ୱାଏନାଡ: କେରଳର ୱାଏନାଡରେ ସୋମବାର ବିଳମ୍ବିତ ରାତିରେ ଭୀଷଣ ବର୍ଷା ବଡ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି କରିଛି । ବଡ ଧରଣର ଭୂସ୍ଖଳନ ଯୋଗୁଁ ୪୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଏତେ ବଡ ଧରଣର ଯେ, ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ସେନାକୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି । ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି । ଏହି ବିପର୍ଯ୍ୟୟ କାରଣରୁ ନିଜର ମନୋରମ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ମୁଣ୍ଡକ୍କଇ, ଚୁରଲମାଲା, ଅଟ୍ଟମାଲା ଓ ନୁଲପୁଝା ଗାଁର ଦୃଶ୍ୟ ବଦଳି ଯାଇଛି । ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ରାଜ୍ୟର ଜଙ୍ଗଲ ମନ୍ତ୍ରୀ ଏକେ ଶଶିନ୍ଦ୍ରନ କହିଛନ୍ତି, ସ୍ଥିତି ଗମ୍ଭୀର ଅଛି । ସରକାର ସମସ୍ତ ଏଜେନ୍ସିକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିଛନ୍ତି । ଭୂସ୍ଖଳନ ଯୋଗୁଁ ଅନେକ ସଡକ ପଥ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇ ଯାଇଛି । ଗୋଟିଏ ପୋଲ ସଂପୂର୍ଣ୍ଣ ଭୁଶୁଡି ଯାଇଛି । ୱାଏନାଡରରେ ମୋଟ୍ ୩ଟି ସ୍ଥାନରେ ବଡ ଭୂସ୍ଖଳନ ଘଟିଥିବା ବେଳେ ଶତାଧିକ ଲୋକ ଦବି କି ରହିଥିବା ଆଶଙ୍କା କରାଯାଉଛି ।
ସେନା ଉଦ୍ଧାରକାର୍ଯ୍ୟରେ ଜୁଟିଥିଲେ ହେଁ ପ୍ରବଳ ବର୍ଷା କାରଣରୁ ବାଧାପ୍ରାପ୍ତ ହେଉଛି । ଆଜି ଅଧିକରୁ ଅଧିକ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଅନେକ ନଦୀର ଜଳସ୍ତର ବିପଦ ସଙ୍କେତ ଛୁଇଁ ସାରିଲାଣି । ନଦୀ କୂଳରେ ଥିବା ବଡ ବଡ ଗଛ ଟଳି ପଡୁଥିବା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ବନ୍ୟା ଜଳରେ ଯାନବାହାନ ଭାସି ଆସି ଗଛରେ ଲାଗିଥିବା ଦେଖିବାକୁ ମିଳୁଛି ।