ଭୁବନେଶ୍ୱର: ପ୍ରଥମ ଥର ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ନିଜସ୍ୱ ଅବକାରୀ ନୀତି ଆଣିବାକୁ ଯୋଜନା କରୁଛନ୍ତି । ଏଥିପାଇଁ ସମୟ ଲାଗୁଥିବାରୁ ପୂର୍ବ ବିଜେଡି ସରକାରଙ୍କ ଅବକାରୀ ନୀତିର ଅବଧିକୁ ଆଉ ମାସେ ବୃଦ୍ଧି କରିଥିବା ଜଣାପଡ଼ିଛି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ତତକାଳୀନ ବିଜେଡି ସରକାର ଏପ୍ରିଲରୁ ଜୁଲାଇ ମାସ ପର୍ଯ୍ୟନ୍ତ ଅବକାରୀ ନୀତି ଲାଗୁ କରିଥିଲେ ।
ରାଜ୍ୟ ଅବକାରୀ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ମୋହନ ମାଝୀଙ୍କ ସରକାର ନିଜସ୍ୱ ଅବକାରୀ ନୀତି ଆଣିବା ପାଇଁ ଏବେ କାମ କରୁଛନ୍ତି । ରାଜ୍ୟରେ ନୂଆ ମଦ ଦୋକାନ ଖୋଲିବା ଉପରେ କଟକଣା ଓ ପର୍ଯ୍ୟାୟକ୍ରମେ ମଦ ଦୋକାନ ସଂଖ୍ୟା ହ୍ରାସ ଏବଂ ବିଜେଡି ସରକାରର ‘ଲଟେରୀ ସିଷ୍ଟମରେ ୫ବର୍ଷିଆ ଲାଇସେନ୍ସ’ ଆଦିରେ ବ୍ୟାପକ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି । ଏହାଛଡ଼ା ପୂର୍ବର ବିଜେଡି ସରକାର ଭଳି ରାଜସ୍ୱ ସଂଗ୍ରହ ପାଇଁ ଅବକାରୀ ଟିକସ ଉପରେ ନିର୍ଭରଶୀଳତା କମ କରିବାକୁ ମଧ୍ୟ ବିଜେପି ସରକାର ଯୋଜନା କରିଥିବା ଜଣାପଡ଼ିଛି। ଏମିତି ହେଲେ ସମୟକ୍ରମେ ଓଡିଶାରେ ମଦ ଦୋକାନ ସଂଖ୍ୟା ହ୍ରାସ ପାଇବ ।
ପ୍ରଚଳିତ ଓଡ଼ିଶା ଅବକାରୀ ନୀତି ୨୦୨୪-୨୫ର ଅବଧିକୁ ଆଉ ଏକମାସ ବୃଦ୍ଧି କରାଗଲା ବୋଲି ରାଜ୍ୟ ଅବକାରୀ ବିଭାଗର ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ଦାସ ପଟ୍ଟନାୟକ ରାଜ୍ୟ ଅବକାରୀ କମିଶନରଙ୍କୁ ଅବଗତ କରିଛନ୍ତି । ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ପ୍ରଚଳିତ ହାରରେ ବିଭିନ୍ନ ଫି’ ସହ ଗାଇଡଲାଇନ୍ କାର୍ଯ୍ୟ କରାଯିବ । ତେବେ ଗ୍ରାମାଂଚଳରେ ନୂଆ ମଦ ଦୋକାନ ଖୋଲିବା ଉପରେ କଟକଣା ବଳବତ୍ତର ରହିଛି ବୋଲି ଅବକାରୀ କମିଶନଙ୍କର ସୂଚିତ କରିଛନ୍ତି।
ସୂଚନାଯୋଗ୍ୟ, ପ୍ରତିବର୍ଷ ମାର୍ଚ୍ଚ ୩୧ତାରିଖ ପୂର୍ବରୁ ରାଜ୍ୟ ସରକାର ନୂଆ ଅବକାରୀ ନୀତି ଘୋଷଣା କରିଥାନ୍ତି । ତେବେ ଚଳିତବର୍ଷ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ୧ରୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଅବକାରୀ ନୀତି ଘୋଷଣା କରିଥିଲେ । ଯାହାକୁ ଏବେପୁଣି ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।