Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନବିଭାଗର କେଳେଙ୍କାରି; ଇଟା ପୋଡ଼ିବା ପାଇଁ ନେଉଛନ୍ତି ମୋଟା ଅଙ୍କର ଟଙ୍କା

ଜମନକିରା: ସମ୍ବଲପୁର ଜିଲ୍ଲା ବଡରମା ରେଞ୍ଜ ଅନ୍ତର୍ଗତ ବଡବାଦିବାହାଲ ଗ୍ରାମରେ ଘଟିଛି ଏଭଳି ଏକ ଘଟଣା। ଟଙ୍କା ନଦେଲେ ଜବତ କରିବା ସହ ଜୋରିମାନା ଆଦାୟ ପାଇଁ ନିୟମ ରହିଥିବା ବେଳେ ବନ ବିଭାଗର ଅଧିକାରୀ ଓ କର୍ମଚାରୀ କରୁଛନ୍ତି ଓଲଟା କାମ। ପ୍ରତି ବଦଳରେ ଚାଲିଛି କର୍ମଚାରୀଙ୍କ ଦବଙ୍ଗଗିରି।

ସୂଚନା ଯୋଗ୍ୟ ଯେ, ବଡବାଦିବହାଲ ଗ୍ରାମର କିଛି ଲୋକଙ୍କ ନାମ ରେ କଲୋନୀ ଘର ଆସିଥିବାରୁ ସେମାନେ ମାଟି ପୋଡ଼ା ଇଟା ତିଆରି କରିଥିଲେ। ତାହା ପୋଡିବା ପାଇଁ ବନବିଭାଗର ଅନୁମତି ଲୋଡିଥିଲେ। ଦାୟିତ୍ଵରେ ଥିବା ଜୈନେକ ମହିଳା ବନରକ୍ଷୀ ପ୍ରତ୍ୟେକଙ୍କ ଠାରୁ ପାଞ୍ଚ ରୁ ଛଅ ହଜାର ଟଙ୍କା ନେଇ ଅନୁମତି ଦେଇଥିଲେ। କିନ୍ତୁ କୌଣସି ଲିଖିତ ରସିଦ ପ୍ରଦାନ କରିନଥିଲେ। କିଛି ଦିନ ପୂର୍ବରୁ ଗ୍ରାମର ଦିବ୍ୟଶଙ୍କର ପ୍ରଧାନ ତାଙ୍କର ଇଟା କୁ ପୋଡିବା ପାଇଁ ପ୍ରସ୍ତୁତି ହେଉଥିବା ବେଳେ ସଂପୃକ୍ତ ଫରେଷ୍ଟ ଗାର୍ଡ ତିନି ଜଣ ୱାଚାରଙ୍କ ସହ ଆସି ତିନି ହଜାର ଟଙ୍କା ମାଗିଥିଲେ କିନ୍ତୁ ଦିବ୍ୟଶଙ୍କରଙ୍କ ସ୍ତ୍ରୀ ଆଗରୁ ଦେଇଥିବା ପାଞ୍ଚ ହଜାର ଟଙ୍କାର ରସିଦ ନଦେଲେ ଆଉ ଟଙ୍କା ଦେବେନି ବୋଲି ରୋକ୍ ଠୋକ୍ ମନା କରିଦେଇଥିଲେ। ଫଳରେ ସଂପୃକ୍ତ ମହିଳା ଫରେଷ୍ଟ ଗାର୍ଡ ୱାଚର୍ ମାନଙ୍କ ସହାୟତାରେ ଦବଙ୍ଗଗିରି ଆରମ୍ଭ କରିଦେଥିଲେ। ଭାଟିରେ ଚଉତି ଥିବା ଇଟା ଗୁଡ଼ିକୁ ଫିଙ୍ଗିବା ଆରମ୍ଭ କରିଥିଲେ। ଏହାକୁ ବିରୋଧ କରି ଦିବ୍ୟଶଙ୍କରଙ୍କ ପରିବାର ଓ ବନ କର୍ମଚାରିଙ୍କ ମଧ୍ୟରେ ହାତାପାଇ ହୋଇଥିଲା। ଯାହାକି ଜମନକିରା ଥାନା ପର୍ଯ୍ୟନ୍ତ କଥା ଯାଇଥିଲା।
ଏସଂପର୍କରେ ଅଧିକ ତଥ୍ୟ ପାଇଁ ଆମ ପ୍ରତିନିଧି ଏରିଆ ଦାୟିତ୍ଵରେ ଥିବା ଫରେଷ୍ଟର ଭେଙ୍କଟେଶ୍ୱର ପୀଙ୍ଗଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ ଉଠେଇ ନଥିଲେ। ପରେ ତଦନୁ ରୁପେ ସଂପୃକ୍ତ ମହିଳା ଫରେଷ୍ଟ ଗାର୍ଡଙ୍କୁ ମଧ୍ୟ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ ଫୋନ ଉଠେଇ ନଥିଲେ। ଏହା କେବଳ ଏହି ପଞ୍ଚାୟତରେ ସୀମିତ ହୋଇ ରହିନାହିଁ। ସାରା ବ୍ଲକ ଅଞ୍ଚଳରେ ବ୍ୟାପକ ଭାବେ ମାଟି ଇଟା ପୋଡ଼ା ଯାଉଥିବା ବେଳେ ହଜାର ହଜାର ବଡ଼ ବଡ଼ ଗଛ କାଟି ପୋଡ଼ା ଯାଉଛି। ଏଥି ସହ ସରକାରୀ ଜମିରୁ ବ୍ୟବସାୟ ପାଇଁ ମାଫିଆ ମାନେ ଲକ୍ଷ୍ୟ ଲକ୍ଷ୍ୟ ଇଟା ପୋଡେଇ ବିକ୍ରି କରୁଛନ୍ତି। ଏ ସମସ୍ତ କାର୍ଯ୍ୟ ଉଭୟ ବନ ବିଭାଗର ଅଧିକାରୀ ଏବଂ ରାଜସ୍ବ ବିଭାଗର ଅଧିକାରୀ ମାନଙ୍କର ଗୋଚରରେ ହେଉଥିବା ବେଳେ ବିନା ରସିଦରେ ଟଙ୍କା ଅସୁଲ କରି ନିଜ ପକେଟ ଗରମ କରୁଥିବା ଅଭିଯୋଗ ହେଉଛି। ଏସବୁ ବିଭାଗୀୟ ଉଚ୍ଚ ଅଧିକାରୀ ଜାଣୁଥିଲେ ସୁଦ୍ଧା କିଛି ନଜାଣିଲା ଭଳି କାର୍ଯ୍ୟ କରୁଛନ୍ତି। ଯଦ୍ୱାରା କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଥିବା ଅଭିଯୋଗ ହେଉଛି। ତେବେ ଆଗାମୀ ଦିନରେ ଏହାକୁ ରୋକା ନଗଲେ ଆନ୍ଦୋଳନ କରାଯିବ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
ପରେ ଏ ସଂକ୍ରାନ୍ତରେ ବାମରା ଡିଏଫ୍ଓ ସୁରେନ୍ଦ୍ର ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories