ଭି. କେ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଓ ହେଲିପ୍ୟାଡ ନିର୍ମାଣର ତଦନ୍ତ କରାଯିବ: ପୂର୍ତ୍ତ ଓ ଆଇନ ମନ୍ତ୍ରୀ


ଭୁବନେଶ୍ୱର: ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ବିଜେଡିର ଦୁଇ ନମ୍ବର ନେତା ଭିକେ ପାଣ୍ଡିଆନଙ୍କୁ ନେଇ ଏବେ ଆକ୍ସନ ମୋଡରେ ବିଜେପି ସରକାର । ପାଣ୍ଡିଆନଙ୍କ ହେଲିକପ୍ଟରରେ ରାଜ୍ୟ ସାରା ବୁଲିଲା ପ୍ରସଙ୍ଗକୁ ମୋହନ ମାଝୀଙ୍କ ସରକାର ଗୁରୁତର ସହ ଗ୍ରହଣ କରିଛନ୍ତି । ୨୦୨୪ ନିର୍ବାଚନ ବେଳେ ଓ ତା ପୂର୍ବରୁ ବିଜେଡି ନେତା ଭି. କେ ପାଣ୍ଡିଆନ ଏକ ସରକାରୀ ହେଲିକପ୍ଟରରେ ବୁଲି ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା। ଏନେଇ ରାଜ୍ୟ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି କି ପାଣ୍ଡିଆନ ହେଲିକପ୍ଟର ଗସ୍ତ ଖର୍ଚ୍ଚ କିଏ ବହନ କରିଥିଲା, ତାର ସ୍ପଷ୍ଟତା ଆସିବା ଦରକାର। ତେଣୁ ତଦନ୍ତ ହେବା ଆବଶ୍ୟକତା ରହିଛି।

ସେ କହିଛନ୍ତି, ତାଙ୍କ ହେଲିପ୍ୟାଡ଼ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଯାଉଥିଲା ଏବଂ ସରକାରୀ ଖର୍ଚ୍ଚରେ ହେଲିପ୍ୟାଡ଼ ନିର୍ମାଣ କରାଯାଉଥିଲା । ପାଣ୍ଡିଆନ ପାଖାପାଖି ୪୦୦ ରୁ ୪୫୦ ଜାଗା ବୁଲିଛନ୍ତି। ହେଲିପ୍ୟାଡ ନିର୍ମାଣ ଲାଗି ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି, ସେ ବାବଦରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ। କିଏ ନିର୍ଦ୍ଦେଶ ଦେଇଥିଲା ଏବଂ କେମିତି ନିର୍ଦ୍ଦେଶ ଦେଇଥିଲା ତାର ତଦନ୍ତ କରାଯିବାର ଆବଶ୍ୟକତା ରହିଛି ।

ଭି. କେ ପାଣ୍ଡିଆନ ସଚିବ ଥିବା ବେଳେ ହେଲିକପ୍ଟର ବ୍ୟବହାର କରିଛନ୍ତି। ଏନେଇ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବିଭଗୀୟ ସଚିବ ଯାହାର ହେଲିକପ୍ଟର ବ୍ୟବହାର କରିବାର ପ୍ରବଧାନ ନାହିଁ, ସରକାର କେମିତି ଅନୁମତି ଦେଇଥିଲେ? କିଏ ହେଲିକପ୍ଟର ଅବତାରଣ କରିବା ପାଇଁ ପ୍ରୋସେସ କରିଥିଲେ, ଏ ସବୁ ତଦନ୍ତ ପରିସରଭୁକ୍ତ ହେବ। ତଦନ୍ତ କରାଯାଇ ଦଣ୍ଡବିଧାନ କରାଯିବ। ତଦନ୍ତ ପରେ ଦଣ୍ଡବିଧାନ କରାଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ଏହା ପୂର୍ବରୁ ପରିବହନ ମନ୍ତ୍ରୀ କହି ସାରିଛନ୍ତି ଯେ, ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚର ତଦନ୍ତ ଆରମ୍ଭ ହେବ ଏବଂ ଏନେଇ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜଣେ ବ୍ୟକ୍ତି ଯଦି ସର୍ବସମ୍ମୁଖରେ ରାଜକୋଷକୁ ଲୁଣ୍ଠନ କରିବେ, ଏହା କେବେ ଗ୍ରହଣୀୟ ନୁହେଁ। ଆମ ସରକାର ଏ କଥାକୁ ପୁରା ନଜର ରଖିଛନ୍ତି। ସରକାର ଶୂନ୍ୟ ଦୁର୍ନୀତି ନୀତିକୁ ଆପଣାଇଛନ୍ତି। ଦୁର୍ନୀତିକୁ ସରକାର ବରଦାସ୍ତ କରିବେ ନାହିଁ। ଏନେଇ ତଦନ୍ତ ଚାଲିଛି। ଖୁବ୍ ଶୀଘ୍ର କାର‌୍ୟ୍ୟାନୁଷ୍ଠାନ ହେବ।

ଭି.କେ ପାଣ୍ଡିଆନ କୋଟି କୋଟି ଟଙ୍କା ହେଲିକପ୍ଟର ଗସ୍ତରେ ଖର୍ଚ୍ଚ କରିଥିବାର ଅଭିଯୋଗ ରହିଛି। ୨୦୧୩ ରୁ ୨୦୨୪ ଭିତରେ ୫୦୦ କୋଟିରୁ ଅଧିକ ଖର୍ଚ୍ଚ ଅଭିଯୋଗ ହୋଇଛି। ପାଣ୍ଡିଆନଙ୍କ ଗସ୍ତ ପାଇଁ ପ୍ରତି ବ୍ଲକରେ ହେଲିପ୍ୟାଡ୍ ତିଆରି ହେଉଥିଲା।

ସୂଚନାଯୋଗ୍ୟ, ଭିକେ ପାଣ୍ଡିଆନ ବିଜେଡି ସରକାର ସମୟରେ ରାଜ୍ୟ ସାରା ବୁଲି ଲୋକଙ୍କ ଅଭିଯୋଗ ଶୁଣୁଥିଲେ । ପାଖାପାଖି ୬ ମାସ ବୁଲି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ । ଏଥିରେ କୋଟି କୋଟି ଟଙ୍କା ସରକାରୀ ରାଜସ୍ୱରେ ଖର୍ଚ୍ଚ ହେଉଥିଲା । ତାଙ୍କ ଗସ୍ତକୁ ନେଇ ରାଜନୀତି ଜୋର ଧରିଥିଲା । ବିଜେପି ଓ କଂଗ୍ରେସ ଏହାକୁ ନେଇ ବିଜେଡି ସରକାରକୁ ଘେରିଥିଲେ । ବିଧାନସଭାରେ ମଧ୍ୟ ଅନେକ ଥର ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।