Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରତ୍ନଭଣ୍ଡାରର ମରାମତି ପାଇଁ ଟେକ୍ନୋଲୋଜି ଗୁରୁତ୍ୱପୂର୍ଣ୍ଣ, ଗଣତି ମଣତିର ସମୟ ଆସିନାହିଁ: ଜଷ୍ଟିସ ରଥ

ପୁରୀ: ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ନେଇ ଆଜି ବୈଠକ ଅନୁଷ୍ଠିତ ହୋଇଛି । ବୈଠକ ପରେ ଜଷ୍ଟିସ ବିଶ୍ୱନାଥ ରଥ ସୂଚନା ଦେଇ କହିଛନ୍ତି ଯେ, ପ୍ରଥମେ ରତ୍ନଭଣ୍ଡାର ଭିତରେ ଥିବା ଖାଲି ଆଲମିରାକୁ କଢାଯିବ । ଏଥିପାଇଁ ମନ୍ଦିର ପ୍ରଶାସନ ରୁମ ନିର୍ଦ୍ଧାରଣ କରି ସାରିଛି । ଖାଲି ଆଲମିରା ସ୍ଥାନାନ୍ତରିତ ହେବ । ଏହା ଏସଓପିରେ ନ ଥିଲା, ସରକାରଙ୍କୁ ଜଣାଇଛୁ । ଯଦି ଦରକାର ପଡିବ ଖାଲି ଆଲମିରାଗୁଡିକର ମରାମତି ହେବ ।

ସେ କହିଛନ୍ତି, ଲୋକଙ୍କ ଭାବାବେଗକୁ ଆମେ ଗୁରୁତ୍ୱ ଦେଉଛୁ । ଯେପରି ଭବିଷ୍ୟତରେ ଆଉ ଦ୍ୱନ୍ଦ୍ୱ ନ ଆସିବ ତାହାକୁ ଗୁରୁତ୍ୱ । ଉନ୍ନତ ଟେକ୍ନୋଲୋଜିର ପ୍ରୟୋଗ ପାଇଁ କହିଛୁ । ଯଦି କିଛି ପାଇବା ଆଗକୁ ବଢିବା, ନଚେତ ମରାମତି କରିବା । ପରିଚାଳନା କମିଟି ଏ ନେଇ ସରକାରଙ୍କୁ ଅବଗତ କରିବ । ସରକାର ଏଏସଆଇ ସହ ମଧ୍ୟ ଏ ବିଷୟରେ କଥାବାର୍ତ୍ତା କରିବେ । ଯାହା ଉତ୍କୃଷ୍ଟ ଓ ଉପାଦେୟ ତାହା କରାଯିବ । ମନ୍ଦିର ଢାଞ୍ଚା ଉପରେ ଯେପରି ସମସ୍ୟା ନ ହେବ ତାହା ଗୁରୁତ୍ୱପୂର୍ଣ୍ଣ । ଆମ ପାଇଁ ସମୟ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଟେକ୍ନୋଲୋଜି ଗୁରୁତ୍ୱପୂର୍ଣ୍ଣ । ରତ୍ନ ଗଣତି, ମଣତି ପାଇଁ ସମୟ ଆସି ନାହିଁ ।

ସୂଚନାଯୋଗ୍ୟ, ଜୁଲାଇ ୧୮ ତାରିଖରେ ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଛି । ଏବେ ଏସଓପି ଅନୁଯାୟୀ ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ରତ୍ନଭଣ୍ଡାରର ମରାମତି କାମ କରିବ । ଏହା ପରେ ସମସ୍ତ ଅଳଙ୍କାର ରତ୍ନଭଣ୍ଡାରକୁ ନେବା ପରେ ହିଁ ଗଣତି ମଣତି କରାଯିବ । ଉଲ୍ଲେଖନୀୟ ଜୁଲାଇ ୧୪ ତାରିଖରେ ଦୀର୍ଘ ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲା ଯାଇଥିଲା । ଜଷ୍ଟିସ ବିଶ୍ୱନାଥ ରଥଙ୍କ ନେତୃତ୍ୱାଧୀନ ୧୧ ଜଣିଆ କମିଟି ଭିତରକୁ ପ୍ରବେଶ କରିଥିଲେ ।