ସମ୍ବଲପୁର,(ରାଜାରାମଷଡ଼ଙ୍ଗୀ):ଶିଳ୍ପାୟନ ଦ୍ୱାରା ନିଷ୍କାସିତ ପାଉଁଶ (ଫ୍ଲାଏ-ଆଶ)କୁ ନେଇ ପର୍ଯ୍ୟାବରଣରେ ଯେଉଁ ସମସ୍ୟା ଦେଖାଦେଇ ୪ ଜିଲ୍ଲାରେ ତୁମ୍ବି ତୋଫାନ ହେଉଥିଲା ତାକୁ ନେଇ ଦୀର୍ଘ ଶତାବ୍ଦୀ ପରେ ଆଜି ଆଶାର କିରଣ ଉଇଁଛି।
ରାଜସ୍ୱ ବିଭାଗୀୟ ଆୟୁକ୍ତଙ୍କ କାର୍ଯ୍ୟାଳୟ ଠାରେ ଓଡିଶାର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନୁପାଳନକୁ ନେଇ ଯୋର ଦିଆଯାଇଛି। ସମ୍ବଲପୁର, ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲ୍ଲା ଗୁଡିକରେ ଶିଳ୍ପଗୁଡିକ ଦ୍ୱାରା ନିଷ୍କାସିତ ପାଉଁଶ(ଫ୍ଲାଏ-ଆଶ) ପକାଇବାର ଉପଯୁକ୍ତ ପରିଚାଳନା ନିମନ୍ତେ ରବିବାର ଅନୁଷ୍ଠିତ ସମୀକ୍ଷା ବୈଠକ ଓଡିଶା ଇତିହାସରେ ଏକ ନବ ଦିଗନ୍ତ ଓ ଗଣତନ୍ତ୍ର ପ୍ରତିଷ୍ଠାର ନୁଆଁ ନବୀକରଣ ହିସାବରେ ଗ୍ରହଣ କରାଯାଇପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ସମ୍ବଲପୁରରେ ପ୍ରାୟ ୯୪% ତାପଜ ବିଦ୍ୟୁତ ଉତ୍ପାଦନ କରି ରାଜ୍ୟ କୁ ଯୋଗାଇଥାନ୍ତି । କିନ୍ତୁ ବିଦ୍ୟୁତ ଉତ୍ପାଦନ ସହିତ ଅନ୍ୟ ସମସ୍ୟା ମଧ୍ୟ ଉପୁଜିଥାଏ ଯାହା ହେଉଛି ନିଷ୍କାସିତ ପାଉଁଶ (ଫ୍ଲାଇ ଆଶ୍) । ଏହାର ଉପଯୁକ୍ତ ପରିଚାଳନା ଏବଂ ଜନସାଧାରଣ ଙ୍କୁ ସୁରକ୍ଷିତ ପରିବେଶ ଯୋଗାଇଦେବା ଏବଂ ସମାଧାନ ପ୍ରସ୍ତାବ ଉଦ୍ଦେଶ୍ୟରେ ଅନୁଷ୍ଠିତ ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନରାୟଣ ନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରତିନିଧି, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଙ୍କ ପ୍ରତିନିଧି, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଢାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ ବିଧାୟକ ଯୋଗେଶ କୁମାର ସିଂ, ରାଜଗାଙ୍ଗପୁର ବିଧାୟକ ସିଏସ ରାଜନ ଏକ୍କା, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଙ୍କ ପ୍ରତିନିଧି ଉପସ୍ଥିତ ରହି ଦୀର୍ଘ ଦିନର କୁହୁଳୁଥିବା ସମସ୍ୟାର ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ। ବୈଠକରେ ଜନସାଧାରଣ ଙ୍କୁ ସ୍ୱଚ୍ଛ ଜଳ, ବାୟୁ ଓ ନିରାପଦ ପରିବେଶ ଯୋଗାଇଦେବା ପରିପ୍ରେକ୍ଷୀରେ ଶିଳ୍ପଗୁଡିକ ଦ୍ୱାରା ନିଷ୍କାସିତ ଫ୍ଲାଇ ଆଶ୍ ଡମ୍ପିଂ, ଫ୍ଲାଇ ଆଶ୍ ପରିବହନ, ଫ୍ଲାଇ ଆଶ୍ ର ଉପଯୁକ୍ତ ବ୍ୟବହାର, ପାଉଁଶ ପୋଖରୀରେ ପାଉଁଶ (ଫ୍ଲାଇ ଆଶ୍) ର ନିଷ୍କାସନ ଆଦି ର ପରିଚାଳନା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା। ଭୂତଳ ଜଳର ଗୁଣବତ୍ତା ଯାଞ୍ଚ କରିବା ସହିତ ଭୂତଳ ଜଳ ଉପରେ ଫ୍ଲାଇ ଆଶ୍ ଡମ୍ପିଂର ପ୍ରଭାବ ସମ୍ପର୍କରେ ପରୀକ୍ଷଣ କରିବାକୁ ପରାମର୍ଶ ଦିଆଯାଇଥିଲା। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କୁ ଏହି ସବୁ ଅଞ୍ଚଳରେ ଭୂତଳ ଜଳ ର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦାଖଲ ପାଇଁ ଦୁଇ ମାସ ସମୟ ଦିଆଯାଇଛି। ବେଆଇନ ଭାବେ ଫ୍ଲାଇ ଆଶ୍ ଫିଙ୍ଗିବା ରୋକିବା ପାଇଁ ଜିଲ୍ଲା ପ୍ରଶାସନକୁ ସବିଶେଷ ତଥ୍ୟ ପ୍ରଦାନ କରାଯିବ । ଯେଉଁ ଅଞ୍ଚଳରେ ଫ୍ଲାଇ ଆଶ୍ ଫିଙ୍ଗି ଦିଆଯାଉଛି ସେଠାରେ ଜନଜୀବନ ପ୍ରତି ଯେପରି କୌଣସି ପ୍ରକାର ର ବିପଦ ସୃଷ୍ଟି ନହୁଏ ସେଥିପାଇଁ ଥିବା ନିୟମାବଳୀ କୁ ଅନୁସରଣ କରି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରମୁଖ ଚିନ୍ତାର ବିଷୟ ହେଉଛି ଫ୍ଲାଇ ଆଶ୍ ର ପରିବହନ ପାଇଁ କୌଣସି ନୀତି ଏଯାଏ ନାହିଁ। ଜୋର ଜାର ମୂଳକ ତାର ନୀତିରେ ଚାଲିଛି ଡମ୍ପିଙ୍ଗୟାଡ। ପାଉଁଶ ବିନା କଭରେଜ୍ ରେ ପରିବହନ ମନା ଥିଲେବି ସବୁ ବିଭାଗୀୟ ଅଧିକାରୀ କେଉଁ କାରଣରୁ ଆଖି ମୁଜି ଦେଇ ଜନ ଅହିତକର କାମରେ ଲିପ୍ତ ଥିଲେ ତାହା ରବିବାର ସମୀକ୍ଷା ବୈଠକରେ ବେଶ ମହକି ଉଠିଛି।
କୌଣସି ଅଘଟଣ କିମ୍ବା ବେଆଇନ ଡମ୍ପିଂ ଯେପରି ନ ହୁଏ ତାହା ସୁନିଶ୍ଚିତ କରିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ,ଜିଲ୍ଲା ପରିବହନ ଅଧିକାରୀ, ସମ୍ପୃକ୍ତ ଜିଲ୍ଲା ଲୋକପ୍ରତିନିଧି ଙ୍କ ର ମିଳିତ ଭାବରେ ଏକ ସମନ୍ୱୟ କମିଟି ଗଠନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ସବୁ ଅଞ୍ଚଳରେ ସର୍ବାଧିକ ଶିଳ୍ପ ଗୁଡିକ ଥିବାରୁ ଏକ ପ୍ରମୁଖ ଚିନ୍ତା ଉପରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀ ଆଲୋକପାତ କରିଥିଲେ। ଜଳାଶୟ ଗୁଡିକରେ ବର୍ଜ୍ୟଜଳ ନିଷ୍କାସନ ଏବଂ ଏହାର ନିରାକରଣ କରିବା ପାଇଁ ଜଳାଶୟ ଗୁଡିକରେ ବର୍ଜ୍ୟଜଳ ନିଷ୍କାସନ ପୂର୍ବରୁ ବିଶୋଧନ କରାଯିବା ଆବଶ୍ୟକ ଏବଂ ବର୍ଜ୍ୟବସ୍ତୁକୁ ପୁନଃବ୍ୟବହାର କରିବା ପାଇଁ ଉପଯୁକ୍ତ ପଦ୍ଧତି କୁ ଅନୁପାଳନ କରାଯିବା ଆବଶ୍ୟକତା ଉପରେ ମନ୍ତ୍ରୀ ବେଶ ଗୁରୁତ୍ୱ ଦେଇଥିଲେ। ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଅନୁଷ୍ଠିତ ଆଲୋଚନା ଏକ ବହୁତ ଭଲ ପ୍ରାରମ୍ଭ, ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ମଧ୍ୟରେ ଘନିଷ୍ଠ ସମନ୍ୱୟ ରକ୍ଷା କରି ବିକଶିତ ହେବାକୁ ଥିବା ବ୍ୟବସ୍ଥା ଫଳପ୍ରଦ ହେବ ଏବଂ ଏକ ବିକଶିତ ଦେଶ ଗଠନ ରେ ସହାୟକ ମଧ୍ୟ ହେବ ।
ଉକ୍ତ ବୈଠକ ରେ ରାଜସ୍ୱ ବିଭାଗୀୟ ଆୟୁକ୍ତ, ଉତ୍ତରାଞ୍ଚଳ ଡିଭିଜନର ସଚିନ କୁମାର ଯାଦବ, ପୋଲିସ ଆଇଜି ଉତ୍ତରାଞ୍ଚଳ, ହିମାଂଶୁ ଲାଲଙ୍କ ସହିତ ସମ୍ବଲପୁର, ସୁନ୍ଦରଗଡ, ଅନୁଗୁଳ ଏବଂ ଝାରସୁଗୁଡା ଜିଲ୍ଲାର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ସହିତ ବିଭିନ୍ନ ବିଭାଗୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ।