ଘନେଇଲା ଆଳୁ ସଙ୍କଟ, ପୁଣି କିଲୋ ୫୦ ଟଙ୍କା ପାର


ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଆଶ୍ୱାସନ ଏବଂ ଉତ୍ତର ପ୍ରଦେଶରୁ ଆଳୁ ଆସିଥିଲେ ମଧ୍ୟ ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଆଳୁ ଦର। ଆଳୁ ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ହଠାତ ପୁଣି ସାରା ରାଜ୍ୟରେ ଆଳୁ ଦରରେ ନିଆଁ ଲାଗିଛି। କଟକ ଛତ୍ରବଜାର, ଭୁବନେଶ୍ୱର ଆଇଗିଣିଆ ଗୋଦାମରେ ଆଳୁ ସଙ୍କଟ ଦେଖାଦେଇଛି।

ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସିପାରୁନଥିବାରୁ ରାଜୟରେ ଉତ୍କଟ ସ୍ଥିତି ଉପୁଜିଛି। ଉତ୍ତର ପ୍ରଦେଶରୁ ପର୍ଯ୍ୟାପ୍ତ ଆଳୁ ଆସିପାରୁ ନଥିବାରୁ ବଜାରରେ ଆଳୁ ଅଭାବ ଦେଖା ଦେଇଛି। କଟକ, ଭୁବନେଶ୍ୱରରେ ଆଳୁ କେଜି ଦିନକରେ ୨୦ରୁ ୨୫ ଟଙ୍କା ବୃଦ୍ଧିପାଇଥିବା ଚିନ୍ତାର କାରଣ ପାଲଟିଛି।

ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଆଜି ବଜାରରେ ଆଳୁ ନାହିଁ। ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ ଯୋଗୁ ବ୍ୟବସାୟୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ୁଛି। ରାଜ୍ୟବାସୀ ମଧ୍ୟ ୟୁପି ଆଳକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଫଳରେ ବିକ୍ରି ନ ହୋଇ ଆଳୁ ପଚି ଯାଉଛି। ଏହାବାଦ ଗତକାଲି ୩୦୦ ଗାଡ଼ି ପଶ୍ଚିମବଙ୍ଗର ବର୍ଡରରେ ପହଞ୍ଚିଥିଲେ ବି ତାହା ଅତିକ୍ରମ କରି ପାରି ନ ଥିଲା । ଫଳରେ ତାହା ଫେରି ଯାଇଛି ।

ଏବେ ବଜାରରେ ଆଳୁ ନ ଥିବା ବେଳେ ଆଳୁ ଗାଡ଼ି ଆସି ପହଞ୍ଚିବାକୁ ଆହୁରି ୭ ଦିନ ଲାଗିବ। କାରଣ ଆଳୁ ପ୍ରଥମେ କୋଲ୍ଡ ଷ୍ଟୋରରୁ ବାହାରିବ, ଶୁଖା ହେବ, ବଛା ହେବ, ପ୍ୟାକିଂ ହେବା ନିମନ୍ତେ ଦୁଇ ଦିନ ଲାଗିବ । ଏହାପରେ ଲୋଡିଂ ହୋଇ ଓଡ଼ିଶାରେ ପହଞ୍ଚିବାକୁ ଆହୁରି ୫ ଦିନ ଲାଗିବ । ତେଣୁ ଏହା ମଧ୍ୟରେ ଲୋକଙ୍କ ଆବଶ୍ୟକତାକୁ କିପରି ପୂରଣ କରାଯିବ ତାହା ଏକ ଚ୍ୟାଲେଞ୍ଜ ।

ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଓଡ଼ିଶାର କୋଲ୍ଡ ଷ୍ଟୋରରେ ପ୍ରାୟ ୧୫ ହଜାର ଟନ ଆଳୁ ମହଜୁଦ ଥାଇପାରେ। ତାହା ୩ ଦିନର ଆବଶ୍ୟକତା ମେଣ୍ଟାଇପାରେ। ଏହାପରେ ସରକାର ଯାହା ପଦକ୍ଷେପ ନେବେ ସେହି ହିସାବରେ ହେବ ।