ଭୁବନେଶ୍ବର: ସୁଭଦ୍ରା ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ପାଇଁ ଆଜି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ୧ ଟଙ୍କା । ପରୀକ୍ଷାମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ପଠାଯିବ । ଯେଉଁମାନେ ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପାଇବେ ସେମାନଙ୍କୁ ଖାତାକୁ ଏହି ଟଙ୍କା ଯିବ । ଆଜି ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଛି । ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ଆସନ୍ତା ୯ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ । ତେବେ ଯେଉଁମାନେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପାଇବେ, ସେହି ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଆଜି ପରୀକ୍ଷାମୂଳକ ୧ ଟଙ୍କା ଆସିବ ।
ସୁଭଦ୍ରା ଯୋଜନାରେ ଆଜି ସୁଦ୍ଧା ୩୨ ଲକ୍ଷ ଏମପିସିଆଇ କ୍ଲିୟରାନ୍ସ ସମ୍ପୂର୍ଣ୍ଣ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ଯାହା କ୍ଲିୟରାନ୍ସ ଆସିବ ୯ ତାରିଖରେ ସେମାନଙ୍କ ଖାତାକୁ ଟଙ୍କା ଆସିବ । ପ୍ରାୟ ୪୦ ଲକ୍ଷରୁ ଅଧିକ ମହିଳାଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ‘ସୁଭଦ୍ରା’ ଟଙ୍କା ମିଳିବ । ଆଜି ସୁଦ୍ଧା ‘ସୁଭଦ୍ରା’ ଯୋଜନାରେ ୧ କୋଟିରୁ ଅଧିକ ମହିଳାଙ୍କ ଆବେଦନ ପୂରଣ ହୋଇପାରେ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା । ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସରକାର ପ୍ରତି ବର୍ଷ ୨ଟି କିସ୍ତିରେ ୧ କୋଟି ଯୋଗ୍ୟ ମହିଳାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବେ । ଏହିପରି ୫ ବର୍ଷରେ ସେମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବେ। ଗତ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା ।