ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ଦିଆଯିବା ମାମଲାରେ ନିଲମ୍ବିତ ୫ ପୋଲିସ କର୍ମଚାରୀଙ୍କ ଆଜି ହେବ ପଲିଗ୍ରାଫ୍ ଟେଷ୍ଟ । ଗୁଜରାଟ ଗାନ୍ଧିନଗରସ୍ଥିତ ଫୋରେନସିକ୍ ଲାବ୍ରୋଟୋରୀରେ ଆଜି ସେମାନଙ୍କର ମିଛ ଧରା ପରୀକ୍ଷା କରାଯିବ ।
ଭୁବନେଶ୍ୱର ଏସଡିଜେଏମ୍ କୋର୍ଟଙ୍କ ଅନୁମତି ପରେ ସେମାନଙ୍କୁ ସାଙ୍ଗରେ ନେଇ ଯାଇଛି ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ । ଆଇଆଇସି ଦୀନକୃଷ୍ଣ ମିଶ୍ର ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟର ସମ୍ମୁଖୀନ ହେବେ । ଦୀନକୃଷ୍ଣଙ୍କ ନାଁରେ ପୀଡ଼ିତା ସାଂଘାତିକ ଅଭିଯୋଗ ଆଣିଥିବାରୁ ତାଙ୍କର ପଲିଗ୍ରାଫ, ନାର୍କୋ ଆନାଲିସିସ, ବ୍ରେନ ମ୍ୟାପିଂ ହେବ ।
ଅନ୍ୟ ୪ ପୋଲିସଙ୍କର କେବଳ ପଲିଗ୍ରାଫ ଟେଷ୍ଟ ହେବ । ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସାଗରିକା ରଥ, ସଲିଳାମୟୀ ସାହୁ ଓ ସେଦିନ ରାତିରେ ଥାନାରେ ଉପସ୍ଥିତ ଥିବା ଜଣେ ପୋଲିସ ଏସ୍ଆଇଙ୍କର ପଲିଗ୍ରାଫ ଟେଷ୍ଟ ହେବ । ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନ ଥିବାରୁ ଏହି ଏସଆଇଙ୍କୁ ଘଟଣାର ପ୍ରତ୍ୟକ୍ଷଦର୍ଶୀ ତଥା ସାକ୍ଷୀ ଭାବେ ଗ୍ରହଣ କରାଯାଇଛି ।