Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ମୁଣ୍ଡୁଳିରେ ପହଞ୍ଚିବ ବନ୍ୟା ଜଳ

ସମ୍ବଲପୁର: ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଖୋଲିବା ପରେ ମହାନଦୀ ଜଳସ୍ତର ବଢିବାରେ ଲାଗିଛି। କଟକ ମୁଣ୍ଡଳୀରେ ମହାନଦୀରେ ଜଳସ୍ତର କ୍ରମାଗତ ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଛନକା ପଶିଗଲାଣି। ହୀରାକୁଦରୁ ବନ୍ୟାଜଳ ପ୍ରଥମେ ଖଇରାମାଳ ଓ ପରେ ବରମୂଳ ଦେଇ ଆସି ମୁଣ୍ଡଳିରେ ପହଞ୍ଚିବ । ଆଜି ସନ୍ଧ୍ୟା ସୁଦ୍ଧା ବନ୍ୟା ଜଳ ମୁଣ୍ଡଳୀରେ ପହଞ୍ଚି ପାରେ ବୋଲି ସୂଚନା ମିଳିଛି।

ସେତେବେଳେ ମୁଣ୍ଡଳିରେ ପ୍ରାୟ ୫ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବା ନେଇ ଅନୁମାନ କରାଯାଉଛି। ମାତ୍ର ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡୁଳି ଦେଇ ନିଷ୍କାସିତ ହେଉଛି ୨ ଲକ୍ଷ କ୍ୟୁସେକ ବନ୍ୟା ପାଣି। ଆଜି ହୀରାକୁଦ ଡ୍ୟାମର ଜଳ ପତ୍ତନ ୬୧୮ ଫୁଟ ରହିଛି । ଏବେ ଡ୍ୟାମ ମଧ୍ୟକୁ ସେକେଣ୍ଡ ପିଛା ୨ ଲକ୍ଷ ୫୭ ହଜାର ୫୫ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୪୭ ହଜାର ୬୨୮ ଘନଫୁଟ ଜଳ ନିଷ୍କାସିତ ହେଉଛି ।

ବନ୍ୟା ଆଶଙ୍କା ନଥିଲେ ବି ମହାନଦୀ ଅବବାହିକାର ତଳମୁଣ୍ଡରେ ଥିବା ସମ୍ବଲପୁର, ସୋନପୁର, ନୟାଗଡ଼, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ମହାନଦୀ ଭିତରକୁ ଲୋକ ପ୍ରବେଶ ନ କରିବା ସହ ଗୋରୁଗାଈ ଆଦି ଗୃହପାଳିତ ପଶୁଙ୍କୁ ଛାଡ଼ିବା ଉପରେ ବାରଣ କରାଯାଇଛି।

ଗତକାଲି ୨୦ଟି ଗେଟ୍ ଖୋଲାଯାଇଥିବା ବେଳେ ଅଧିକ ଗେଟ୍ ଖୋଲାଗଲେ ତଳିଆ ଅଞ୍ଚଳରେ ପାଣି ପଶିବାର ଆଶଙ୍କା ଦେଖା ଦେଇଛି। ଫଳରେ କଟକର ତଳି ଅଞ୍ଚଳ ବାଙ୍କୀ, ଆଠଗଡ଼ , ନରସିଂହପୁର, ବଡ଼ମ୍ବା ଆଦି ଅଞ୍ଚଳ ଜଳମଗ୍ନ ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ