ବସ୍ ଡ୍ରାଇଭରଙ୍କୁ ଛୁରା ମାଡ଼, ଜୀବନମରଣ ସହ କରୁଛନ୍ତି ସଂଘର୍ଷ


ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଜଣେ ଘରୋଇ ବସ୍ ଡ୍ରାଇଭରଙ୍କୁ ଛୁରାମାଡ଼ । ଗୁରୁତର ଅବସ୍ଥାରେ କୋରାପୁଟ ମେଡିକାଲରେ ଭର୍ତ୍ତି । ଆହତ ଡ୍ରାଇଭର ହେଲେ ଫୁପଲୀନ ଚନ୍ଦ୍ର ନାୟକ ।

ଫୁପଲୀନ ଗତ ରାତିରେ ଉମରକୋଟ ବସ୍‌ ଷ୍ଟାଣ୍ଡରେ ବସ୍‌ ରଖିଥିଲେ । ଆଜି ଭୋର ସାଢେ ୫ଟାରେ ଜୟପୁର ଅଭିମୁଖେ ଯାଇଥାନ୍ତେ । ଭୋର ପ୍ରାୟ ସାଢ଼େ ୪ଟାରେ ଶୌଚ ପାଇଁ ନିକଟସ୍ଥ ଏକ ନିଛାଟିଆ ସ୍ଥାନକୁ ଯାଇଥିଲେ । ସେହି ସମୟରେ କେହି ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଆକ୍ରମଣ କରିବା ସହ ଛୁରାମାଡ଼ କରିଥିଲେ । ଫୁଲଲୀନ ତଳେ ପଡ଼ି ଚିକ୍ତାର କରିବାକୁ ଲାଗିଥିଲେ । ତାଙ୍କ ଚିତ୍କାର ଶୁଣି ଆଖପାଖ ଲୋକେ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ଉମରକୋଟ ମେଡିକାଲକୁ ନେିଥିଲେ ।

ପ୍ରାଥମିକ ଚିକିତ୍ସା ପରେ ସେଠାରୁ ତାଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଫୁଲଲୀନଙ୍କୁ କିଏ ଆକ୍ରମଣ କରିଥିଲା ତାହା ଜଣାପଡ଼ିନି । ପୂର୍ବ ଶତ୍ରୁତାରୁ ଏହି ଛୁରା ମାଡ଼ ହୋଇପାରିଥାଏ ବୋଲି ଫୁପଲୀନ କହିଛନ୍ତି ।