ଉଦଘାଟନର ୬ ବର୍ଷ ପରେ ମଧ୍ୟ ପରିସଂଖ୍ୟାନ କାର୍ଯ୍ୟାଳୟରେ ତାଲା ଝୁଲୁଛି


ତରଭା, ୨୬/୪ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ରାସ୍ତା ଘାଟ, କୃଷି, ଜଳସେଚନ ଠାରୁ ଆରମ୍ଭ କରି ଜନଗଣନା ପ୍ରଭୃତି ପରିସଂଖ୍ୟାନ ପାଇଁ ରାଜ୍ୟ ସରକାର ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ନାମରେ ସ୍ୱତନ୍ତ୍ର ବିଭାଗ ଖୋଲିଛନ୍ତି l ଏହି ବିଭାଗର ମୁଖ୍ୟ ଉଦ୍ଦେଶ୍ୟ ଗ୍ରାମାଞ୍ଚଳ ଠାରୁ ଜିଲ୍ଲା ଓ ରାଜ୍ୟସ୍ତରର ସମସ୍ତ ବିଭାଗର ପରିସଂଖ୍ୟାନ ସର୍ଭେ କରି ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରିବା l ସେଥିପାଇଁ ଜିଲ୍ଲା ଓ ବ୍ଲକ ସ୍ତରରେ ପରିସଂଖ୍ୟାନ କାର୍ଯ୍ୟାଳୟ ଖୋଲାଯାଇଛି l ଜିଲ୍ଲାସ୍ତ୍ରରରେ ଜଣେ ନିର୍ଦ୍ଦେଶକ ଓ ବ୍ଲକସ୍ତରରେ ଜଣେ ଫିଲଡ଼ ଡ୍ୟୁଟି ଅଧିକାରୀ ନିଯୁକ୍ତି ପାଇଛନ୍ତି l ମାତ୍ର କେତେକ ସ୍ଥାନରେ ବିଭାଗୀୟ କାର୍ଯ୍ୟାଳୟ ନିର୍ମାଣ ହୋଇଛି ହେଲେ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳିବା ତ ଦୂରର କଥା କାର୍ଯ୍ୟାଳୟର ତାଲା ଫିଟୁନି ତାହାର ଜ୍ୱଳନ୍ତ ଉଦାହରଣ ହେଲା ତରଭା ବ୍ଲକ ପରିସରରେ ଥିବା ପରିସଂଖ୍ୟାନ କାର୍ଯ୍ୟାଳୟ l ଗତ ୩୧/୭/୨୦୧୭ ମସିହାରେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ତରଭା ବ୍ଲକ ପରିସରରେ ଥିବା କୃଷି କାର୍ଯ୍ୟାଳୟ ନିକଟରେ ପରିସଂଖ୍ୟାନ ବିଭାଗର କାର୍ଯ୍ୟାଳୟ ଉଦଘାଟନ ହୋଇଥିଲା l ହେଲେ ଉଦଘାଟନର ଦୁଇ ତିନି ମାସ ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ଜଣେ ଅଧିକାରୀ ଆସୁଥିଲେ ହେଲେ ତାପରେ ତାଲା ପଡିଛିଯେ ଆଜକୁ ପ୍ରାୟ ୬ ବର୍ଷ ହେବ ଉକ୍ତ କାର୍ଯ୍ୟାଳୟରୁ ତାଲା ଫିଟୁନି l ଯାହାଫଳରେ ସାଧାରଣ ଲୋକେ ଉକ୍ତ କାର୍ଯ୍ୟାଳୟର କାମ କଣ ଜାଣି ପାରୁନାହାନ୍ତି l
ଉକ୍ତ କାର୍ଯ୍ୟାଳୟଟି ବର୍ଷ ବର୍ଷ ଧରି ସବୁବେଳେ ବନ୍ଦ ରହୁଥିବାରୁ ଭୁତ କୋଠିରେ ପରିଣତ ହୋଇଛି ଫଳରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀରେ ପରିଣତ ହେଲାଣି l ଏହି ପରିସଂଖ୍ୟାନ କାର୍ଯ୍ୟାଳୟ ଯେଉଁ ଉଦ୍ଦେଶ୍ୟ ନେଇ ନିର୍ମାଣ କରାଯାଇଥିଲା ତାହାର ସୁଫଳ ଲୋକେ ପାଇପାରୁ ନାହାନ୍ତି। ଏସମ୍ବନ୍ଧେ ପରିସଂଖ୍ୟାନ କାର୍ଯ୍ୟାଳୟ ସୁବର୍ଣ୍ଣପୁରର ନିର୍ଦ୍ଦେଶକ ଚତୁର୍ଭୁଜ ସାହୁଙ୍କୁ ପଚାରିବାରୁ ତରଭା ବ୍ଲକ ପରିସଂଖ୍ୟାନ କାର୍ଯ୍ୟାଳୟର ଫିଲଡ଼ ଡ୍ୟୁଟି ସକାଶେ କବିତା କୁଅଁର ନିଯୁକ୍ତି ପାଇଛନ୍ତି।କରୋନା ମହାମାରୀ ସମୟରେ ଉକ୍ତ କାର୍ଯ୍ୟାଳୟ ସ୍ୱାସ୍ଥ୍ୟ ବିଭାଗକୁ ଦିଆଯାଇଥିଲା ଏବେ ଖାଲି କରିବାକୁ ଚିଠି କରିଛୁ।ଏହା ବ୍ୟତୀତ ଏହି କାର୍ଯ୍ୟାଳୟର ମରାମତି ସକାଶେ ପାଣ୍ଠି ମାଗିଛୁ।କାର୍ଯ୍ୟାଳୟର ମରାମତି ସରିଲେ ଫିଲଡ଼ ଡ୍ୟୁଟି କରୁଥିବା କର୍ମଚାରୀ ଏହାକୁ ଖୋଲିବେ ବୋଲି କହିଥିଲେ।