Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବ୍ଲକ କଟଙ୍ଗପାଣି ଗାଁରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା ; ସୁନା ଅଣ୍ଡାଦିଆ କୁକୁଡ଼ାକୁ ଲୋକେ ମାରିଦେଲେ….ରୋହିତ ପୂଜାରୀ

ଜମନକିରା : ଜମନକିରା ବ୍ଲକ୍ ଅନ୍ତର୍ଗତ କଟଙ୍ଗପାଣି ଗାଁରେ ରବିବାର ବିଜେଡ଼ିର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ପ୍ରଥମେ କଟଙ୍ଗପାଣି ପଂଚାୟତ ଅଫିସ ସମ୍ମୁଖରୁ ବିଜେଡ଼ିର ଜନସଂପର୍କ ପଦଯାତ୍ରା ବାହାରି ଗାଁ ପରିକ୍ରମା କରିଥିଲା। ସ୍ଥାନୀୟ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଦଳୀୟ କର୍ମୀଙ୍କ ପଦଯାତ୍ରା ପହଁଚିବା ପରେ ଗାଁ ମଝି ଦାଣ୍ଡରେ ବୈଠକ ଆହୂତ ହୋଇଥିଲା। ବରିଷ୍ଠ ବିଜେଡ଼ି ନେତା ଚୁଡାମଣି ପଟେଲ୍ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ଏସଡ଼ିଏ ଅଧ୍ୟକ୍ଷ ତଥା ଶ୍ରମିକ ନେତା ବିଜୟ ମହାନ୍ତି, ବିଜେଡ଼ି ଜିଲ୍ଲା ସଭାପତି ରୋହିତ ପୂଜାରୀ, ପୂର୍ବତନ ବିଧାୟକ ତଥା ଗତ ନିର୍ବାଚନରେ ବିଜେଡ଼ିର ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆ, ରାଜ୍ୟ ସଂପାଦକ ସଂଜିତ୍ ମହାନ୍ତି, କୁଚିଣ୍ଡା ବ୍ଲକ୍ ଅଧ୍ୟକ୍ଷ ଭୁବନେଶ୍ୱର କିସାନ, ପୂର୍ବତନ ସମ୍ବଲପୁର ଜିଲ୍ଲା ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶୋଭାରାମ ପଧାନ, ଜିଲ୍ଲା ପରିଷଦ ଜୋନ୍ ୧ ସଭ୍ୟା ସୁଜାତା ଖୁଣ୍ଟିଆ, ଜିଲ୍ଲା ଉପସଭାପତି ମହମ୍ମଦ ମୂର୍ତ୍ତୁଜା, ସାଧାରଣ ସଂପାଦକ ଧୀରେନ୍ଦ୍ର ଦେବତା ଓ ଭକ୍ତରାମ ବେହେରା, କୁଚିଣ୍ଡା ବ୍ଲକ୍ ସଭାପତି ଅମୂଲ୍ୟ ମିଶ୍ର ପ୍ରମୁଖ ମଞ୍ଚାସିନ ଅତିଥି ଥିଲେ। ବିଜେପି ନେତୃତ୍ଵାଧୀନ ମୋହନ ମାଝି ସରକାର୍ ବିରୋଧରେ ପ୍ରବଳ ବର୍ଷିବା ସହ ସରଳ ଶାନ୍ତିପ୍ରିୟ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇ, ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତା ହାତେଇ ଲୋକଙ୍କୁ ସୁଶାସନ ଦେବାରେ ସମ୍ପୁର୍ଣ ବିଫଳ ହୋଇଛନ୍ତି ବୋଲି ନେତୃବୃନ୍ଦ କହିଥିଲେ। ବିଜେଡ଼ି ଜିଲ୍ଲା ସଭାପତି ରୋହିତ ପୂଜାରୀ କହିଥିଲେ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବିଜେଡ଼ିର ଦଳୀୟ ପତାକା ସବୁଜ ରଙ୍ଗକୁ ପାକିସ୍ତାନର ଜାତୀୟ ପତାକା ସହିତ ତୁଳନା କରିଛନ୍ତି। ବିଜେଡ଼ି ପତାକା ସବୁଜ ରଙ୍ଗର ହେଲା ବୋଲି ତାଙ୍କୁ ପାକିସ୍ତାନ ପତାକା ଭଳି ଦେଖାଯାଉଛି। କିନ୍ତୁ ତୁଳସୀ ପତ୍ର ଓ ବେଲପତ୍ର ଉଭୟ ସବୁଜ ରଙ୍ଗର ବୋଲି ବିଧାୟକ ଶ୍ରୀ ମିଶ୍ର କଣ ଜାଣିନାହାନ୍ତି କି ? ବର୍ତ୍ତମାନ୍ ବିଜେପି ଦଳ ୪ ଭାଗରେ ବିଭକ୍ତ ହୋଇଛି। ଏ ସରକାର୍ ବେଶୀ ଦିନର ନୁହେଁ। ନବୀନ ସରକାର୍ ଗୋଟିଏ ଲେଖାଏଁ ସୁନା ଅଣ୍ଡା ଦେଉଥିଲେ। କିନ୍ତୁ ଜନ ସାଧାରଣ ଏକାଥରେ ସୁନା ଅଣ୍ଡାଦିଆ କୁକୁଡ଼ାକୁ ମାରିଦେଲେ ବୋଲି କ୍ଷୋଭକ୍ତି ପ୍ରକାଶ କରିଥିଲେ। ତେଣୁ ବିଜେଡ଼ି ଚୁପ୍ ହୋଇ ବସିବ ନାହିଁ। ବିଜେପି ନିର୍ବାଚନ ଇସ୍ତାହାର ପ୍ରତିଶ୍ରୁତି ପାଳନ ନ କଲେ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢେ଼ଇ ହେବ ବୋଲି ତାଗିଦ୍ କରିଥିଲେ। କଥାରେ ଅଛି ଘର୍ ଭାଙ୍ଗିଲେ କାଠ, ବଳଦ ବିକିଲେ ଭାତ୍। ଏହି ଉକ୍ତିର ତାତ୍ପର୍ଯ୍ୟ ହେଲା ବିଜେଡ଼ି ୨୪ ବର୍ଷ ଶାସନରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାରୀ ଯୋଜନା ପ୍ରଣୟନ କରି ଲୋକଙ୍କୁ ସେବା ଯୋଗାଇ ଦେଉଥିଲେ। କିନ୍ତୁ ବର୍ତ୍ତମାନ ର ବିଜେପି ସରକାର୍ ୪ ମାସ ଭିତରେ ୫୦ ହଜାର କୋଟି ଋଣ କରି ସାରିଲାଣି ବୋଲି କୁଚିଣ୍ଡା ବ୍ଲକ୍ ଅଧ୍ୟକ୍ଷ ଭୁବନେଶ୍ୱର କିସାନ କହିଥିଲେ। କୁଚିଣ୍ଡାରେ କରମସାନି ପୂଜା ବେଳେ ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ ଉପସ୍ଥିତ ଥିବା ବେଳେ ଜଣେ ୧୪ ବର୍ଷୀୟା ନାବାଳିକା କୁ କାରରେ ଉଠାଇ ନେଇ ଗଣ ଦୁଷ୍କର୍ମ କରାଯାଇଥିଲା। ରାଜନୈତିକ ଚାପରେ ପୁଲିସ୍ ଏକ ଅପହରଣ ମାମଲା ରୁଜୁ କରି ମାମଲାକୁ ଚପାଇ ଦେବାକୁ ଅପଚେଷ୍ଟା କରିଥିଲା। ପରବର୍ତ୍ତୀ ସମୟରେ ବିଜେଡ଼ି ନେତୃବୃନ୍ଦ ଆତଙ୍କିତ ଅବସ୍ଥାରେ ଥିବା ପୀଡିତା ପରିବାର ଏସପିଙ୍କୁ ଭେଟି ସମସ୍ତ ଘଟଣା ଜଣାଇବା ପରେ ଅପହରଣ ମାମଲା ଗଣଦୁଷ୍କର୍ମ ମାମଲାକୁ ପରିବର୍ତ୍ତନ ହୋଇଥିଲା। ବିଜେପି ସରଳ, ଶାନ୍ତିପ୍ରିୟ କୁଚିଣ୍ଡା ଅଂଚଳବାସୀଙ୍କୁ ଗୁଣ୍ଡାଗର୍ଦି, ଅଶାନ୍ତି, ହିଂସା, ଭୟ ପ୍ରଦର୍ଶନ କରିବାକୁ ଚାହୁଁଛି। ତେଣୁ ଚାଷୀ, ମୂଲିଆ, ଛାତ୍ର, କେନ୍ଦୁପତ୍ର ତୋଳାଳୀ, ମହିଳା ମାନଙ୍କ ଉନ୍ନତି ପାଇଁ ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ରାଜ୍ଯ ସଂପାଦକ ସଂଜିତ ମହାନ୍ତି କହିଥିଲେ। ସେହିପରି ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, କୁଚିଣ୍ଡା ରେ ନାବାଳିକା କୁ ଗଣ ଦୁଷ୍କର୍ମ ହେଲା। ଏଥିରେ ବିଜେପି ନେତାଙ୍କ ଲିଙ୍କ ଥିବା ଅନୁମାନ ହେଉଛି। ପୁଲିସ୍ ଚାପରେ ଆସି ପ୍ରଥମେ ଅପହରଣ ମାମଲା ରୁଜୁ କଲା। ପରବର୍ତ୍ତୀ ସମୟରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ଫେକ୍ଟ ଫାଇଣ୍ଡିଙ୍ଗ ଟିମ୍ ପହଂଚି ପୀଡିତା ପରିବାର କୁ ଭେଟି ସାହସ ଦେବାରୁ ଅପହରଣ ମାମଲାରୁ ଗଣଦୁଷ୍କର୍ମକୁ ପରିବର୍ତ୍ତିତ ହେଲା। ନାବାଳିକା ଗଣଦୁଷ୍କର୍ମ ଘଟଣା କୁ ଚାପି ଦେବାକୁ ଉଦ୍ୟମ ହୋଇଥିଲା। ନାରୀର ଇଜ୍ଜତ, ସ୍ୱାଭିମାନ କଣ ଇୟେ ? ବୋଲି ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର କହିଥିଲେ। ବିଜେପି ସରକାର୍ ୪ ମାସର ଶିଶୁ କହିଲେ ଚଳିବ ନାହିଁ। ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିବା ୩୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଛାଡ଼, ୩ ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଲୋକଙ୍କୁ କେବେ ଦିଆଯିବ? ଏହା ସାଙ୍ଗକୁ ଦରଦାମ ବୃଦ୍ଧି, ୨ ବର୍ଷରେ ସୁଭଦ୍ରା ଯୋଜନା ରେ ୫୦ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇ ମାତ୍ର ୫ ହଜାର ଟଙ୍କା ଦେଲ କାହିଁକି ? ରାଜ୍ଯରେ ନାରୀ ନିର୍ଯାତନା ଚଳିବ ନାହିଁ, ବିଜେପି ମିଛୁଆ ସରକାର୍, ନାବାଳିକା କୁ ଗଣ ଦୁଷ୍କର୍ମ ଛି ଛି, ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳୀ ଦେବା ମିଥ୍ୟା ପ୍ରତିଶ୍ରୁତି, ଧୋକାବାଜି ଚଳିବ ନାହିଁ , ଚାଷୀଙ୍କୁ ୪୫୦୦ ଟଙ୍କା ଏମଏସପି ଦେବା ଆମର ଦାବି ବୋଲି ନାରାବାଜି ଦିଆଯାଇଥିଲା। ଏ ସରକାର୍ କେବଳ ରଙ୍ଗ ବଦଳେଇବା କାମ କରୁଛି ବୋଲି କହିଥିଲେ। ସେହିପରି ପୂର୍ବତନ ଏସଡିଏ ଅଧ୍ୟକ୍ଷ ବିଜୟ ମହାନ୍ତି କହିଥିଲେ, ରାଜ୍ଯବାସୀ ଆଶା କରିଥିଲେ ଯେ ବିଜେପି ସରକାର୍ ଅମଳରେ ନୂଆ କିଛି କାମ ହୋଇପାରିବ। କିନ୍ତୁ ବିଜେପି ଇସ୍ତାହାର ରେ ଯାହା କିଛି ପ୍ରତିଶ୍ରୁତି ଦେଇଥିଲା ତାହା ଏବେ ଲୋକେ ଅନୁଭବ କରି ସାରିଲେଣି। ଦରଦାମ୍ ବୃଦ୍ଧି, ଜିଏସଟି ବୃଦ୍ଧି, କନ୍ଧମାଳ, ଦାରିଙ୍ଗବାଡି ରେ ଆମ୍ବ ଟାକୁଆ ଖାଇ ୨ ଜଣ ମହିଳାଙ୍କ ମୃତ୍ୟୁ, ନାବାଳିକାଙ୍କ ଉପରେ ଅତ୍ୟାଚାର। ବୃଦ୍ଧି, କୁଚିଣ୍ଡା ନାବାଳିକା ଗଣଦୁଷ୍କର୍ମ ଘଟଣାରୁ ଯାହା ଜଣାପଡୁଛି ଯେ, ଯିଏ ମନ୍ତ୍ରୀ ହୋଇଛନ୍ତି ତାଙ୍କର କିଛି ନୈତିକ କର୍ତ୍ତବ୍ୟ ଥିଲା ଭଳି ପ୍ରତୀତ ହେଉନାହିଁ। କୁଚିଣ୍ଡା ବ୍ଲକ୍ ସଭାପତି ଅମୂଲ୍ୟ ମିଶ୍ର ଦୀପାବଳୀ ଉତ୍ସବ ଦିନ ବିଜେପି କର୍ମୀ ମାନେ ଜଣେ ମୁସଲମାନ ସମ୍ପ୍ରଦାୟ ଘର ଆଗରେ ବାଣ ଫୁଟାଇ ଆତଙ୍କିତ କରିବା ଘଟଣାକୁ ନିନ୍ଦା କରିଥିଲେ। ପୂର୍ବତନ ଜିଲ୍ଲା ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶୋଭାରାମ ପଧାନ କହିଥିଲେ, ନବୀନ ସରକାର ଯାହା କିଛି କରି ଦେଖାଇଛନ୍ତି ତାହା ବିଜେପି ସରକାର୍ କରି ଦେଖାଇ ପାରିବେ ନାହିଁ। ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ଟଙ୍କା ଦେବାକୁ କହିଥିଲେ କିନ୍ତୁ ବିଜେପି ସରକାର୍ ପ୍ରତିଶ୍ରୁତି ପାଳନ କରି ପାରିଲେ କି ବୋଲି ପ୍ରଶ୍ନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ମହେନ୍ଦ୍ର ବାଘ୍, ବିଜୁ ଯୁବ ଜନତା ଦଳ ଜିଲ୍ଲା ଉପସଭାପତି ମିଲନ ଖୁଣ୍ଟିଆ ଓ ସୁମିତ୍ ପଟେଲ୍ , ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ଉପସଭାପତି ଦେବଜ୍ୟୋତି ପଟ୍ଟନାୟକ, ଜିଲ୍ଲା ସଂପାଦକ ମଣ୍ଟୁ ମହାନ୍ତି, ସୁଶୀଲ ମିର୍ଦ୍ଧା, ଉମାକାନ୍ତ ପଧାନ, ସୁଶାନ୍ତ ମେହେର ଏଵଂ ଜମନକିରା ବ୍ଲକ୍ ଅଂଚଳ ର ପଂଚାୟତ ସଭାପତି, ସରପଂଚ, ସମିତି ସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories