ଭୁବନେଶ୍ବର: ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ପବିତ୍ର ଜନ୍ମାଷ୍ଟମୀ ତଥା ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ । ଏଥିପାଇଁ ସାରା ଦେଶରେ କୃଷ୍ଣମୟ ପରିବେଶ । ମଥୁରା ଓ ବୃନ୍ଦାବନରେ ଭକ୍ତିମୟ ପରିବେଶରେ ମହାପ୍ରଭୁଙ୍କ ଆବାହନ କରାଯିବ।
ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି । ସନ୍ଧ୍ୟାଧୂପ ଶେଷ ହେବା ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ । ଗତକାଲି ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯେଉଡ଼ ଭୋଗ ସହ ଗର୍ଭଉଦକ ବନ୍ଦାପନା ନୀତି କରାଯାଇଥିଲା । ଆଜି ମହାଜନ ସେବକଙ୍କ ଦ୍ୱାରା ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ । ଜନ୍ମ ଚକଡ଼ାରେ ନିଶାର୍ଦ୍ଧରେ ପ୍ରଭୁ କୃଷ୍ଣ ଜନ୍ମ ନେବେ । ସନ୍ଧ୍ୟାଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଭଣ୍ଡାର ଘର ସମ୍ମୁଖ ଭାଗରେ ପୂଜାପଣ୍ଡା ସେବାୟତମାନେ ପଞ୍ଚବର୍ଣ୍ଣ ମୁରୁଜରେ ଜନ୍ମମଣ୍ଡଳୀ ଅଙ୍କନ କରିବେ ।
ସେଠାରେ ସୁନାର କୃଷ୍ଣ ମୂର୍ତ୍ତି ରଖାଯାଇ ଦକ୍ଷିଣ ଘରୁ ମଦନମୋହନଙ୍କୁ ଅଣାଯିବ । ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ଚରିତ୍ର ହୋଇ ଏହି ଜନ୍ମନୀତି ପାଳନ କରିବେ । ପରେ ମଦନମୋହନଙ୍କୁ ନାଭିକଟାମଣ୍ଡପକୁ ନିଆଯାଇ କୃଷ୍ଣଜନ୍ମଠାରୁ ଉପନୟନ ପର୍ଯ୍ୟନ୍ତ ନୀତି ଅନୁଷ୍ଠିତ ହେବ । ସେହିପରି ଜଗମୋହନ ନିକଟରେ ଏକ ଦୋଳିରେ ମଦନମୋହନଙ୍କୁ ରଖାଯାଇ ଶ୍ରୀକୃଷ୍ଣ ଜନ୍ମନୀତି ଶେଷ କରାଯିବ । ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆଜିଠାରୁ ଆରମ୍ଭ ହୋଇ କଂସବଧ ଲୀଳା ନୀତି ପର୍ଯ୍ୟନ୍ତ ଚାଲୁ ରହିବ । ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ନଗରୀ । ଉତ୍ତରପ୍ରଦେଶ ମଥୁରା ସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରରେ ଭବ୍ୟ ଆୟୋଜନ ହୋଇଛି । ଗୁଜରାଟ ଦ୍ୱାରକାଧୀଶ ମନ୍ଦିର ମଧ୍ୟ ଝଲସୁଛି ଆକର୍ଷଣୀୟ ଆଲୋକମାଳାରେ । ତୀର୍ଥଯାତ୍ରୀଙ୍କ ଭିଡ଼ ସହଗହଳ ଚହଳରେ ପୂରି ଉଠିଛି ଦ୍ୱାରକା ନଗରୀ । ଚଳିତ ବର୍ଷ ସେଠାରେ ପାଳିତ ହେଉଛି ୫୨୫୧ ତମ ଜନ୍ମାଷ୍ଟମୀ ଉତ୍ସବ ।