Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

WTC ଫାଇନାଲ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ରାହାଣେଙ୍କୁ ମିଳିଲା IPLରେ ବିସ୍ଫୋରକ ବ୍ୟାଟିଂର ପୁରସ୍କାର

ନୂଆଦିଲ୍ଲୀ: ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ(ଡବ୍ଲ୍ୟୁଟିସି) ଫାଇନାଲ୍ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଚଳିତ ଆଇପିଏଲରେ ଧୂଆଁଧାର ବ୍ୟାଟିଂ କରି ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିବା ଅନୁଭବୀ ବ୍ୟାଟର ଆଜିଙ୍କ୍ୟ ରାହାଣେଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ଜାତୀୟ ପୁରୁଷ ଚୟନକର୍ତ୍ତା ମଙ୍ଗଳବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି।

ଆଜିଙ୍କ୍ୟ ରାହାଣେ ୧୫ ମାସ ପରେ ଦଳକୁ ଫେରିଛନ୍ତି। ସେ ନିଜର ଶେଷ ଟେଷ୍ଟ ୨୦୨୨ ଜାନୁଆରୀରେ ଖେଳିଥିଲେ। ଏହା ପରେ ସେ ଟେଷ୍ଟ ଦଳରୁ ବାଦ୍ ପଡିଥିଲେ। ଏପରିକି ସେ ଉପ ଅଧିନାୟକ ଏବଂ ଭାରତୀୟ ଦଳରୁ ନିଜର ସ୍ଥାନ ହରାଇଥିଲେ। ରାହାଣେଙ୍କ ଦଳକୁ ପ୍ରତ୍ୟାବର୍ତ୍ତନର ସମସ୍ତ ରାସ୍ତା ପ୍ରାୟତଃ ବନ୍ଦ ହୋଇପଡିଥିବା ଲାଗୁଥିଲା। ମାତ୍ର ଡବ୍ଲ୍ୟୁଟିସି ଫାଇନାଲ୍ ପାଇଁ ତାଙ୍କର ପ୍ରତ୍ୟାବର୍ତ୍ତନ ଏହା ସାବ୍ୟସ୍ତ କରିଛି ଯେ, ସେ ଏବେ ମଧ୍ୟ ଭାରତୀୟ ଦଳ ପାଇଁ ଆଗକୁ ଟେଷ୍ଟ ମ୍ୟାଚ୍ ଖେଳି ଚାଲିବେ।

ଆସନ୍ତା ଜୁନ ୭ରୁ ୧୧ ମଧ୍ୟରେ ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ବିଶ୍ଵ ଟେଷ୍ଟ ଚାମ୍ପିଅନସ ଫାଇନାଲ୍ ପାଇଁ ଘୋଷିତ ଭାରତୀୟ ଦଳରେ କୌଣସି ବଡ ପରିବର୍ତ୍ତନ କରାଯାଇ ନାହିଁ। କେଏସ ଭରତଙ୍କୁ ବିଶେଷଜ୍ଞ ଓ୍ଵିକେଟ୍ କିପର ଭାବେ ଦଳରେ ରଖାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍ ପାଇଁ ଦଳରେ ସାମିଲ୍ ଇଶାନ କିଷନ ଏବଂ ସୂର‌୍ୟ୍ୟକୁମାର ଯାଦବଙ୍କୁ ଦଳରୁ ବାଦ୍ ଦିଆଯାଇଛି। ଆହତ କାରଣରୁ ଯଶପ୍ରୀତ ବୁମରାଙ୍କୁ ଦଳରେ ସାମିଲ୍ କରାଯାଇ ନାହିଁ।

କାହିଁକି ରାହାଣେଙ୍କୁ ସ୍ଥାନ ମିଳିଲା ?

ଶ୍ରେୟସ ଆୟର ଆହତ ଥିବା କାରଣରୁ ସୂର୍ଯ୍ୟକୁମାର ଯାଦବଙ୍କୁ ଟେଷ୍ଟ ଦଳରେ ପରୀକ୍ଷା କରାଯାଉଥିଲା। ତେବେ ଚଳିତ ଆଇପିଏଲରେ ରାହାଣେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ୩୪ ବର୍ଷୀୟ ଏହି ବ୍ୟାଟର ଚେନ୍ନାଇ ପାଇଁ ଦମଦାର ପ୍ରଦର୍ଶନ କରୁଛନ୍ତି। ରାହାଣେ ଚଳିତ ଆଇପିଏଲରେ ଅଦ୍ୟାବଧି ପାଞ୍ଚଟି ମ୍ୟାଚରେ ୧୯୯.୦୪ ଷ୍ଟ୍ରାଇକ ରେଟରେ ୨୦୯ ରନ କରିଛନ୍ତି। ଏହି ସିଜିନରେ କୌଣସି ବ୍ୟାଟରଙ୍କ ଦ୍ଵାରା ଏହା ସର୍ବାଧିକ ଷ୍ଟ୍ରାଇକ୍ ରେଟ୍। ତାଙ୍କର ବ୍ୟାଟିଂ ଦେଖି ପ୍ରଶଂସକ ଏବଂ କ୍ରିକେଟ୍ ବିଶେଷଜ୍ଞ ମଧ୍ୟ ହତବାକ।

କେକେଆର ବିପକ୍ଷ ମୁକାବିଲାରେ ରାହାଣେ ଯେଉଁଭଳି ବ୍ୟାଟିଂ କଲେ ତାହା ସଭିଙ୍କୁ ଚକିତ କରି ଦେଇଛି। ମାତ୍ର ୨୯ ବଲରେ ସେ ୭୧ ରନର ଧୂଆଁଧାର ଇନିଂସ ଖେଳିଥିଲେ। ସେ ଯେଉଁଭଳି ସଟ୍ ମାରୁଥିଲେ ତାହା ଏବିଡିଭିଲିୟର୍ସଙ୍କ କଥା ମନେ ପକାଇ ଦେଇଥିଲା। ମୁମ୍ବାଇ ବିପକ୍ଷରେ ମଧ୍ୟ ସେ ୨୭ ବଲରୁ ୬୧ ରନ କରିଥିଲେ।

ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେଏଲ ରାହୁଲ, କେଏସ ଭରତ(ଓ୍ଵିକେଟ୍ କିପର), ଆର ଅଶ୍ଵିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକତ।