ଭୁବନେଶ୍ବର: ଅମାପ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ବନ୍ଧା ହେଲେ ଆର୍ ଆଣ୍ଡ ବି ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କୁ ଗିରଫ କରାଯାଇଛି । ଚଢ଼ାଉ ବେଳେ ତାରାପ୍ରସାଦଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଖୋସି ହୋଇ ଯାଇଥିଲା । ଚଢ଼ାଉ ସମୟରେ ତାରା ପ୍ରସାଦଙ୍କର ୧୦ଟି ଫ୍ଲାଟ୍, ୭ଟି ପ୍ଲଟ୍ ଏବଂ ତାଙ୍କ ଘରୁ ଅଢେଇ କେଜି ସୁନା ମିଳିଥିଲା । ସେହିପରି ୩୭୦ ଗ୍ରାମ ହୀରା, ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଠାବ ହୋଇଥିଲା । ନଗଦ ୬ ଲକ୍ଷ ଟଙ୍କା, ୨ଟି ଦାମୀ କାର୍ ମଧ୍ୟ ଠାବ କରିଥିଲା ଭିଜିଲାନ୍ସ ।
ଭିଜିଲାନ୍ସ ଗତକାଲି ଜାରି କରିଥିବା ପ୍ରେସ୍ନୋଟ୍ ଅନୁସାରେ ତାରା ପ୍ରସାଦ ମିଶ୍ରଙ୍କ ନାଁରେ ରାଜଧାନୀ ଭୁବନେଶ୍ୱର ଓ ଝାରସୁଗୁଡ଼ାରେ ରହିଛି ୧୦ଟି ଫ୍ଲାଟ୍ । ଏହାଛଡ଼ା ପ୍ଲଟ୍ ମଧ୍ୟ ରହିଛି । ପ୍ଲଟଗୁଡ଼ିକ ଭୁବନେଶ୍ୱର, କଟକ ଓ ଜଟଣୀରେ ରହିଛି । ତାରା ପ୍ରସାଦଙ୍କ ଘରୁ ୨.୭ କୋଟି ଟଙ୍କାର ବ୍ୟାଙ୍କ ଜମା, ୨.୫ କେଜି ସୁନା, ନଗଦ ୬ ଲକ୍ଷ ଟଙ୍କା, ଗୋଟିଏ ମରସିଡିଜ୍ ବେଞ୍ଜ କାର୍, ଗୋଟିଏ କିଆ କାର୍ ଓ ଗୋଟିଏ ଦାମୀ ଘଣ୍ଟା ଜବତ ହୋଇଛି । ଯେଉଁ ଘଣ୍ଟାର ଦାମ ୧୩ ଲକ୍ଷ ଟଙ୍କା ରହିଛି ।
ଏହାଛଡ଼ା ବହୁ ବିଦେଶୀ ମୁଦ୍ର ମଧ୍ୟ ଜବତ କରିଛି ଭିଜିଲାନ୍ସ । ଯେଉଁଥିରେ ରହିଛି- USA, Thailand, Vietnam, UAE, Canada, Mexico, Malaysia & Singapore ମୁଦ୍ରା । ମିଶ୍ର ନିୟମିତ ବିଦେଶ ଗସ୍ତ କରୁଥିବା ବି ଜଣାଯାଇଛି ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମିଶ୍ରଙ୍କ ଘରୁ ବହୁ ହିରା ଅଳଙ୍କର ଜବତ ହୋଇଛି । ଯାହାର ଅନୁମାନ ମୂଲ୍ୟ କୋଟି କୋଟି ଟଙ୍କା ହେବ । ଘରର ସାଜସଜା ବି କୌଣସି ରାଜମହଲଠୁ କମ୍ ନୁହେଁ ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୯ଟି ଟିମ୍ ଗତକାଲି ସକାଳେ ମିଶ୍ରଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, କଟକ, ଝାରସୁଗୁଡ଼ାର ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା । ଭୁବନେଶ୍ୱର ନୟାପଲ୍ଲୀର ଅର୍ପଣ ଆପାର୍ଟମେଣ୍ଟରେ ଥିବା ଘର, ଖଣ୍ଡଗିରି କସମୋପଲିସରେ ଥିବା ଫ୍ଲାଟ୍, ଝାରସୁଗୁଡ଼ା ଆସିଆନା ଆପାର୍ଟମେଣ୍ଟରେ ଥିବା ୩ଟି ଫ୍ଲାଟ୍, କଟକ ଆଠଗଡ଼ରେ ଥିବା ପୈତୃକ ଘର ଓ ତିଗିରିଆରେ ରହୁଥିବା ସମ୍ପର୍କୀୟଙ୍କ ଘରେ ଚଢଉ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରେ ଯାଜପୁରରେ ନିର୍ମିତ ହୋଇଥିବା ମାମୁ- ଭଣଜା କେନାଲ ମାତ୍ର ୬ ମାସ ପୁରୁଣୁ ଭାଙ୍ଗି ଯାଇଥିଲା । ଉକ୍ତ ସମୟରେ ତାରା ପ୍ରସାଦ ପାଣିକୋଇଲି ଡିଭିଜନର ମୁଖ୍ୟଯନ୍ତ୍ରୀ ଭାବ ଦାୟିତ୍ୱ ନିର୍ବାହ କରୁଥିଲେ । ଏହି ଘଟଣାକୁ ନେଇ ତମ୍ବିତୋଫାନ ହୋଇଥିବା ବେଳେ ଭିଜିଲାନ୍ସ ମାମଲା ରୁଜୁ କରିଥିଲା । ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା । ଏହାପରେ ସେ R&B ବିଭାଗର ମୁଖ୍ୟଯନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତେଣୁ ରାଜନୈତିକ ଛତ୍ରଛାୟା ତଳେ ରହି ତାରା ପ୍ରସାଦ କୋଟି କୋଟି ଟଙ୍କା ଦୁର୍ନୀତି କରିଥିବା ଏହି ଚଢ଼ାଉରୁ ସ୍ପଷ୍ଟ ହେଉଛି ।