ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ପରିପ୍ରେକ୍ଷୀରେ କୁଇଜ୍ ପ୍ରତିଯୋଗିତା


ଜମନକିରା : ଜମନକିରା ବ୍ଲକ ବଡରମା ପଞ୍ଚାୟତ ଷଣ୍ଢପଥର ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟରେ ଆଜି ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶ୍ରୀ ଦେବକୀ ନାଏକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଜମନକିରା ଜୋନ ୧ ସଭ୍ୟା ସୁଜାତା ଖୁଣ୍ଟିଆ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ସ୍କୁଲର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ପ୍ରମୁଖ ମଞ୍ଚାଷିନ ରହି କୃତି ପ୍ରତିଯୋଗୀ କୁ ମାନପତ୍ର ସହ ସମ୍ମାନୀତ କରିଥିଲେ। ପ୍ରାଥମିକ ସ୍ତରରେ ସହାଜବାହଲ ସ୍କୁଲର ଟିନକୁଶ ପଧାନ ପ୍ରଥମ, ଭୋଇପାଲି ପ୍ରାଥମିକ ସ୍କୁଲର ତେଜସ୍ଵୀନି ପଟେଲ ଦ୍ଵିତୀୟ, ବଡରମା ସ୍କୁଲ ଆଶ୍ରମ ସ୍କୁଲର ପ୍ରଜ୍ଞା ପ୍ରିୟଦର୍ଶିନୀ ଦେହୁରୀ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ସ୍ତରରେ ଚିନିମହୁଲ ଆଦର୍ଶ ବିଦ୍ୟାଳୟର ଶାଶ୍ଵତ ସାହୁ ପ୍ରଥମ, ଜମନକିରା ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଜ୍ଞା ମହାପାତ୍ର ଦ୍ଵିତୀୟ ଏବଂ ଭୋଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ଟସମିନ ବେହେରା ଯଥାକ୍ରମେ ତୃତୀୟ ସ୍ଥାନ ହାସଲ କରିଥିଲେ। ଏଥିରେ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ତଥା ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୫୪ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ଏକ ସଭା ଆୟୋଜନ ହୋଇଥିଲା। ସିଆରସିସି ମାନେ ସଭାରେ କ୍ଲଷ୍ଟର ସ୍ତରୀୟ ମାସିକ ସଭା, ମୌଳିକ ସାକ୍ଷରତା ଓ ସଂଖ୍ୟଜ୍ଞାନ, ଜାତୀୟ ଉପଲବ୍ଧି ସର୍ଭେକ୍ଷଣ ୨୦୨୪, ୟୁନିଫର୍ମ ବଣ୍ଟନ, ୟୁଡ଼ାଈସ୍, ବିଦ୍ୟାଳୟର ଶୈଖିକ ତଥା ସହ -ସୈଖିକ ପରିବେଶର ଉନ୍ନତି କରଣ ଉପରେ ଆଲୋକପାତ କରିଥିଲେ। ସଭାରେ ସିଆରସିସି ପ୍ରତାପ ମହାପାତ୍ର ଏବଂ ଶ୍ରୀକାନ୍ତ ପଟେଲ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଏବିଇଓ ସୁଶ୍ରୀ ନାୟକ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ଜାତୀୟ ଶିକ୍ଷାନୀତି -୨୦୨୪ ଉପରେ ଆଲୋକପାତ କରିଥିଲେ ଓ ଶିକ୍ଷା ରୁପକ ନାଆର ସୁଦକ୍ଷ ନାଉରି ହୋଇ କୁନି କୁନି ଛାତ୍ର ଛାତ୍ରୀଙ୍କୁ ଉତ୍ତମ ଶିକ୍ଷାଦାନ କରିବା ପାଇଁ ଉଷ୍ୟାହିତ କରିଥିଲେ। ଶେଷରେ ପ୍ରଶାନ୍ତ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଈ ସଭାକାର୍ଯ୍ୟ ସମାପନ କରିଥିଲେ।

ଗଜପତି ଜିଲ୍ଲାରେ ଆନ୍ଧ୍ର ଅଧିକାରୀମାନଙ୍କ ବେଆଇନ ପ୍ରବେଶକୁ ପ୍ରଶୟ ଦିଆଯିବ ନାହିଁ…. ଗଜପତି ଜିଲ୍ଲାପାଳ ପାରଳାଖେମୁଣ୍ଡି,୧୯/୭(ଗରୁଡ ଧ୍ୱଜ ଚୌଧୁରୀ) ଓଡ଼ିଶା ସୀମାରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ କରି ଓଡ଼ିଶାର 3 ଗୋଟି ଗାଁକୁ ଆନ୍ଧ୍ରର ବୋଲି ଦାବି କରିବା ବ୍ୟର୍ଥ ଉଦ୍ୟମକୁ କେବେ ବି ସଫଳ କରି ଦିଆଯିବନାହିଁ. ଓଡିଶା ତଥା ଗଜପତି ଜିଲ୍ଲାର ପରିସୀମା ମଧରେ ଆନ୍ଧ୍ର ଅଧିକାରୀଙ୍କ ବେଆଇନ ପ୍ରବେଶ ଓ ବିଭିନ୍ନ ମିଥ୍ୟା ଓ ବିଭ୍ରାନ୍ତିକର ମନ୍ତବ୍ୟକୁ କେବେ ବି ପ୍ରଶୟ ଦିଆ ଯିବନାହିଁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଦୃଢତାର ସହ ପ୍ରକାଶ କରିଛନ୍ତି.ଏହି ଘଟଣା ନେଇ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ଆକସନ୍ ମୁଡ୍‌ରେ ରହିଥ‌ିବା ଜଣାପଡ଼ିଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧୀନ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା, ଆମରିଙ୍ଗି ଓ ବୁରୁସିଂ ଆଦି 3 ଗୋଟି ଗ୍ରାମକୁ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଓ ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର ପଣ୍ଡା ପହଞ୍ଚି ଲୋକଙ୍କ ସହ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଆନ୍ଧ୍ରର କୌଣସି ଅଧିକାରୀ ଆସିଲେ ଡରିବାର ନାହିଁ. ତୁରନ୍ତ ପ୍ରଶାସନକୁ ଜଣାଇବାକୁ ଜିଲ୍ଲାପାଳ ଗ୍ରାମବାସୀଙ୍କୁ କହିଛନ୍ତି. ଓଡ଼ିଶା ଜାଗା ଛାଡିବୁନି କି ଆନ୍ଧ୍ର ଜାଗା ମାଡ଼ିବୁ ନାହିଁ ବୋଲି ଜିଲ୍ଲାପାଳ ବିଜୟ କୁମାର ଦାସ ଗ୍ରାମବାସୀମାନଙ୍କୁ ଦୃଢତାର ସହ ପ୍ରକାଶ କରିଛନ୍ତି। ଏଥିସହ ମାଣିକପାଟଣାରେ ତିଆରି ହୋଇଥିବା ଆନ୍ଧ୍ରର ଅଙ୍ଗନବାଡ଼ି କେନ୍ଦ୍ରକୁ ବୁଲି ଦେଖୁବା ସହ ଉକ୍ତ କେନ୍ଦ୍ରର ସୀମା ଚିହ୍ନଟ ପାଇଁ ରାୟଗଡ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୀମାକୁ ନେଇ କୌଣସି ବିବାଦ ନାହିଁ ଉନ୍ନୟନ କାର୍ଯ୍ୟ ହୋଇଥିବା ଅଞ୍ଚଳ ଓଡ଼ିଶାର, ଓଡ଼ିଶା ସୀମା ଭିତରେ ହିଁ ରହିଛି. ଗତ କିଛି ଦିନ ତଳେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଏହି ଅଞ୍ଚଳ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିବା ପରେ ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାପାଳଙ୍କୁ ଚିଠି ଲେଖୁ ଜଣାଇ ଦିଆଯାଇଛି। ଏହି ଗସ୍ତ ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ସିଡିପିଓ ବି. କାମଳାଙ୍ଗୀ, ଏସ୍‌ ଡିପିଓ ମାଧବାନନ୍ଦ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁ, ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ପ୍ରମୁଖଙ୍କ ସହ କେତେଜଣ ପ୍ରଶାସନିକ ଅଧିକାରୀ ଏହି 3 ଗୋଟି ଗ୍ରାମକୁ ଉପଜିଲ୍ଲାପାଳଙ୍କ ସହ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିଥିଲେ। ମୋଟାମୋଟି ଭାବେ ଏହି ସମସ୍ତ ଅଞ୍ଚଳ କେବଳ ଓଡିଶାର ଏବଂ ଗଜପତି ଜିଲ୍ଲା ଅଧୀନରେ ରହିଥିବା ସ୍ପଷ୍ଟ ହୋଇଯାଇଛି. ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଆହୁରି ଅନେକ ବିକାଶମୂଳକ ଜନ ହିତକର କାର୍ଯ୍ୟ କରାଯିବ. ତେଣୁ ଅଞ୍ଚଳବାସୀ ଆନ୍ଧ୍ରର କେତେକ ଅଧିକାରୀଙ୍କ ବିଭ୍ରାନ୍ତିମୂଳକ ଓ ଭୁଲ ତଥ୍ୟକୁ କୌଣସି ଭାବେ ଗୁରୁତ୍ୱ ନ ଦେଇ ଓଡିଶା ପ୍ରଶାସନର ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ନିଜ ନିଜକୁ ସାମିଲ କରି ଏହି ଅଞ୍ଚଳର ଉନ୍ନତି ଓ ବିକାଶ ପାଇଁ ସହଯୋଗ କରନ୍ତୁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି.