ଲୋକଙ୍କୁ ୩୦ ଟଙ୍କାରେ ଆଳୁ ଯୋଗାଇବେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଆଳୁ ସଙ୍କଟର ସମାଧାନ ପାଇଁ ସରକାରଙ୍କ ଉଦ୍ୟମ ଜାରି ରଖିଛନ୍ତି। ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଛଡା ନ ଯିବାରୁ ରାଜ୍ୟ ସରକାର ଉତ୍ତର ପ୍ରଦେଶରୁ ଆଳୁ ଆଣୁଛନ୍ତି । ତଥାପି ଆଳୁ ସଙ୍କଟ ଦୂର ହେଉନି । ଏବେ ନାଫେଡ ମାଧ୍ୟମରେ ଉତ୍ତରପ୍ରଦେଶରୁ ଆସିବ ଆଳୁ। ଖାଉଟିଙ୍କୁ କିଲୋ ପିଛା ୩୦ ଟଙ୍କାରେ ବିକ୍ରି କରାଯିବ । ଏହା ଦ୍ୱାରା ରାଜ୍ୟ ସରକାର ନାଫେଡ ମାଧ୍ୟମରେ ଆଳୁ କିଣିବା ସହ ଖାଉଟି ମାନଙ୍କୁ କିଲୋ ପିଛା ୩୦ ଟଙ୍କାରେ ଯୋଗାଇ ଦେବେ। ଫଳରେ ଲୋକଙ୍କୁ ଆଳୁ ସଙ୍କଟରୁ ମୁକ୍ତି ମିଳିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ୩୦୦ ମେଟ୍ରିକ ଟନ୍ ଆଳୁ ପାଇଁ ନାଫେଡ ମାଧ୍ୟମରେ ଅର୍ଡର କରାଯାଇଛି। ଯାହାକି ଆସନ୍ତା ସପ୍ତାହେ ମଧ୍ୟରେ ରାଜ୍ୟରେ ଉପଲବ୍ଧ ହେବ। ଉଚ୍ଚା ଦରରେ କିଣିଲେ ବି ଲୋକଙ୍କୁ ୩୦ ଟଙ୍କାରେ ଆଳୁ ଦିଆଯିବ ।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ଆଳୁ ଦର ପାଖାପାଖି ୫୦ ରହିଛି । ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସିପାରୁନଥିବାରୁ ରାଜୟରେ ଉତ୍କଟ ସ୍ଥିତି ଉପୁଜିଛି। ଉତ୍ତର ପ୍ରଦେଶରୁ ପର୍ୟ୍ୟାପ୍ତ ଆଳୁ ଆସିପାରୁ ନଥିବାରୁ ବଜାରରେ ଆଳୁ ଅଭାବ ଦେଖା ଦେଇଛି। କଟକ, ଭୁବନେଶ୍ୱରରେ ଆଳୁ କେଜି ଦିନକରେ ୨୦ରୁ ୨୫ ଟଙ୍କା ବୃଦ୍ଧିପାଇଥିବା ଚିନ୍ତାର କାରଣ ପାଲଟିଛି।