ଭଦ୍ରକରେ ୧୬୩ ଧାରା ଲାଗୁ, ଇଣ୍ଟରନେଟ୍ ସେବା ବନ୍ଦ


ଭଦ୍ରକ: ସୋସିଆଲ ମିଡ଼ିଆରେ ବିବାଦୀୟ ପୋଷ୍ଟକୁ ନେଇ ପୁଣି ଅଶାନ୍ତ ଭଦ୍ରକ୍ । ଜିଲ୍ଲାରେ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୬୩ ଧାରା ଜାରି କରାଯାଇଛି । ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯିବା ସହ ସୋସିଆଲ ମିଡ଼ିଆ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ପୁରୁଣାବଜାର ଅଞ୍ଚଳରେ ୧୬୩ ଧାରା ଲାଗୁ କରାଯିବା ସହ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସେହିପରି ଧାମନଗରରେ ମଧ୍ୟ ଉତ୍ତେଜନାମୂଳକ ସ୍ଥିତି ଥିବାରୁ ବିଜ୍ଞାପିତ ଅଞ୍ଚଳ ପରିଷଦ, ଦୋବଲ ଓ ଏହାର ଆଖପାଖ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୬୩ ଧାରା ଜାରି ହୋଇଛି ।

ଧାମନଗରରେ ୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ଭଙ୍ଗ ନ ହେଲା ଭଳି କୌଣସି ମିଥ୍ୟା ଗୁଜବ ପ୍ରଚାର ନକରି ଶାନ୍ତି ବଜାଇ ରଖିବା ଓ ପ୍ରଶାସନକୁ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ଓ ଧାମନଗର ପୋଲିସ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଅନୁରୋଧ କରାଯାଇଛି । ପୋଲିସ୍ ଫ୍ଲାଗମାର୍ଚ୍ଚ ସହ ଭେଇକିଲ ପେଟ୍ରୋଲିଂକୁ ବଢ଼ାଇଛି ।

ସୋସିଆଲ ମିଡିଆରେ ଏକ ବିବାଦୀୟ ଫଟୋ ପୋଷ୍ଟକୁ ନେଇ ଗତକାଲି ଭଦ୍ରକରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଯୁକ୍ତକୁ ଗିରଫ ଦାବିରେ ୫୦ରୁ ଅଧିକ ଲୋକ ଶୋଭାଯାତ୍ରା କରିଥିବା ବେଳେ ପୋଲିସ୍‌ ସେମାନଙ୍କୁ ଅଟକାଇଥିଲା । ଶୋଭାଯାତ୍ରା ନକରିବା ପାଇଁ ପୋଲିସ ପକ୍ଷରୁ କୁହାଯାଇଥିଲା । ହେଲେ ସେମାନେ ରାଜି ହୋଇ ନଥିଲେ। ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ଅଡି ବସିଥିଲେ । ଏହାକୁ ନେଇ ପୋଲିସ ଓ ଆନ୍ଦୋଳକାରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହା ପରେ ଉଗ୍ର ରୂପ ନେଇଥିଲା । ପରେ ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼ କରିଥିଲେ । ଯେଉଁଥିରେ ୩ ଜଣ ପୋଲିସ ଅଧିକାରୀ ଆହତ ହୋଇଥିଲେ । ଘଟଣାସ୍ଥଳରେ ତହସିଲଦାର ପହଞ୍ଚିବା ପରେ ଆନ୍ଦୋଳନକାରୀ ତାଙ୍କ ଗାଡି ଭଙ୍ଗାରୁଜୁ କରିଥିଲେ । ଫଳରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ କରିବାକୁ ପଡ଼ିଥିଲା ।

ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ଗତକାଲି ରାତିରେ ପୁରୁଣା ବଜାର ଥାନାରେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ପୋଲିସ ଡିଆଇଜି, ଭଦ୍ରକ ଏସପି ଓ ଜିଲ୍ଲାପାଳ ଉପସ୍ଥିତ ଥିଲେ । ଏଥିସହ ଗତକାଲି ରାତିରେ ପୂର୍ବାଞ୍ଚଳ ଡିଆଇଜି, ଭଦ୍ରକ ଏସପି ଓ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ଅଞ୍ଚଳ ବୁଲି ଦେଖିବା ସହ ନିଜେ ଫ୍ଲାଗମାର୍ଚ କରିଥିଲେ । ପୋଲିସ ଏହି ଘଟଣାରେ ୯ ଜଣଙ୍କ ଅଟକ ରଖିଥିବା ସୂଚନା ରହିଛି ।  ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ କହିଛନ୍ତି, ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଲୋକମାନେ ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ । କିଏ ପୋଷ୍ଟ କରିଛି, କେଉଁଠି କରିଛି ସାଇବର କ୍ରାଇମ ସେଲକୁ ତଦନ୍ତ ପାଇଁ ଦିଆଯାଇଛି । ସେମାନେ ମଧ୍ୟ ଘଟଣାର ତଦନ୍ତ କରୁଛନ୍ତି ।