ବାଇକ୍-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା, ଯୁବକ ମୃତ


ବଲାଙ୍ଗୀର: ବାଇକ୍ ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା । ବାଇକ ଚାଳକ ମୃତ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ହୋହାଲ୍ଲା । ଘଟଣା ଘଟିଛି ବଲାଙ୍ଗୀର-ସମ୍ବଲପୁର ରାଜରାସ୍ତାର ଫାସଡ଼ ଛକରେ । ମୃତ ଯୁବକ ହେଲେ ଲୋଇସିଂହା ନିକଟସ୍ଥ ଜଡ଼ାମୁଡା ଗାଁର ସୁମନ୍ତ ପ୍ରଧାନ ।

ଆଜି ସକାଳେ ସୁମନ୍ତ ବାଇକ୍ ଯୋଗେ ବଲାଙ୍ଗୀରରୁ ଲୋଇସିଂହା ଯାଉଥିଲେ । ଏହି ସମୟରେ ଫାସଡ଼ ନିକଟରେ ବିପରୀତ ଦିଗରୁ ଆସୁଥିବା ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସୁମନ୍ତଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଓ ଆମ୍ବୁଲାନ୍ସ ଡ୍ରାଇଭରକୁ ଗିରଫ ଦାବିରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଲୋଇସିଂହା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଛି ।

ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଚାଳକ ଫେରାର ହୋଇଯାଇଛି । ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିବା ଜଣାପଡ଼ିଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।