଯାଏ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
୨୭ ତାରିଖରେ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବ । ୨୮ ତାରିଖରେ ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଏବଂ ୨୯ରେ ବହୁ ସ୍ଥାନରେ ମଧ୍ୟମ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ।
ଜିଏଫଏସ୍ ମଡେଲ ଅନୁସାରେ, ଅଗଷ୍ଟରେ ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ଜୁନ୍ ୧ରୁ ଜୁଲାଇ ୨୪ ସୁଦ୍ଧା ୯ଟି ଜିଲ୍ଲାରେ ମୋଟ ବର୍ଷା ପରିମାଣ ୩୦୦ମିମିରୁ କମ୍ ରହିଛି । ନିଅଣ୍ଟିଆ ବର୍ଷା ଯୋଗୁ ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଧାନ ରୁଆ ଓ ବେଉଷା କରିବାରେ ସମସ୍ୟା ହେଉଛି । ଆସନ୍ତା ୧୦ଦିନରେ ବର୍ଷା ବଢ଼ିବା ଯୋଗୁ ରୁଆ ଓ ବେଉଷଣ କାମ ଆଗେଇବ ବୋଲି ପାଣିପାଗ ବିଭାଗ କହିଛି।
ସେପଟେ ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ଭିନ୍ନ ଆକଳନ କରାଯାଇଛି। ଜୁଲାଇ ୨୭ ତାରିଖ ଯାଏ ରାଜ୍ୟରେ ଅଧିକ ବର୍ଷା ହେବ। ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସୀମା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଲାଗି ରହିବ । ୩୦ ଓ ୩୧ ତାରିଖ ବେଳକୁ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଉତ୍ତର ଓ ମଧ୍ୟ ଓଡ଼ିଶା ସମେତ ଅନେକ ସ୍ଥାନରେ ଭଲ ବର୍ଷା ହେବ। ୨୫ରୁ ୨୭ ତାରିଖ ଯାଏ ବର୍ଷା ଲାଗି ରହିବ । ୨୮ରୁ ୩୦ ତାରିଖ ଯାଏ ସାମାନ୍ୟ କମିବ । ୩୧ରୁ ପୁଣି ବର୍ଷା ବଢ଼ିବ ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ୨୫ ତାରିଖରେ କଟକ, ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏ ସବୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୦ରୁ ୨୦୦ ମିମି ବର୍ଷା ସମ୍ଭାବନା ଅଛି। ଅନୁଗୁଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ଢେଙ୍କାନାଳ, କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୨୬ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି ।