ବୀରମହାରାଜପୁର : (ସୌମିତ୍ରି ମେହେର) ସାମ୍ପ୍ରତିକ ବିଶ୍ବର ଶିକ୍ଷା ବ୍ୟବସ୍ଥା ସହ ତାଳଦେଇ ଚାଲିବାକୁ ହେଲେ ଦେଶର ଶିକ୍ଷାର ସ୍ତରକୁ ବିଶ୍ବସ୍ତରୀୟ କରିବାକୁ ହେବ । ଏଥିପାଇଁ ଏକ ଭଲ ଶିକ୍ଷାନୀତିର ଆବଶ୍ୟକତା ରହିଛି । ଏହି ଆବଶ୍ୟକୀୟ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ୧୯୮୬ ମସିହାରେ କାର୍ଯ୍ୟକାରୀ ହୋଇଥିବା ପୂର୍ବ ଶିକ୍ଷାନୀତିର ୩୪ ବର୍ଷପରେ ଜାତୀୟ ଶିକ୍ଷାନୀତି ୨୦୨୦ ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି, ଯାହାକି ଭାରତୀୟ ଜ୍ଞାନ ପରମ୍ପରା ଉପରେ ଆଧାରିତ । ପୂର୍ଣ୍ଣାଙ୍ଗ ମାନବ ସାମର୍ଥ୍ୟ ବିକାଶ ପାଇଁ ସାମଗ୍ରିକ ଶିକ୍ଷା ସହ ବହୁମୁଖୀ ଶିକ୍ଷାର ଆବଶ୍ୟକତା ରହିଛି । ସମାନ ଏବଂ ଅନ୍ତର୍ଭୂକ୍ତ ଶିକ୍ଷା (Equal and Inclusive Education) ଦେଶରେ ଶିକ୍ଷାର ବିକାଶ ପାଇଁ ଜରୁରୀ ଯାହାକୁ ଜୀତୀୟ ଶିକ୍ଷାନୀତି ୨୦୨୦ରେ ସୁପାରିଶ କରାଯାଇଛି । ସୋମବାର ବୀରମହାରାଜପୁର କଲେଜର ଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ “ଉଚ୍ଚଶିକ୍ଷାରେ ଜାତୀୟ ଶିକ୍ଷାନୀତି ୨୦୨୦ର କାର୍ଯ୍ୟାନ୍ୱୟନ: ସମସ୍ୟା ଏବଂ ଆହ୍ୱାନ” (Implementation of National Education Policy-2020 in higher education: issues and challenges) ଶୀର୍ଷକ ଆଲୋଚନା ଚକ୍ର ଓ ସ୍ବାଗତ ସମ୍ବର୍ନ୍ଧନା ଉତ୍ସବରେ ଯୋଗଦେଇ ନିମନ୍ତ୍ରିତ ଅତିଥିମାନେ ମତପ୍ରକାଶ କରିଛନ୍ତି । କଲେଜର ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କଲେଜର ପରିଚାଳନା କମିଟିର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରି ମୁଖ୍ୟ ଅତିଥି ଭାବେରେ ଯୋଗଦେଇଥିବା ବେଳେ ବିନିକା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ବିଜୟ କୁମାର ପ୍ରଧାନ, ଡ. ଶିଶିର ବଣିଆଁ , ଅଧ୍ୟାପିକା ହରପ୍ରିୟା ମହାପାତ୍ର , ସୀମାରାଣୀ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମମିତା ମେହେର , ପ୍ରିୟା ମେହେର , ବବିତା ଅମାତ , କାର୍ତ୍ତିକ ପଧାନ ପ୍ରମୁଖ ବିଷୟ ଭିତ୍ତିକ ପ୍ରବନ୍ଧ ପାଠ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଇପସିତା ସାହୁ , ରୁଦ୍ର ପ୍ରତାପ ଥନାପତି , ପୂଜାରାଣୀ ମିଶ୍ର , ରିତୁ ପଧାନ , ମିଲି ମେହେର , ବନିସନ ବେହେରା , ଆଶୁତୋଷ ପଧାନ ପ୍ରମୁଖ ପ୍ରଥମବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ବାଗତ ବାର୍ତ୍ତା ପ୍ରଦାନ କରିଥିଲେ । ଛାତ୍ରୀ ଝରଣା ମେହେର ଓ ପ୍ରାଚୀ ପ୍ରିୟଦର୍ଶନୀ ପାତ୍ର ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ହରପ୍ରିୟା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଶିକ୍ଷାବିଭାଗ ତରଫରୁ ଅଧ୍ୟାପିକା ସୀମାରାଣୀ ବେହେରାଙ୍କୁ ବିଦାୟୀ ସମ୍ବର୍ନ୍ଧନା ଦିଆଯାଇଥିଲା ।